ମହିଳାଙ୍କୁ ସଶକ୍ତ କରିବା ପାଇଁ ଉତ୍କଳ ଆଲୁମିନାର ସମୟୋଚିତ ତଥା ମାହାତ୍ତ୍ୱାକାଂକ୍ଷୀ ପ୍ରକଳ୍ପ "କୌଶଲ୍ୟା"
ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପ୍ର ଏକ ୟୁନିଟ୍ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରୋଜେକ୍ଟ ‘କୌଶଲ୍ୟା’ ଓଡ଼ିଶାର ରାୟଗଡ଼ା ଜିଲାର ୧୫୦ରୁ ଅଧିକ ଗ୍ରାମୀଣ ମହିଳାଙ୍କ ଜୀବନରେ ଅଭୂତପୂର୍ବ ପାର୍ଥକ୍ୟ ଆଣିପାରିଛି ।
ପ୍ରାୟ ୫ବର୍ଷ ଧରି କାର୍ଯ୍ୟକ୍ଷମ ଥିବା ଏହି ପ୍ରକଳ୍ପ ମହିଳାମାନଙ୍କୁ ସିଲେଇ ଏବଂ ଚାନ୍ଦୁଆ ପ୍ରସ୍ତୁତିରେ ତାଲିମ ଦିଆଯାଉଛି । ଏହା ସେମାନଙ୍କୁ ଦୀର୍ଘସୂତ୍ରୀ ଆକାରରେ ଜୀବିକା ଉପାର୍ଜନର ମାଧ୍ୟମ ଯୋଗାଇ ଦେଉଛି । ଏହି ପ୍ରକଳ୍ପ ଦ୍ୱାରା ରାୟଗଡ଼ା ଜିଲାର ଅଣ୍ଡିରାକଞ୍ଚ, ମାଇକଞ୍ଚ, ନୂଆଗାଁ, କାଞ୍ଚଗୁମା ଏବଂ ରଟଚୁଆଁ ଆଦି ଗ୍ରାମର ମହିଳାମାନେ ଉପକୃତ ହୋଇପାରିଛନ୍ତି ।
ଏହି ମହିଳାମାନେ ସିଲେଇରେ ନିପୁଣତା ହାସଲ ନିମନ୍ତେ ସେମାନଙ୍କୁ ଶିକ୍ଷା ଦିଆଯିବା ସହିତ ଏକ ସିଲେଇ ୟୁନିଟ ସ୍ଥାପନ ବାବଦ ଖର୍ଚ୍ଚ ଏବଂ ଉତ୍ପାଦନ ନିମନ୍ତେ ଆବଶ୍ୟକତା ସମ୍ପର୍କରେ ତାଲିମ ପ୍ରଦାନ କରାଯାଉଛି । ଏଥିସହିତ ଉତ୍କଳ ଆଲୁମିନା ଏହି ମହିଳାମାନଙ୍କ ମଧ୍ୟରୁ କେତେକଙ୍କୁ କପଡା ଏବଂ ଅନ୍ୟାନ୍ୟ ସିଲେଇ ସାମଗ୍ରୀ କ୍ରୟ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛି । ଏହି ସିଲେଇ ଉଦ୍ୟୋଗରୁ ପ୍ରତ୍ୟେକ ମହିଳାଙ୍କର ମାସିକ ସର୍ବନିମ୍ନ ଆୟ ୩୦୦୦ ଟଙ୍କାରୁ ୩୫୦୦ ଟଙ୍କା ପର୍ଯ୍ୟନ୍ତ ହେଉଛି । ଜିଲାର ଅତ୍ୟନ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ଏହି ରୋଜଗାର ପରିବାରର ଜୀବନଧାରଣ ମାନରେ ଉନ୍ନତି ଆଣିବା ଦିଗରେ ବିଶେଷ ସହାୟକ ହୋଇପାରୁଛି ।
