ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଦଶହରା ପରେ କୁମାରପୂର୍ଣ୍ଣିମା ଅବସରରେ ଦେବୀ ପୀଠ ଗୁଡିକରେ ନୂତନ ଧ୍ବଜାରୋହଣର ପରମ୍ପରା ରହିଛି । ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ ଙ୍କ ରାଜରାଜେଶ୍ବରୀ ବେଶ ସହ ମନ୍ଦିରରେ ଧ୍ବଜା ରୋହଣ ହୋଇଛି। ଆଶ୍ୱିନ ପୂର୍ଣ୍ଣିମାରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଇଥାନ୍ତି ମାଁ। ଏଥର କରୋନା କଟକଣା ଯୋଗୁ ମନ୍ଦିର ବନ୍ଦ ଥିବାରୁ ଏହି ବେଶ କୁ ଭକ୍ତ ସିଧାସଳକ ଦେଖିପାରିବେ ନାହଁ ।
ଦଶହରାରେ ପଶ୍ଚିମ ଓଡିଶାର ଅଧିଷ୍ଟାତ୍ରୀ ଦେବୀ ମାଁ ସମଲେଶ୍ବରୀ ଙ୍କ ନବରାତ୍ର ପରେ ବିଜୟା ଦଶମୀରେ ରଣଜିତା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହା ପରେ କୁମାରପୂର୍ଣ୍ଣିମା ଅବସରରେ ଦେବୀ ମାଁସମଲେଶ୍ଵରୀ ରାଜରାଜେଶ୍ବରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ଏହା ସହ ସନ୍ଧ୍ୟାରେ ସମଲେଶ୍ବରୀ ମନ୍ଦିର ର ନୂତନ ଧ୍ବଜା ରୋହଣ କରାଯାଇଛି । ବଳରାମ ଦେବଙ୍କ ସମୟରୁ ସେବକ ସ୍ବାଇଁ ପରିବାର ସଦସ୍ୟ ପୂଜାର୍ଚ୍ଚନା ପରେ ନୁଆ ଧ୍ବଜା ଲଗାଇଥିଲେ । ତେଵେ ଏଥର ମାଁ ଙ୍କ ଏହି ଶୁଭ ମୁହୁର୍ତ୍ତ କୁ ଭକ୍ତ ପାଖରେ ଦେଖି ପାରିନାହାନ୍ତି ।କରୋନା କଟକଣା ଥିବାରୁ ମନ୍ଦିର ବନ୍ଦ ରହିଛି ।ତେବେ ଭକ୍ତ ମାନେ ମନ୍ଦିର ଗେଟ ବାହାରୁ ଦର୍ଶନ କରିଥିଲେ ।
ମାଁ ସମଲେଶ୍ବରୀ ଙ୍କ ମନ୍ଦିରରୁ ଧ୍ବଜାରୋହଣ ପୁର୍ବରୁ ପୁରୁଣା ଧ୍ବଜାକୁ ଅବତରଣ କରାଯାଇଥାଏ । ବର୍ଷସାରା ମାଁ ଙ୍କ ଶିଖରରେ ଶୋଭା ପାଉଥିବା ପୁରୁଣା ଧ୍ବଜାକୁ ଭକ୍ତ ମାନେ ପୂଜାଘରେ ରଖିଲେ ସଂବୃଦ୍ଧି ଆସେ ବୋଲି ବିଶ୍ବାସ ରହିଛି । ଏହା ସହ ମନ୍ଦିର ପରିସର ଭିତରେ କରୋନା କଟକଣା କୁ ମାନି ବହୁତ କମ ଲୋକ ଙ୍କ ମଧ୍ୟରେ ପାରମ୍ପାରିକ ଆଖଡା ପ୍ରଦର୍ଶନ କରାଯାଇଥିଲା ।ତେଵେ ଏହି ମାଁ ସମଲେଶ୍ବରୀ ଙ୍କ ରାଜରାଜେଶ୍ବରୀ ବେଶ ଓ ଧ୍ବଜାରୋହଣ ଅନଲାଇନ ମାଧ୍ୟମରେ ଭକ୍ତ ଦର୍ଶନ କରିବା ବ୍ୟବସ୍ଥା କରାଯାଇଥିଲା ।
ମାଁ ସମଲେଶ୍ବରୀ ଙ୍କ ଏହି ରାଜରାଜେଶ୍ୱରୀ ବେଶ ଦର୍ଶନ ଓ ଧ୍ବଜା ରୋହଣ, ଅବତରଣ ପାଇଁ ମନ୍ଦିର ପରିସର ରେ ହଜାର ଲୋକ ଙ୍କ ଭିଡ ଜମିଵା ସହ ରାଜ୍ୟ ତଥା ରାଜ୍ୟ ବାହାର ଲୋକ ଆସିଥାନ୍ତି । ହେଲେ ଏଥର କରୋନା ଯୋଗୁ ସବୁ ଫିକା ପଡିଥିଲା ଓ ମାଁ ଠୁ ଭକ୍ତ ଦୂରରେ ରହିଯାଇଛନ୍ତି।