ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ବୈଠକ ଅନୁଷ୍ଠିତ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ବୈଠକ ଡି ଏମ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆସନ୍ତା ୨୫ ନଭେମ୍ବରରୁ ଜିଲ୍ଲାରେ ଜିଲ୍ଲାରେ ୩୨ଟି ସେବା ସମିତି ମାଧ୍ୟମରେ ୪୧ଟି ଧାନ କ୍ରୟ କେନ୍ଦ୍ରରେ ଧାନ ସଂଗ୍ରହ କରିବା ପାଇଁ ସ୍ଥିର କରାଯାଇଛି। ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଚାଷୀ ପ୍ରତିନିଧି ତଥା ଚାଷୀମାନେ ଧାନ ବିକ୍ରୟ କେନ୍ଦ୍ରରେ ଚାଷୀମାନଙ୍କ ନିମନ୍ତେ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା କରିବା,ଚାଷୀଙ୍କୁ ଆଗୁଆ ବସ୍ତା ଯୋଗାଇଦେବା, ବଳକା ଧାନର ବିକ୍ରି ପାଇଁ ବ୍ୟବସ୍ଥା କରାଯିବା , ଧାନ ବିକ୍ରୟ କ୍ଷେତ୍ରରେ କୌଣସି ଅସୁବିଧା ଉପୁଜିଲେ ତୁରନ୍ତ ଏହାର ସମାଧାନ କରିବା ପାଇଁ ପ୍ରଶାସନ ସମ୍ମୁଖରେ ଦାବି ରଖିଥିଲେ। ସେହିପରି ଜିଲ୍ଲାପାଳ ମଧ୍ୟ ଚାଷୀମାନଙ୍କୁ ମିଲକୁ ଶୁଖିଲା ଓ ପରିଷ୍କାର ଧାନ ଆଣିବାକୁ ପରାମର୍ଶ ଦେବା ସହ ମିଲର ନିଜେ କିମ୍ବା ସେମାନଙ୍କର ପ୍ରତିନିଧି ଉପସ୍ଥିତ ରହିବାକୁ କହିଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ଉମେଶ ଚନ୍ଦ୍ର ସ୍ୱାଇଁ ବୈଠକରେ ଧାନ ସଂଗ୍ରହ ସମ୍ପର୍କିତ ନିର୍ଧାରିତ ନୀତି ନିୟମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।ଚଳିତ ବର୍ଷ ଧାନ ସଂଗ୍ରହ ଶାନ୍ତି ଶୃଙ୍ଖଳାର ସମ୍ପନ୍ନ ପାଇଁ ଆରକ୍ଷୀ ଅଧିକ୍ଷକ ସମସ୍ତଙ୍କର ସହଯୋଗ କାମନା କରିଥିଲେ। 

ବୈଠକରେ ଉପସ୍ଥିତ ରହି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କହିଥିଲେ ଯେ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ନୀତି ନିୟମ ଅନୁଯାୟୀ ଚାଷୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ।  ସୂଚନାଯୋଗ୍ୟ ଯେ, ଜିଲ୍ଲାରେ ୪୧ଟି ଧାନ ସଂଗ୍ରହ କେନ୍ଦ୍ର ଓ ୩୨ଟି ପ୍ୟାକ୍ସ ମାଧ୍ୟମରେ ଚଳିତ ବର୍ଷ ୫୫୮୮୨୩ କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଧାନ ବିକ୍ରୟ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଥିବା ବେଳେ ଚାଷୀମାନେ ଟୋକନ ପାଇବାର ତିରିଶ ଦିନ ମଧ୍ୟରେ ଧାନ ବିକ୍ରୟ କରିବା ଓ ଲଖନପୁର ବ୍ଲକର ଉଣେଇସ ଖଣ୍ଡ ମୌଜାରେ ରାଜସ୍ୱ ଗ୍ରାମର ମାନ୍ୟତା ପାଇ ନଥିବା ଗାଆଁର ଚାଷୀମାନେ ଯେପରି  ଧାନ ବିକ୍ରୀ ପାଇଁ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥି ପ୍ରତି ଦୃଷ୍ଟି ଦେବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏତଦବ୍ୟତୀତ ରାଜ୍ୟ ସରକାରଙ୍କ ଦ୍ବାରା ଦୀପାବଳି ପାଳନ ପାଇଁ ଜାରି ହୋଇଥିବା ନୂଆ ନିୟମାବଳୀକୁ ପାଳନ କରିବାକୁ,ବାଣ ଗଚ୍ଛିତ ନ ରଖିବାକୁ ଏବଂ କେବଳ ଦୀପ ଜଳାଇ ଦୀପାବଳି ପାଳନ କରିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଥିଲା। 

ଆଜିର ଏହି ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ, ବରଗଡ଼ ସାଂସଦଙ୍କ ପ୍ରତିନିଧି ରଘୁନନ୍ଦନ ପଣ୍ଡା, ବ୍ରଜରାଜନଗର ବିଧାୟକ ପ୍ରତିନିଧି ବିଶ୍ୱନାଥ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଲଷ୍ମୀନାରାୟଣ ପଟେଲ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର, ଉପ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ, ସହକାରୀ ଯୋଗାଣ ଅଧିକାରୀ, ଆର ଏମ ସି ସଂପାଦକ,ସମବାୟ ସମିତିର  ଉପନିର୍ବନ୍ଧକ, ଷ୍ଟେଟ ବ୍ୟାଙ୍କ  ଅଫ ଇଣ୍ଡିଆର ମ୍ୟାନେଜର, କୃଷକ ଓ ମିଲ ମାଲିକଙ୍କ ପ୍ରତିନିଧି ଉପସ୍ଥିତ ଥିଲେ। ଶେଷରେ ଉପ ଜିଲ୍ଲାପାଳ ଶିବ ଟପ୍ପୋ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault