ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସମେତ ଏହାର ଆଖପାଖ ତଥା ପୁରପଲ୍ଲୀ ଅଞ୍ଚଳରେ କରୋନା କଟକଣା ଯୋଗୁଁ ନିରାଡ଼ମ୍ବର ଭାବେ ଆରମ୍ଭ ହେଲା କୃଷି ଭିତ୍ତିକ ପର୍ବ ପ୍ରସିଦ୍ଧ ହର ପାର୍ବତୀ ତଥା ଗୌରୀ-ଆମ୍ମା ପୂଜା ।
ପବିତ୍ର କୁମାର-ପୂର୍ଣ୍ଣିମା ସନ୍ଧ୍ୟା ଠାରୁ ଏହି କୃଷି ଭିତ୍ତିକ ପର୍ବ ଆରମ୍ଭ ହୋଇଛି । ପାରମ୍ପରିକ ରୀତି ଅନୁଯାୟୀ ସାମୁହିକ ଭାବେ ମହିଳା ମାନେ ଶଙ୍ଖ-ହୁଳହୁଳିରେ ଧାନ ବିଲରୁ ଧାନଗଛ ଆଣି ଏହି ଧାନଗଛକୁ ଗୋଟିଏ ପାଖରେ ପୂଜାର୍ଚ୍ଚନା ଓ ଆଳତି କାର୍ଯ୍ୟକ୍ରମ ସାରିଥିଲେ । ପରେ ଏକ ପୂଜାପିଢ଼ାରେ ଧାନଗଛକୁ ନେଇ ପୂଜା ପାଇଁ ନନ୍ଦିକେଶ୍ବର ହର-ପାର୍ବତୀ ତଥା ଗୌରୀ ଆମ୍ମା ମୂର୍ତ୍ତି ଆଣିବା ପାଇଁ ମୂର୍ତ୍ତି କାରିଗର ଘରକୁ ଯାଇଥାନ୍ତି ।
ମୂର୍ତ୍ତି କାରିଗର ଘରେ ନନ୍ଦିକେଶ୍ବର ହର-ପାର୍ବତ ତଥା ଗୌରୀ ଆମ୍ମା ମୂର୍ତ୍ତିକୁ ପାରମ୍ପରିକ ରୀତି ଅନୁଯାଇ ପୂଜାପିଢ଼ା ଉପରେ ରଖି ପୂଜାର୍ଚ୍ଚନା ଓ ଆଳତି କରିଥିଲେ ।
ବୃଷଭ ଉପରେ ହର-ପାର୍ବତୀ ଗଣେଶ ଓ ଗଙ୍ଗା ରହିଥାନ୍ତି । ସେହି ମୂର୍ତ୍ତିକୁ ପୂଜାର୍ଚ୍ଚନା କାର୍ଯ୍ୟ ସାରିବା ପରେ ବାହାରକୁ ଆଣିଥାନ୍ତି । ଆଣିବା ବେଳେ ମହିଳା ମାନେ ବାଟରେ ସେମାନଙ୍କ ପିନ୍ଧିଥିବା ଶାଢ଼ୀର କାନିକୁ ତଳେ ବିଛାଇ ଥାଆନ୍ତି , ଯାହାକି ସେହି ଶାଢ଼ୀ କାନିକୁ ଚକୁଡି ନନ୍ଦିକେଶ୍ବର ହର-ପାର୍ବତୀ ଙ୍କ ପୂଜାମୁର୍ତ୍ତିକୁ ଆଣିଥାନ୍ତି ।
ପରେ ଧୂପଦୀପ ଓ ଶଙ୍ଖ ହୁଳହୁଳି ଦେଇ ନିରାଡ଼ମ୍ବର ପଟୁଆରରେ ହର-ପାର୍ବତୀଙ୍କୁ ନେଇ ଏକ ଘରେ ସ୍ଥାପନ କରିଥାଆନ୍ତି । ଏହାକୁ ମହିଳା ମାନେ ପାରମ୍ପରିକ ରୀତି ଅନୁସାରେ ସାମୁହିକ ଭାବେ ଭୋଗରାଗ ଓ ଫଳମୂଳ ଦେଇ ପ୍ରତିଦିନ ପୂଜାର୍ଚ୍ଚନା କରିଥାନ୍ତି । ଏହି ପୂଜା ସାମୁହିକ ଭାବେ ଶକ୍ତି ଓ ସମୟକୁ ଧରି ୭ ଦିନ , ୯ ଦିନ , ୧୧ ଦିନ ଓ ୧୫ ଦିନ ଏହିଭଳି ଭାବେ ରଖି ପୂଜାର୍ଚନା କରିଥାନ୍ତି ଓ ତାପରେ ବିସର୍ଜ୍ଜନ କରିଥାନ୍ତି ।
ପାରମ୍ପରିକ ରୀତି ଅନୁସାରେ ଏ ସମ୍ପର୍କରେ କଥିତ ବିଶ୍ବାସ ରହିଛି ଯେ , ଓଡିଶା-ଆନ୍ଧ୍ର ଉପାନ୍ତ ଅଂଚଳର ତେଲେଗୁ ସମ୍ପ୍ରଦାୟର ଏହା ଏକ ମୁଖ୍ୟ କୃଷି ଭିତ୍ତିକ ପର୍ବ ।
ଏହି ପୂଜା-ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ , ସେମାନେ କରୁଥିବା ବର୍ଷ ସାରା ଧାନଚାଷରେ ଭଲ ଫସଲ ହେବା ସହ ପରିବାର ନିରୋଗ ହୋଇ ସୁଖଶାନ୍ତିରେ ରହିବେ ଏବଂ ସେମାନଙ୍କ ଗାଈଗୋରୁ ଭଲରେ ରହିବେ । ଏହି ପାରମ୍ପରିକ ବିଶ୍ୱାସ ନେଇ ଏହି ପୂଜା ଶତାଧିକ ବର୍ଷ ଧରି ହୋଇ ଆସୁଛି ,କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ହର-ପାର୍ବତୀଙ୍କ ମୂର୍ତ୍ତିକୁ ବାଦ୍ୟ ବଜଣା ଓ ନାଚଗୀତରେ ପ୍ରତିବର୍ଷ ଭଳି ଆଉ ବିଭିନ୍ନ ସାହିବସ୍ତି ପରିକ୍ରମା ହୋଇ ପାରୁନି ଯାହାକି ଅତ୍ୟନ୍ତ ନିରାଡ଼ମ୍ବର ସହକାରେ ପାଳନ କରାଯାଉଛି ବୋଲି ପାରଳାଖେମୁଣ୍ଡି ସ୍ଥିତ ଶେରୀ ସାହିର କୃଷ୍ଣଚନ୍ଦ୍ର ମହାନ୍ତି , ପି:ଭେଙ୍କେଟ ରାଓ , ଜି : ଲକ୍ଷ୍ମୀ ନାରାୟଣ , ଏମ:ଆପ୍ପା ରାଓ ପ୍ରମୁଖ କହିଛନ୍ତି ।