ଓଡ଼ିଶା ସମେତ ପୂର୍ବ ଓ ପୂର୍ବୋତ୍ତର ରାଜ୍ୟଗୁଡ଼ିକୁ ମିଳିବ ଲାଭ
ନୂଆଦିଲ୍ଲୀ (ଶାସକ ପ୍ରଶାସକ)- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି(ସିସିଇଏ) ବିଭିନ୍ନ ପ୍ରକାରର ଝୋଟ ଅଖାରେ ଶତପ୍ରତିଶତ ଖାଦ୍ୟଶସ୍ୟ ଏବଂ 20 ପ୍ରତିଶତ ଚିନି ବାଧ୍ୟତାମୂଳକ ଭାବେ ପ୍ୟାକେଜିଂ କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛି।
ବିଭିନ୍ନ ପ୍ରକାରର ଝୋଟ ଅଖାରେ ଚିନି ପ୍ୟାକ କରିବା ଲାଗି ନିଆଯାଇଥିବା ନିର୍ଣ୍ଣୟ ଫଳରେ ଝୋଟ ଉଦ୍ୟୋଗକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିପାରିବ। ଏହାବ୍ୟତୀତ, ଖାଦ୍ୟଶସ୍ୟ ପ୍ୟାକିଂ ଲାଗି ପ୍ରାରମ୍ଭରେ 10 ପ୍ରତିଶତ ଝୋଟ ଅଖା କ୍ରୟ ଜିଇଏମ ପୋର୍ଟାଲ ମାଧ୍ୟମରେ ରିଭର୍ସ ଅକ୍ସନ କରାଯିବାକୁ ବାଧ୍ୟତାମୂଳକ କରାଯାଇଛି। ଫଳରେ ଧୀରେ ଧୀରେ ଏଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇବ। ସରକାର ଝୋଟ ପ୍ୟାକିଂ ସାମଗ୍ରୀ ଆଇନ, 1987ରେ ବାଧ୍ୟତାମୂଳକ ପ୍ୟାକିଂ ଲାଗି ଉଦ୍ଦିଷ୍ଟ ମାନକକୁ ସମ୍ପ୍ରସାରିତ କରିଛନ୍ତି।
ଯଦି ଝୋଟ ପ୍ୟାକିଂ ସାମଗ୍ରୀ ଯୋଗାଣରେ କୌଣସି ଅଭାବ କିମ୍ବା ବ୍ୟବଧାନ ସୃଷ୍ଟି ହୁଏ ଅଥବା କୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୁଏ ତା’ହେଲେ ଅନ୍ୟ ମନ୍ତ୍ରଣାଳୟଗୁଡ଼ିକ ସହିତ ମିଶି ବୟନ ଶିଳ୍ପ ମନ୍ତ୍ରଣାଳୟ ବ୍ୟବସ୍ଥାକୁ କୋହଳ କରିପାରିବ ଏବଂ ଖାଦ୍ୟଶସ୍ୟର ସର୍ବାଧିକ 30 ପ୍ରତିଶତ ପ୍ୟାକିଂ ଲାଗି ନିଷ୍ପତ୍ତି ନେଇପାରିବ।
ଝୋଟ କ୍ଷେତ୍ର ଉପରେ ପାଖାପାଖି 3.7 ଲକ୍ଷ ଶ୍ରମିକ ଏବଂ ଲକ୍ଷ ଲକ୍ଷ କୃଷକ ପରିବାରଙ୍କ ଜୀବିକା ନିର୍ଭର କରିଥାଏ। ଏହାକୁ ଦୃଷ୍ଟିରେ ରଖି ସରକାର ଏହି କ୍ଷେତ୍ରର ବିକାଶ ଲାଗି ବେଶ ସଂଗଠିତ ପ୍ରୟାସ କରୁଛନ୍ତି। ଯେଉଁଥିରେ କଞ୍ଚା ଝୋଟ ଉତ୍ପାଦନ ଓ ମାତ୍ରା ବଢ଼ାଇବା, ଝୋଟ କ୍ଷେତ୍ରର ବିବିଧିକରଣ ଏବଂ ଝୋଟ ଉତ୍ପାଦର ନିରନ୍ତର ଚାହିଦାକୁ ପ୍ରୋତ୍ସାହନ ଦେବା ଆଦି ସାମିଲ ରହିଛି।
