ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ପ୍ରଥମ ଦିନରେ ପିଠାବଟା ଫାଟକ ମଧ୍ୟଦେଇ ୨୫ଟି ଗାଡ଼ିରେ ୧୭୫ ଓ କାଳିଆଣି ଫାଟକ ଦେଇ ୨୧ ଗାଡ଼ିରେ ୧୧୨ ପର୍ଯ୍ୟଟକ ଶିମିଳିପାଳ ବୁଲିଲେ

  • ପର୍ଯ୍ୟଟକମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ କର୍ତ୍ତୃପକ୍ଷ

ବାରିପଦା(ଦିଲ୍ଲୀପ ମହାନ୍ତି )-ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ ୦୧/୧୧/୨୦୨୦ ରବିବାରଠାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲିବା ପରେ  ପ୍ରଥମ ଦିନରେ ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ ମଧ୍ୟଦେଇ  ରେକଡର଼୍ ସଂଖ୍ୟକ ୨୫ଟି ୪ ଚକିଆ ଯାନରେ  ୧୭୫ ଜଣ ପର୍ଯ୍ୟଟକ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥିବା ସମୟରେ ଯଶୀପୁରର କାଳିଆଣି ଫାଟକ ଦେଇ  ୨୧ଟି ୪ ଚକିଆ ଯାନରେ   ୧୧୨ ଜଣ ଏହି ପରି ମୋଟ ୪୬ଟି ଚାରିଚକିଆ ଯାନରେ ୨୮୭ରୁ ଅଧିକ ପର୍ଯ୍ୟଟକ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଛନ୍ତି ଏବଂ ପର୍ଯ୍ୟଟକମାନଙ୍କୁ ପିଠାବଟା ପ୍ରବେଶ ପଥରେ ଆଞ୍ଚଳିକ ବନସଂରକ୍ଷକ ଅରୁଣ କୁମାର ବିଶ୍ୱାଳ, ପିଠାବଟା ରେଞ୍ଜର ଓ ଫରେଷ୍ଟ କର୍ମଚାରୀମାନେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପିଠାବଟା ଫାଟକ ମଧ୍ୟଦେଇ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ରାଜ୍ୟରୁ ଗୋଟାଏ , ପଶ୍ଚିମବଙ୍ଗ ରାଜ୍ୟରୁ ୪ଟି ଓ ଓଡ଼ିଶାରୁ ୨୦ଟି ଗାଡ଼ିରେ ପର୍ଯ୍ୟଟକମାନେ ଶିମିଳିପାଳ ଭ୍ରମଣରେ ଯାଇଥିବାର ଜଣାପଡ଼ିଛି । ସେହିପରି ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ନିମନ୍ତେ କେବଳ ପିଠାବଟା ଓ ଯଶୀପୁର ବୁକିଂ କାଉଣ୍ଟରରୁ ସକାଳ ୬ରୁ ୯ ମଧ୍ୟରେ ପ୍ରଚଳିତ ନୀୟମାବଳୀଗୁଡ଼ିକର ପାଳନ ନିମନ୍ତେ ଲିଖିତନାମା ଜମା କରିବା ପରେ ଅନୁମତି ମିଳିପାରିବ । ନୀୟମାବଳୀ ଖିଲାପ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ।

