ହେଡଲାଇନସ୍:

ସଂକଟରେ ଟ୍ରକ ମାଲିକ, ବେକାର ବସିଛନ୍ତି ହଜାର ହଜାର ଡ୍ରାଇଭର ଓ ସହାୟକ। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲାରେ କୋରୋନା ପରେ ପରେ ସମସ୍ତ ବ୍ୟବସ୍ଥା ଯେପରି ଭୁଷୁଡ଼ି ଯାଇଛି। ବିଭିନ୍ନ କ୍ଷେତ୍ର ଅର୍ଥନୈତିକ ସଂକଟ ଦେଇ ଗତି କରୁଥିବା ବେଳେ ମାଲ ପରିବହନ ଉପରେ ନିର୍ଭର କରୁଥିବା ଟ୍ରକ ମାଲିକମାନେ ମଧ୍ୟ ଅନେକ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ମୂଖ୍ୟତଃ କୋଇଲା ପରିବହନ ଉପରେ ନିର୍ଭର କରୁଥିବା ଏହି ଟ୍ରକ ମାଲିକ ମାନେ ବର୍ତ୍ତମାନ ସଂକଟ ମଧ୍ୟ ଦେଇ ଗତି କରୁଥିବା ଜଣା ପଡ଼ିଛି। 

ଝାରସୁଗୁଡ଼ାରେ ପ୍ରାୟ ୨୫୦୦ ଟ୍ରକ ରହିଛି। ପ୍ରାୟ ୪୦ ହଜାର ଲୋକ ନିଜର ପେଟପାଟଣା ପାଇଁ ଏହି କ୍ଷେତ୍ରରେ ନିର୍ଭର କରନ୍ତି।ମାତ୍ର ଏମସିଏଲ ଟ୍ରେନ ମାଧ୍ୟମରେ ଖଣିରୁ କୋଇଲା ପରିବହନ କରୁଥିବା ଯୋଗୁଁ ଟ୍ରକମାନଙ୍କୁ ରୋଜଗାର ପୁରା ବନ୍ଦ  ହୋଇଯାଇଛି। 

ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର, ଲଖନପୁର,ବନ୍ଧବାହାଲ ଅଞ୍ଚଳରେ ରହିଥିବା ଏମସିଏଲ କୋଇଲା ଖଣିରେ ଦଶନ୍ଧି ଦଶନ୍ଧି ଧରି ଟ୍ରକରେ କୋଇଲା ପରିବହନ କରାଯାଉଛି ଏବଂ ଝାରସୁଗୁଡା, ବ୍ରଜରାଜନଗର, ବେଲପାହଡ,ଗୁମାଡେରା ,ବନ୍ଧବାହାଲ ଓ ଲଖନପୁର ଅଞ୍ଚଳର ହଜାର ହଜାର ପରିବାରର ପେଟପାଟଣାର ଏକମାତ୍ର ପନ୍ଥା ଭାବରେ ମୂଖ୍ୟ ଭୂମିକା ଗ୍ରହଣ କରିଛି। ଏଥି ମଧ୍ୟରେ ସାମିଲ ଅଛନ୍ତି ୨୫୦୦ ଟ୍ରକର ମାଲିକ, ୧୦,୦୦୦ରୁ ଉର୍ଦ୍ଧ୍ଵ ଡ୍ରାଇଭର, ହେଲପର ଓ ଗ୍ୟାରେଜ ଦେଇଥିବା ଲୋକଙ୍କ ପରିବାର। 

କିନ୍ତୁ ଗତ ମାର୍ଚ୍ଚ ମାସଠାରୁ ଏମସିଏଲରୁ ଟ୍ରକରେ କୋଇଲା ପରିବହନର ମାତ୍ରା କମି ଯାଇଥିବା ବେଳେ ରେଳ ଯୋଗେ କୋଇଲା ପରିବହନ ବଢିଛି । ଯାହାଫଳରେ ଟ୍ରକ ମାଲିକଙ୍କୁ ଦୈନିକ ରୋଡ୍ ସେଲରେ ମାଲ ପରିବହନ ପାଇଁ ସୁଯୋଗ ମିଳୁ ନଥିବାରୁ ଟ୍ରକ ବର୍ତ୍ତମାନ ଅକାମୀ ହେବା ଅବସ୍ଥାକୁ ଆସିଯାଇଛି। ଅନେକ ଟ୍ରକ ମାଲିକ ଋଣରେ ଗାଡି ଆଣି ଋଣ ପରିଶୋଧ କରି ନ ପାରି ସମସ୍ୟାରେ ପଡ଼ିଛନ୍ତି । ଅନ୍ୟ ପକ୍ଷରେ ରୋଜଗାର ହରାଇଲେଣି ପ୍ରାୟ ୧୦ ହଜାର ଲୋକ ।ଏମସିଏଲର ଏହି ନୀତିକୁ ବିରୋଧ କରିଛି ମା ସମଲେଶ୍ଵରୀ ଟ୍ରକ ମାଲିକ ସଂଘ ଓ ବ୍ରଜରାଜନଗର କୋଲ୍ ମୁଭର୍ସ୍ ଆସୋସିଏସନ୍ ।ଉଭୟ ସଂଘ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏମସିଏଲ ନିଷ୍ପତ୍ତିର ପୁନର୍ବିଚାର କରି ଯଦି ଉତ୍ପାଦିତ କୋଇଲାର ଶତକଡା ୩୦ ଭାଗ କୋଇଲା ରୋଡସେଲ ପାଇଁ ଅନୁମତି ନଦିଏ ତେବେ ଏମସିଏଲର ଅର୍ଥନୈତିକ ଅବରୋଧ କରିବାକୁ ଘୋଷଣା କରିଛନ୍ତି ।

ଏମସିଏଲ କୋଇଲା ଖଣିରୁ ରୋଡ ସେଲ୍ କୋଇଲା ପରିବହନ ବନ୍ଦ ରହିବାରୁ ଟ୍ରକ ମାଲିକଙ୍କ ମଧ୍ୟରୁ ଅନେକେ ଦେବାଳିଆ ହୋଇ ପଡିଥିବା ବେଳେ ଆହୁରି ଅନେକ ଏହି ବ୍ୟବସାୟ ଉପରେ ନିର୍ଭରଶୀଳ ପରିବାର ଆର୍ଥିକ ଦୁସ୍ଥିତି ଦେଇ ଗତି କରୁଛନ୍ତି । ଗତକାଲି ସଂଧ୍ୟାରେ ଟ୍ରକ ମାଲିକ ମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସମସ୍ତ ଅସୁବିଧା ସଂପର୍କରେ ସୂଚାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସପ୍ତାହକ ମଧ୍ୟରେ ଏହି ଜିଲ୍ଲାରେ ରହିଥିବା ବିଭିନ୍ନ ଶିଳ୍ପସଂସ୍ଥାକୁ ଡାକି ବୈଠକ କରାଇ ସେମାନେ ଟ୍ରେନ୍ ବଦଳରେ ଟ୍ରକରେ କୋଇଲା ପରିବହନ ପାଇଁ କିପରି ରାଜି ହେବେ ତାହା ବୁଝାଇ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।ଏହାସହ ଟ୍ରକ ମାଲିକଙ୍କ ସମସ୍ୟା ଜିଲ୍ଲାର ଏକ ଗୁରୁତର ଆର୍ଥିକ ସମସ୍ୟା ସୃଷ୍ଟି କରୁଥିବା ସ୍ୱୀକାର ମଧ୍ୟ କରିଛନ୍ତି ।

କରୋନା ପାଇଁ ସାରା ଦେଶର ଆର୍ଥିକ ପରିସ୍ଥିତି ଖରାପ ହେଉଥିବା ବେଳେ ଝାରସୁଗୁଡା ଜିଲ୍ଲାର ୨୫ଶହ ଟ୍ରକ ମାଲିକଙ୍କ ଦୁର୍ଗତି ଦେଖାଦେଇଛି ।ଏହି ସମସ୍ୟାର ତୁରନ୍ତ ସମାଧାନ ନହେଲେ ଜିଲ୍ଲାରେ ଅରାଜକତା ବଢ଼ିବା ଆଶଙ୍କା କରାଯାଉଛି ।

0
0
0
s2sdefault