ଜୈବିକ ପଦ୍ଧତିରେ କରୁଛନ୍ତି ୧୪ ପ୍ରକାରର ଲୁପ୍ତପ୍ରାୟ ଦେଶୀ ଧାନ ଚାଷ
ପଦ୍ମପୁର-ବରଗଡ଼ ଜିଲ୍ଲାରେ ଦିନକୁ ଦିନ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କ୍ୟାନସର ରୋଗ ହେବାର ବିଭିନ୍ନ କାରଣ ରହିଛି । ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରି ଅମଳ କରାଯାଇଥିବା ଫସଲ ଖାଇବା ଦ୍ଵାରା ମଧ୍ୟ କ୍ୟାନସର ହୋଇଥାଏ । ଅଧିକ ଅମଳ ତଥା ଲାଭବାନ ହେବା ଆଶାରେ ଚାଷୀମାନେ ଶଙ୍କର ଧାନ ଚାଷ କରୁଛନ୍ତି ଏବଂ ଫସଲକୁ ରୋଗପୋକରୁ ରକ୍ଷା କରିବା ପାଇଁ କୀଟନାଶକ ପ୍ରୟୋଗ କରୁଛନ୍ତି ଯାହାକି ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ । ପଦ୍ମପୁର ଉପଖଣ୍ଡ ସାରସମାଲ ଗାଁର ଚାଷୀ ଅଶୋକ ସାହୁ ତାଙ୍କର ଦଶ ଏକର ଜମିରେ ଜୈବିକ ପଦ୍ଧତିରେ ଲୋପ ପାଇ ଯାଉଥିବା ଧାନ ଗୁଡିକୁ ଚାଷ କରୁଛନ୍ତି ଏବଂ ଭଲ ଅମଲ କରି ରାଜ୍ୟ ରାଜ୍ୟ ବାହାରେ ତଥା ଦେଶ ବାହାରେ ବିକ୍ରିକରି ବେଶ ଲାଭବାନ ହେଉଛନ୍ତି । ଅଶୋକ ସାହୁ ଚଳିତ ବର୍ଷ କଳା ଚାଉଲ ବାହାରୂଥିବା ଧାନ,ସବୁଜ ଚାଉଲ ବାହାରୁଥିବା ଧାନ,ଧୂସର ଚାଉଲ ବାହାରୁଥିବା ଧାନ ଏବଂ ସରୁ ଚାଉଲ ବାହାରୁଥିବା ଧାନ ମିଶି ୧୪ ପ୍ରକାରର ଲୋପ ପାଇଯାଉଥିବା ଦେଶୀ ଧାନ ଚାଷ କରିଛନ୍ତି । ଲୁପ୍ତପ୍ରାୟ ଦେଶୀ ବିହନକୁ ଜୈବିକ ପଦ୍ଧତିରେ ଚାଷ କରି ଅଶୋକ ସାହୁ ପଦ୍ମପୁର ଅଞ୍ଚଳ ପାଇଁ ଏକ ଉଦାହରଣ ସୄଷ୍ଟି କରିଛନ୍ତି । ଆଜି ଦେଶୀ ବିହନ ସୁରକ୍ଷା ମଞ୍ଚ ପକ୍ଷରୁ ଚାଷୀଙ୍କୁ ଦେଶୀ ବିହନ ପ୍ରତି ଆକୄଷ୍ଟ କରିବା ପାଇଁ ଏହି ଅଞ୍ଚଳର ଚାଷୀ ମାନଙ୍କୁ ଅଶୋକ ସାହୁଙ୍କ କ୍ଷେତ୍ର ପରିଦର୍ଶନ କରାଇଥିଲେ । ଏହି କ୍ଷେତ୍ର ପରିଦର୍ଶନରେ ସାରସମାଲ,ଧୂମାବେର୍ଣ୍ଣା,ରମେଡେଗା,ବରିହାପାଲି ଓ ବଇଦପାଲିର ୭୦ ଜଣ ମହିଳା ଚାଷୀ ଓ ୪୦ ଜଣ ପୁରୁଷ ଚାଷୀ ଯୋଗଦେଇଥିଲେ । ଏହା ସହ ଦେଶୀ ବିହନ ଓ ଜୈବିକ ଚାଷର ଉପକାରିତା ସମ୍ପର୍କରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କୈଲାଶ ସାହୁ, ଅଶୋକ ସାହୁ,ଶୁକଦେବ ସ୍ବାଇଁ ଯୋଗଦେଇ ଦେଶୀ ବିହନ ଓ ଜୈବିକ ଚାଷର ଉପକାରିତା ବିଷୟରେ ଆଲୋକପାତ କରିଥିଲେ ।