ବିଜେଡିର ପ୍ରାଥମିକ ସଭ୍ୟପଦରୁ ଜୀବନଙ୍କ ଇସ୍ତଫା
ବିଜେଡି ଡେପୁଟେସନ ସରିଲା, ଏବେ ଘର ବାହୁଡା !
ବାଲେଶ୍ୱର(): ବିଗତ ଉପନିର୍ବାଚନରେ ମୁଁ ନୁହେଁ ତ କେହି ନୁହଁ ନୀତିରେ ବିଜୁ ଜନତା ଦଳ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟ କରିବାର ପ୍ରମାଣ ଦାଣ୍ଡରେ ଗଡି ହାଟରେ ପଡି ବିଜେଡିରୁ ନିଲମ୍ବିତ ହୋଇଥିବା ପୂର୍ବତନ ବିଧାୟକ ଜୀବନ ଦାସ ତାଙ୍କ ବିଜେଡି ଡେପୁଟେସନରେ ପୂର୍ଣ୍ଣଛେଦ ପକାଇଛନ୍ତି | ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ଜୀବନ | ସେ ପୁଣି ତାଙ୍କ ମୂଳ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ତାଙ୍କ ନିକଟତମ ମହଲ ପ୍ରକାଶ କରିଛନ୍ତି |
ରାଣୀପାଟଣାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଦଳୀୟ ନିଷ୍ପତି ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିବା ସହିତ ସଂପୂର୍ଣ୍ଣ ଭାବେ ବିଜେଡି ପରିତ୍ୟାଗ କରୁଥିବା ନେଇ ସେ ସୂଚନା ଦେଇଛନ୍ତି । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ନିଜର ଇସ୍ତଫାପତ୍ର ଫାକ୍ସ ଯୋଗେ ପଠାଇ ଦେଇଥିବା ଶ୍ରୀ ଦାଶ ପ୍ରକାଶ କରିଛନ୍ତି । ଉପ-ନିର୍ବାଚନ ପୂର୍ବରୁ ବିଜେଡି ନେତୃମଣ୍ଡଳୀଙ୍କ ଦ୍ୱାରା ବାରମ୍ବାର ଅପମାନିତ ଓ ଲାଞ୍ଚିତ ହୋଇ ସେ ମାନସିକ ନିର୍ଯାତନା ସହି ଚାଲିଥିଲେ । ନିଲମ୍ବନ ଦ୍ୱାରା ଏଥିରୁ ମୁକ୍ତି ପାଇଥିବା କାରଣରୁ ସେ ଦଳର ସଭାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି ।୨୦୦୯ ମସିହାରେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ସଦର ନିର୍ବାଚନମଣ୍ଡଳୀରେ ବହୁ ପରିଶ୍ରମ କରି ସେ ଦଳୀୟ ସଂଗଠନକୁ ଆଗକୁ ନେବାରେ ସକ୍ଷମ ହୋଇଥିଲେ । ନିଜେ ବିଧାୟକ ଭାବେ ନିର୍ବାଚିତ ହେବା ସହ ତାଙ୍କର ପ୍ରଚେଷ୍ଟାରେ ସଦର ବ୍ଲକରେ ଦୁଇଥର ବିଜେଡି ସପକ୍ଷରେ ଚେୟାରମ୍ୟାନ ପଦବୀ ଦଖଲ ଓ ବାଲେଶ୍ୱର ପୌରପାଳିକାର ପରିଷଦ ଗଠନରେ ସକ୍ଷମ ହୋଇଥିଲେ । ଗତ ଉପ-ନିର୍ବାଚନରେ ପ୍ରାର୍ଥୀ ଚୟନ ପରେ ବି ଦଳୀୟ ନେତୃମଣ୍ଡଳୀଙ୍କ ନିର୍ଦ୍ଦେଶ କ୍ରମେ ସେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ପ୍ରଦାନ କରାଯାଇଥିବା ନିର୍ଦ୍ଦିଷ୍ଟ ଦାୟିତ୍ୱ ତୁଲାଇବାରେ ସେ କେବେ ବି ଅବହେଳା କରିନଥିଲେ । ଏହା ସତ୍ତ୍ୱେ ବିନା କାରଣରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିଲମ୍ବିତ କରାଯିବା ଘଟଣା ତାଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ବୋଲି ଶ୍ରୀ ଦାଶ କହିଛନ୍ତି । ତେବେ ଆଗାମୀ ଦିନରେ କେଉଁ ଦଳକୁ ଯିବେ ଅଦ୍ୟାବଧି କୌଣସି ନିଷ୍ପତି ଗ୍ରହଣ କରି ନାହାନ୍ତି ବୋଲି ସେ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି ।
ଅପରପକ୍ଷରେ ଜୀଵାନା କେମିତି ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରୁଥିଲେ ଓ ବିଜେଡି ଭିତରେ ରହି କାହାକୁ ଭୋଟ ଦେବାକୁ ବିଜେଡି ସମର୍ଥକମାନଙ୍କୁ ପ୍ରବର୍ତ୍ତାଉଥିଲେ ତାହାର କିଛି ପ୍ରମାଣ ଏବେ ବଜାରରେ ବୁଲୁଛି | ସବୁ ରବି ଜେନାଙ୍କ ଚାଲ ଓ ଏ ଦାସ ରବିଜେନା ପାଳତୁ କୁତ୍ତା ବୋଲି ସମ୍ପୃକ୍ତ ଅଡିଓରେ କହିବା ସହ ବିଜେଡି କୁ ଭୋଟ ନଦେଇ ବିଜେପି ବା କଂଗ୍ରେସକୁ ଦେବା ପାଇଁ କହିଥିବ ଜଣାପଡିଛି । ତେଣୁ ସେଥିପାଇଁ ଯାହା ପଇସା ଲାଗିବ ସେ ବ୍ୟବସ୍ଥା କରାଇ ଦେବେ ବୋଲି ସମ୍ପୃକ୍ତ ବିଜେଡି ସମର୍ଥକଙ୍କୁ କହିଛନ୍ତି । ଆହୁରି କେତେକ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଛନ୍ତି ବିଜେଡି ବିରୋଧରେ, ଯାହାକି ଦଳବିରୋଧୀ କାର୍ଯ୍ୟକୁ ପ୍ରମାଣିତ କରୁଛି ।
ତେଣୁ ଉପ ନିର୍ବାଚନ ବେଳେ ଯେହେତୁ ବିଜେପିକୁ ପରୋକ୍ଷ ସମର୍ଥନ ଯୋଗାଇଥିଲେ ଓ ବିଜେଡି ବିରୋଧରେ କାମ କରିଥିଲେ, ତେଣୁ ସେ ବିଜେଡି ଡେପୁଟେସନ ସାରି ତାଙ୍କ ପୁରୁଣା ଘର ବିଜେପିକୁ ବାହୁଡ଼ି ଯିବେ ବୋଲି ସହରରେ ଚର୍ଚ୍ଚା ।