ପ୍ରଥମେ ଏହି ପ୍ରୟାସର ନେତୃତ୍ୱ ନେଉଥିବା ୟୁନିଟ ହେଡ୍ ଏବଂ ସମ୍ପ୍ରତି ରେନୁକୁଟସ୍ଥିତ ହିଣ୍ଡାଲକୋକୁ ସ୍ଥାନାନ୍ତରିତ ହୋଇଥିବା ଶ୍ରୀ ଏନ ନାଗେଶ କହିଛନ୍ତି, “ ଏହା ଅତ୍ୟନ୍ତ ହୃଦୟକୁ ଛୁଇଁବାଭଳି ଏକ ପ୍ରକଳ୍ପ, କାରଣ ଅର୍ଥନୈତିକ ସ୍ୱାଧୀନତା ଜରିଆରେ ଆମେ ସଂଖ୍ୟାଧିକ ମହିଳାଙ୍କୁ ଏକ ଉନ୍ନତ ଜୀବନ ନିର୍ବାହ କରିବାରେ ସହାୟତା କରିବାରେ ସମର୍ଥ ହୋଇଛୁ । ଏହା ସେମାନଙ୍କ ଆତ୍ମବିଶ୍ୱାସ ଏବଂ ସ୍ୱାଭିମାନରେ ଉଲ୍ଲେଖନୀୟ ବୃଦ୍ଧି ଘଟାଇଛି । ଆମେ ଆଦିତ୍ୟ ବିର୍ଲା ସେଣ୍ଟର ଫର କମ୍ୟୁନିଟି ଇନିସିଏଟିଭ ଆଣ୍ଡ ରୁରାଲ ଡେଭେଲପମେଣ୍ଟର ଚେୟାରପର୍ସନ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଦ୍ୱାରା ବହୁମାତ୍ରାରେ ଉତ୍ସାହିତ ହୋଇଛୁ, ଯିଏ ଆମ ମହିଳାମାନଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ରଖିବା, ସେମାନଙ୍କର ଉତ୍ଥାନ ଏବଂ ସଶକ୍ତ କରିବା ଦିଗରେ ଆମର ନିରବଚ୍ଛିନ୍ନ ପ୍ରୟାସରେ ବିଶ୍ୱାସ କରନ୍ତି ।”
ଅନୁରୂପ ଭାବେ କାଶୀପୁର ବ୍ଲକର ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ସୁଶିଲ କୁମାର ବରଡା କହିଛନ୍ତି, “ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ଉକ୍ରଳ ଏଭଳି ଉତ୍କୃଷ୍ଟ ସେବା ବାସ୍ତବରେ ପ୍ରଶଂସନୀୟ । ଏହାକୁ ଅଧିକ ବୃଦ୍ଧି କରିବା ଉତ୍କଳ ପାଇଁ ଉପଯୁକ୍ତ ହେବ ।”
ସବୁଠାରୁ ଉଲ୍ଲେଖଯୋଗ୍ୟ କଥା ହେଉଛି ଏହି ପ୍ରକଳ୍ପ ଅଧୀନରେ ଉପକୃତ ହୋଇଥିବା ଅଧିକାଂଶ ମହିଳା ସମ୍ପ୍ରତି ଉଦ୍ୟୋଗୀ ହେବା ଏବଂ ସେମାନଙ୍କର ନିଜର ସିଲେଇ ୟୁନିଟ ସ୍ଥାପନ କରିବାକୁ ଆଶା ପୋଷଣ କରିଛନ୍ତି । ଶିଳ୍ପୀ ଉନ୍ନତି ଯୋଜନାରେ ଋଣ ପାଇବା ପାଇଁ ସେମାନଙ୍କୁ ରାୟଗଡାସ୍ଥିତ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ସହିତ ସଂଯୁକ୍ତ କରାଯାଇଛି । କିଛି ମହିଳାଙ୍କୁ ନିଜର ସିଲେଇ ଉଦ୍ୟୋଗ ଆରମ୍ଭ କରିବା ପାଇଁ ଟିକିରି ଆଗ୍ରୋ କ୍ରାଫ୍ଟ ପ୍ରଡ୍ୟୁସରସ କମ୍ପାନୀ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।