ନାଗରିକ ମଂଚ ପକ୍ଷରୁ ନେଇ କ୍ଷୋଭ ପ୍ରକାଶ
ବାରିପଦା (ଦିଲ୍ଲୀପ ମହାନ୍ତି) - ମୟୂରଭଞ୍ଜ ଜିଲ୍ଲା ଓଡ଼ିଶାର ଆଦିବାସୀ ବହୁଳ ସର୍ବବୃହତ୍ ଜିଲ୍ଲା । ମୟୁରଭଞ୍ଜର କ୍ଷେତ୍ରଫଳ ହିସାବରେ ସିଂହଭାଗ ଜମି ସରକାରୀ ଜମି, ଜଙ୍ଗଲ କିସମ ଜମି ସହ ଅନୁସୂଚିତ ଜନଜାତି ସମ୍ପ୍ରଦାୟଙ୍କ ନାମରେ ରହିଛି । ସାଧାରଣ ବର୍ଗଙ୍କ ନାମରେ ଥିବା ଜମିର ପରିମାଣ ବହୁତ କମ୍ । ତେଣୁ ବାରିପଦାରେ ସାଧାରଣ ବର୍ଗର ଜମି ଦର ଓଡ଼ିଶାରେ ସବୁଠାରୁ ଅଧିକ କହିଲେ ଚଳେ । ତେଣୁ ନୂତନ ଶିକ୍ଷାନୁଷ୍ଠାନ ବା ସ୍ଥାପିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଥବା ମହାବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନର ସମ୍ପ୍ରସାରଣ ନିମନ୍ତେ ସରକାରୀ ଜମି ଉପରେ ନିର୍ଭର କରିବାକୁ ବାଧ୍ୟ । କିନ୍ତୁ ସରକାରୀ ଜମି ଆବଣ୍ଟନ କ୍ଷେତ୍ରରେ ରାଜସ୍ୱ ବିଭାଗର ଉଦାସିନତା କହିଲେ ନ ଚଳେ । ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ୧୦୦ ଏକର ସରକାରୀ ଜମି ପ୍ରଦାନ ନିମନ୍ତେ ଓଡ଼ିଶାର ରାଜ୍ୟପାଳଙ୍କ ସଭାପତିତ୍ୱରେ ଭାଇସ ଚାନସେଲରମାନଙ୍କର କନଫରେନସରେ ରିଜଲୁ୍ୟସନ କରାଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ସରକାରୀ ଜମି ନ ଥିବା ଦର୍ଶାଇ ବିଶ୍ୱବିଦ୍ୟାଳୟକୁ ଅଧିକ ୧୦୦ ଏକର ସରକାରୀ ଜମି ପ୍ରଦାନ କରି ନ ଥିଲେ । ପରବର୍ତୀ ସମୟରେ ୨୦୧୦-୧୧ ଏକାଡେମିକ ବର୍ଷରେ ସେତେବେଳର ସିନେଟ ମେମ୍ବର ତଥା ଆଇନଜୀବୀ ଶ୍ରୀନିବାସ ପ୍ରଧାନ ଓ ଜ୍ୟୋତି ପ୍ରକାଶ ରଥ, ମୟୁରଭଞ୍ଜ କଲେଜ ଅଫ୍ ଆକାଉନଟେନସି ଏଣ୍ଡ ମ୍ୟାନେଜମେଂଟର ଅଧ୍ୟକ୍ଷ ପ୍ରଦୀପ ନାୟକ, ସିଣ୍ଡିକେଟ ମେମ୍ବର ସଂଜିତ କୁମାର ଦାସ ଓ ଅନ୍ୟ ମାନଙ୍କୁ ନେଇ ବିଶ୍ୱବିଦ୍ୟାଳୟ ତରଫରୁ ଏକ ଲେଣ୍ଡ କମିଟି ଗଠନ କରାଯାଇଥିଲା । ଲେଣ୍ଡ କମିଟି ଅନୁଧ୍ୟାନ କରି ମହାରାଜପୁର ମୌଜାରେ ପ୍ଲଟ ନଂ ସହିତ ୭୯ ଏକର ସରକାରୀ ଜମି ଆବଣ୍ଟନ ନିମନ୍ତେ ବାରିପଦା ତହସିଲଦାରଙ୍କୁ ପ୍ରସ୍ତାବ ଦେଇଥିଲେ । ଯାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନାହିଁ । ଇତି ମଧ୍ୟରେ ପ୍ରସ୍ତାବ ଦିଆଯାଇଥିବା ୭୯ ଏକରରୁ କିଛି ସରକାରୀ ଜମି ଜବର ଦଖଲ ହୋଇସାରିଲାଣି । ସେହିପରି ୨୦୦୬-୦୭ ମସିହାରେ ସରକାରୀ ଜମି ପ୍ରଦାନ ନିମନ୍ତେ ମୟୁରଭଞ୍ଜ +୨ ବିଜ୍ଞାନ ମହାବିଦ୍ୟାଳୟ ମହାରାଜପୁରଠାରେ ୨ ଏକର ସରକାରୀ ଜମି ଆବଣ୍ଟନ ନିମନ୍ତେ ଆବେଦନ କରିଥିଲେ ଏବଂ ପରବର୍ତୀ ସମୟରେ ବାରିପଦା ତହସିଲଦାର, ବାରିପଦା ଆର.ଆଇଙ୍କୁ ପ୍ରସ୍ତାବ ଦେବା ପାଇଁ ନିଦେ୍ର୍ଧଶ ଦେଇଥିଲେ ଯାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ ।