ପ୍ରତ୍ୟେକ ଦିନ ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ ଦେଇ ୨୫ ଗୋଟି ଓ ଯଶୀପୁର ଫାଟକ ମଧ୍ୟଦେଇ ୩୫ ଗୋଟି ଚାରିଚକିଆ ଯାନକୁ କ୍ରମାନ୍ୱୟରେ ପ୍ରବେଶ ନିମନ୍ତେ ଅନୁମିତି ମିଳିପାରିବ । ଅପରାହ୍ନ ୩ ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ଅପରାହ୍ନ ୪ ପୂର୍ବରୁ ଚହଲା ସ୍ଥାନ ପରିତ୍ୟାଗ କରି ସନ୍ଧ୍ୟା ୫ ମଧ୍ୟରେ ପିଠାବଟା, ତୁଳସୀବଣି ଓ କାଳିଆଣି ପ୍ରସ୍ଥାନ ଫାଟକ ଅତିକ୍ରମ କରିବାକୁ ହେବ । ରାସ୍ତାରେ ଯାନ ଖରାପ ହେଲେ ପର୍ଯ୍ୟଟକମାନଙ୍କୁ ବାରିପଦା ଓ ଯଶୀପୁର ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ଅଗ୍ରୀମ ୪ ହଜାର ଟଙ୍କା ଜମା କରିବା ନିମନ୍ତେ ଗାଡ଼ିଗୁଡ଼ିକର ଚାଳକମାନେ ପ୍ରସ୍ତୁତ ରହିବାକୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି । ଅଭୟାରଣ୍ୟକୁ ସ୍ୱଚ୍ଛ ନିର୍ମଳ ରଖିବା ଲକ୍ଷ ନେଇ ପର୍ଯ୍ୟଟକମାନେ ଭିତରକୁ ପ୍ରବେଶ ସମୟରେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଶ  ଆଦି  ନେବା ଉପରେ କଟକଣା ଜାରି କରାଯାଇଅଛି । ଏଥି ନିମନ୍ତେ ପ୍ରତ୍ୟେକ ଗାଡ଼ିକୁ ତନଖି ନେବାର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଅଭୟାରଣ୍ୟ ମଧ୍ୟରେ ପର୍ଯ୍ୟଟକମାନଙ୍କର ରାତ୍ରି ରହଣି ନିମନ୍ତେ ବଫର ଏରିଆର ଜାମୁଆଣି, ଗୁଡ଼ୁଗୁଡ଼ିଆ, ରାମତୀର୍ଥ, ବରେହିପାଣି ଆଦି ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗାଇ ଦିଆ ଯାଉଥିବା ବେଳେ କୁଆଁରୀଗାଁ ନିକଟରେ ବାଉଁଶରେ ନିର୍ମିତ କଟେଜର ବ୍ୟବସ୍ଥା କରାଯାଇଅଛି । ରାତ୍ରି ଯାପନ ନିମନ୍ତେ ପର୍ଯ୍ୟଟକମାନଙ୍କୁ ୱାବସାଇଟ୍ WWW.ecotourodisha.comରେ ଅଗ୍ରୀମ ଆରକ୍ଷଣ କରିବାକୁ ପଡ଼ିବ । ଏଥି ସହିତ ପର୍ଯ୍ୟଟକମାନେ ଶିମିଳିପାଳ ଭ୍ରମଣ ନିମନ୍ତେ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିତି ନିୟମଗୁଡ଼ିକୁ ପାଳନ କରିବା ସଂଗେ ସଂଗେ ପ୍ରବେଶ ସମୟରେ ପ୍ରତ୍ୟେକ ଯାନରେ ଜଣେ ଲେଖାଏଁ ଗାଇଡ଼କୁ ସାଥୀରେ ନେବା ବାଧ୍ୟତା ମୂଳକ । ସେହିପରି ଶିମିଳିପାଳ ଭ୍ରମଣ ସମୟରେ ପର୍ଯ୍ୟଟକମାନଙ୍କ ନିମନ୍ତେ କରୋନା ମାର୍ଗଦର୍ଶୀକା କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ପ୍ରତ୍ୟେକ ପର୍ଯ୍ୟଟକ ମାସ୍କ ପରିଧାନ ସହ ସର୍ବନିମ୍ନ ସାମାଜିକ ଦୂରତା ରକ୍ଷା କରିବା ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବା ସାଙ୍ଗକୁ ଅଭୟାରଣ୍ୟ ମଧ୍ୟରେ ଥିବା ପ୍ରତ୍ୟେକ ରାତି ରହଣି ସ୍ଥଳରେ ଆଇସୋଲେସନ କୋଠରୀରର ବ୍ୟବସ୍ଥା ଉପଲବ୍ଧ ରହିଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟାଳୟର ଉପ-କ୍ଷେତ୍ର ନିଦେ୍ର୍ଧଶକ ଯଜ୍ଞଦତ୍ତ ପତିଙ୍କ ସୂତ୍ରରୁ ଜଣାପଡ଼ିଛି । 

 

0
0
0
s2sdefault