୯୦.୧୬ ପ୍ରତିଶତ ନମ୍ବର ରଖି ହେଲେ ବେଷ୍ଟ ଗ୍ରାଜୁଏଟ୍
ଭୁବନେଶ୍ୱର(ଶାସକ ) : ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ(ଓୟୁଏଟି) ପରିଚାଳିତ ବେସିକ୍ ସାଇନ୍ସ( +୩) ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ ଯାଜପୁର ଜିଲ୍ଲା ବିଞ୍ଝାରପୁରର ଝିଅ ଦୀପ୍ତିପଦ୍ମା ମଲ୍ଲିକ ୯୦.୧୬ ପ୍ରତିଶତ ନମ୍ବର ରଖି ବେଷ୍ଟ ଗ୍ରାଜୁଏଟ୍ ହେବାର ଗୌରବ ଲାଭ କରିଛନ୍ତି ।
ସୂଚନା ମୁତାବକ ଏହି ଶେଷ ବର୍ଷ ପରୀକ୍ଷାରେ ମୋଟ ୨୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୨୦୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୧୮୫ ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୨୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦୀପ୍ତିପଦ୍ମା ପ୍ରଥମ ସ୍ଥାନରେ ପ୍ରଥମ ହୋଇ ବେଷ୍ଟ ଗ୍ରାଜୁଏଟ୍ ହେବାର ଗୌରବ ଲାଭ କରିଛନ୍ତି । ସୂଚନା ଯୋଗ୍ୟ ଯେ,ଦୀପ୍ତିପଦ୍ମା ରାଜ୍ୟ ପଣ୍ୟାଗାର ନିଗମର ଅବସରପ୍ରାପ୍ତ ଅଧିକ୍ଷକ ଓ ସମାଜସେବୀ ଦାମୋଦର ମଲ୍ଲିକ ଏବଂ ପୂର୍ବତନ ମନ୍ତ୍ରୀ ତଥା ଏବର ଶାସକଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କର ଏକମାତ୍ର କନ୍ୟା ଅଟନ୍ତି । ଦୀପ୍ତିପଦ୍ମାଙ୍କର ଏହି କୃତିତ୍ୱରେ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସ୍ରୋତ ଛୁଟୁଥିବା ଜଣାଯାଇଛି । ସମାଜସେବୀ ସ୍ୱାଧୀନ କୁମାର ଦାଶ କୃତୀ ଛାତ୍ରୀ ଦୀପ୍ତିପଦ୍ମାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । ବିଞ୍ଝାରପୁର ନାଗରିକ ମଂଚର ସଭାପତି ରବୀନ୍ଦ୍ର କୁମାର ଧଳ, ବିଞ୍ଝାରପୁର ବ୍ଲକ ଅଧ୍ୟକ୍ଷ ନନ୍ଦକିଶୋର ସାମଲ, ଯୁଣଭଦ୍ରା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସୁନାକର ମହାକୁଳ,ଖରସ୍ରୋତା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସୁବୋଧ କୁମାର ନାୟକ, ଶିକ୍ଷାବିତ୍ ରତନଲାଲ ଭୂୟାଁ, ସମାଜସେବୀ ରବୀନ୍ଦ୍ରକୁମାର ପରିଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ଶିକ୍ଷାବିତ୍ମାନେ ଦୀପ୍ତିପଦ୍ମାଙ୍କୁ ଅଭିନନ୍ଦନ,ଶୁଭେଚ୍ଛା ଓ ଆଶୀର୍ବାଦ ସହିତ ତାଙ୍କର ପରବର୍ତ୍ତୀ ସଫଳତା କାମନା କରିଛନ୍ତି ।