ଫରେଷ୍ଟ ଡାଇଭାରସନ ପ୍ରୋପୋଜାଲ ଦାଖଲ କରିବା ନିମନ୍ତେ ଲ୍ୟାଣ୍ଡ ସିଡୁଲର ସାର୍ଟିଫାଏଡ କପିର ଆବଶ୍ୟକତା ପଡିଥାଏ । ତେଣୁ ବାରିପଦା ତହସିଲଦାରଙ୍କୁ କେତେକ ଶିକ୍ଷାନୁଷ୍ଠାନ ସାର୍ଟିଫାଏଡ କପି ନିମନ୍ତେ ଆବେଦନ କରିଥିବାର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ସଂପୃକ୍ତ ଜମିର ସାର୍ଟିଫାଏଡ କପି ଯୋଗାଇ ଦିଆଯାଇପାରି ନାହିଁ । ଯାହା ଫଳରେ ଶିକ୍ଷାନୁଷ୍ଠାନମାନେ ନିୟମ ଅନୁସାରେ ଫରେଷ୍ଟ ଡାଇଭରସନ ପ୍ରୋପୋଜାଲ ଦାଖଲ କରିପାରୁ ନାହାନ୍ତି । ଆଗାମୀ ଦିନରେ ଶିକ୍ଷାନୀତି ପରିବର୍ତନ ହେବାକୁ ଯାଉଛି । ତେଣୁ ଅଧିକ ସଂଖ୍ୟାରେ ମହାବିଦ୍ୟାଳୟମାନେ ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇବାକୁ ହକ୍ଦାର ହେବେ । ତେଣୁ ଜମିର ଆବଶ୍ୟକତାକୁ ଲକ୍ଷ୍ୟ କରି କେତେକ ମହାବିଦ୍ୟାଳୟ/ ଟ୍ରଷ୍ଟ ଜିଲ୍ଲାପାଳ ଓ ବାରିପଦା ତହସିଲଦାରଙ୍କ ନିକଟରେ ଆବେଦନ କରିବାର ବର୍ଷେରୁ ଅଧିକ ସମୟ ହୋଇସାରିଥିଲେ ମଧ୍ୟ ସଂପୃକ୍ତ ଆର.ଆଇମାନେ କୌଣସି ରିପୋର୍ଟ ଦେଉ ନାହାନ୍ତି । ଯାହା ଫଳରେ ଶିକ୍ଷାନୁଷ୍ଠାନମାନେ ଆବେଦନ କରିଥିବା ପ୍ରୋପୋଜାଲ ସଂପୃକ୍ତ ସାଇଟ ସିଲେକସନ କମିଟିରେ ବିିଚାର କରାଯାଇ ପାରୁ ନାହିଁ । ଜିଲ୍ଲା ପ୍ରଶାସନ ଦ୍ୱାରା ୦୬.୦୫.୨୦୦୨, ସେ ଶିକ୍ଷାନୁଷ୍ଠାନ ମାନଙ୍କ ନିମନ୍ତେ ବଛାଯାଇଥିବା ସରକାରୀ ଜମି ଆଜି ପର୍ଯ୍ୟନ୍ତ ସମସ୍ତଙ୍କୁ ଲିଜ ପ୍ରଦାନ କରାଯାଇପାରି ନାହିଁ , ଯାହା ବର୍ତମାନ ଅନ୍ୟମାନଙ୍କ ଦ୍ୱାରା ଜବର ଦଖଲ କରାଯାଉଛି । ଗୋଟିଏ ପଟେ ରାଜ୍ୟ ସରକାରଙ୍କର ରାଜସ୍ୱର ଆବଶ୍ୟକତା ରହିଛି । ଶିକ୍ଷାନୁଷ୍ଠାନମାନେ ଜମିର ବଜାର ଦର ଦେବା ପାଇଁ ରାଜି ଅଛନ୍ତି । ତା ସତ୍ୱେ ଶିକ୍ଷାନୁଷ୍ଠାନ ମାନେ ଆବେଦନ କରିଥିବା ସରକାରୀ ଜମି ଯୋଗାଇ ନ ଦେବା ଦୁଃଖର ବିଷୟ ବୋଲି ବାରିପଦାର ପୂର୍ବତନ ବିଧାୟକ ତଥା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପୂର୍ବତନ ସିଣ୍ଡିକେଟ ସଦସ୍ୟ କିଶୋର ଦାଶ କହିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ସଚେତନ ନାଗରିକ ମଂଚ ସାଧାରଣ ସମ୍ପାଦକ ପ୍ରଦୀପ ନାୟକ, ଉକ୍ରଳ ବିକାଶ ପରିଷଦ ରାଜ୍ୟ ସଭାପତି ତଥା ପୂର୍ବତନ ପ୍ରଶାସକ ବସନ୍ତ କୁମାର ସ୍ୱାଇଁ ଓ ଜିଲ୍ଲା ସଭାପତି ଶରତ ନାୟକ ଦାବୀ କରିଛନ୍ତି ।