ଲାଭ :
ସରକାରଙ୍କ ଏହି ଅନୁମତି ଫଳରେ ଦେଶର ପୂର୍ବ ଏବଂ ପୂର୍ବୋତ୍ତର ରାଜ୍ୟ ବିଶେଷ କରି ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଆସାମ, ଆନ୍ଧ୍ରପ୍ରଦେଶ, ମେଘାଳୟ ଓ ତ୍ରିପୁରାର କୃଷକ ଓ ଶ୍ରମିକମାନଙ୍କୁ ଲାଭ ମିଳିପାରିବ।
ଝୋଟ ସାମଗ୍ରୀ (ପ୍ୟାକିଂ ସାମଗ୍ରୀ ରେ ବାଧ୍ୟତାମୂଳକ ଉପଯୋଗ) ଆଇନ 1987, (ଜେପିଏମ ଆଇନ) ଅନ୍ତର୍ଗତ କେତେକ ବିଶେଷ ସାମଗ୍ରୀର ପ୍ୟାକିଂ ଲାଗି ଝୋଟର ବାଧ୍ୟତାମୂଳକ ଉପଯୋଗ ବିଷୟରେ ଉଲ୍ଲେଖ କରାଯାଇଛି। ଏହି କ୍ଷେତ୍ରରେ କାର୍ଯ୍ୟରତ ଲୋକମାନଙ୍କର କଲ୍ୟାଣ ଲାଗି ଏହା କରାଯାଇଛି। ବର୍ତ୍ତମାନର ପ୍ରସ୍ତାବରେ ପ୍ୟାକିଂର ଯେଉଁ ମାନକ ନିର୍ଦ୍ଧାରଣ କରାଯାଇଛି ତାହା ଦ୍ୱାରା ମଧ୍ୟ ଦେଶରେ କଞ୍ଚା ଝୋଟର ଘରୋଇ ଉପଯୋଗ ଏବଂ ଝୋଟର ପ୍ୟାକିଂ ସାମଗ୍ରୀକୁ ମଧ୍ୟ ପ୍ରୋତ୍ସାହନ ମିଳିବ। ଏହା ଦ୍ୱାରା ଦେଶ ଆତ୍ମନିର୍ଭର ଭାରତ ଦିଗରେ ଆଗକୁ ବଢ଼ିବାରେ ସହାୟତା ମିଳିବ।
ଝୋଟ ଉଦ୍ୟୋଗ ମୁଖ୍ୟତଃ ସରକାରୀ କ୍ଷେତ୍ର ଉପରେ ନିର୍ଭରଶୀଳ। ପ୍ରତିବର୍ଷ ଖାଦ୍ୟଶସ୍ୟ ପ୍ୟାକିଂ ଲାଗି ସରକାର 7500 କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ଝୋଟ ଅଖା କ୍ରୟ କରିଥାନ୍ତି। ଏହା ଝୋଟ କ୍ଷେତ୍ରର ଚାହିଦାକୁ ଜାରି ରଖିବା ଏବଂ ଏହି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ଓ କୃଷକମାନଙ୍କୁ ଜୀବିକା ସହାୟତା ଦେବା ଦିଗରେ ଏକ ବଡ଼ ପଦକ୍ଷେପ।
ଝୋଟ କ୍ଷେତ୍ରକୁ ମିଳୁଥିବା ଅନ୍ୟାନ୍ୟ ସହାୟତା:
ସରକାର କଞ୍ଚା ଝୋଟର ଉତ୍ପାଦକତା ଓ ଗୁଣବତ୍ତାରେ ସୁଧାର ଆଣିବା ଲାଗି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଝୋଟ ଆଇସିଏଆରଇର ପ୍ରସ୍ତୁତ କରିଛନ୍ତି। ଏହାର ଅନ୍ତର୍ଗତ ସରକାର ବିଭିନ୍ନ ପ୍ରକାରର କୃଷି ପଦ୍ଧତି ଉପଲବ୍ଧ କରାଇ ଦୁଇ ଲକ୍ଷ ଝୋଟ ଚାଷୀଙ୍କୁ ସହାୟତା ପ୍ରଦାନ କରୁଛନ୍ତି। ଏଥିରେ ବିହନର ଧାଡ଼ି ରୁଆ, ହ୍ୱିଲ ହୋଇଂ ଏବଂ ନେଲ ୱିଡରର ଉପଯୋଗ କରି ଫସଲ ଉତ୍ପାଦନ ବ୍ୟବସ୍ଥା କରିବା ଏବଂ ଗୁଣବତ୍ତାଯୁକ୍ତ ପ୍ରମାଣିତ ବିହନ ବିତରଣ କରିବା ତଥା ସୂକ୍ଷ୍ମ ଜୀବଗୁଡ଼ିକ ସହାୟତାରେ କଞ୍ଚା ଝୋଟ ଶଢ଼ାଇବା ପ୍ରକ୍ରିୟା ସାମିଲ ରହିଛି। ସରକାରଙ୍କ ଏହି ମଧ୍ୟବର୍ତ୍ତୀ ପ୍ରୟାସ ଫଳରେ କଞ୍ଚା ଝୋଟର ଗୁଣବତ୍ତା ଏବଂ ଉତ୍ପାଦନରେ ଯଥେଷ୍ଟ ବୃଦ୍ଧି ହୋଇଛି। ଝୋଟ ଚାଷୀମାନଙ୍କର ଆୟ ବୃଦ୍ଧି ପାଇଁ ପ୍ରତି ହେକ୍ଟର 10,000 ଟଙ୍କାରେ ପହଞ୍ଚିଛି।
ନିକଟରେ ଭାରତୀୟ ଝୋଟ ନିଗମ ବାଣିଜ୍ୟିକ ଆଧାରରେ 10,000 କୁଇଣ୍ଟାଲ ପ୍ରମାଣିତ ବିହନ ବିତରଣ ଲାଗି ଜାତୀୟ ବିହନ ନିଗମ ସହିତ ବୁଝାମଣା କରିଛି। ବୈଷୟିକ ଉନ୍ନତିକରଣ ଏବଂ ପ୍ରମାଣିତ ବିହନର ବିତରଣ ଫଳରେ ଝୋଟ ଫସଲର ଗୁଣବତ୍ତା ଏବଂ ଉତ୍ପାଦକତା ବୃଦ୍ଧି ପାଇବ ଏବଂ ଏହାଫଳରେ କୃଷକମାନଙ୍କ ଆୟ ବଢ଼ିବ।
ଝୋଟ କ୍ଷେତ୍ରର ବିବିଧିକରଣକୁ ପ୍ରୋତ୍ସାହନ ଦେବାକୁ ଦୃଷ୍ଟିରେ ରଖି ଜାତୀୟ ଝୋଟ ବୋର୍ଡ ପକ୍ଷରୁ ରାଷ୍ଟ୍ରୀୟ ଡିଜାଇନ ସଂସ୍ଥାନ ସହିତ ଏକ ବୁଝାମଣା କରାଯାଇଛି। ଏହାର ଅନ୍ତର୍ଗତ ଗାନ୍ଧୀ ନଗର ଠାରେ ଏକ ଝୋଟ ଡିଜାଇନ ପ୍ରକୋଷ୍ଠ ଖୋଲାଯିବ। ଏହାବ୍ୟତୀତ, ବିଭିନ୍ନ ରାଜ୍ୟ ସରକାର ବିଶେଷ କରି ଉତ୍ତରପୂର୍ବାଞ୍ଚଳ କ୍ଷେତ୍ରରେ ଝୋଟ ଜିଓ ଟେକ୍ସଟାଇଲ ଏବଂ ଆଗ୍ରୋ ଟେକ୍ସଟାଇଲକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଛି। ଏଥିରେ ସଡ଼କ ପରିବହନ ଏବଂ ଜଳ ସମ୍ପଦ ମନ୍ତ୍ରଣାଳୟର ମଧ୍ୟ ସହଭାଗିତା ରହିଛି।
ଝୋଟ କ୍ଷେତ୍ରରେ ଚାହିଦା ବଢ଼ାଇବା ଲାଗି ସରକାର ବାଂଲାଦେଶ ଓ ନେପାଳରୁ ଝୋଟ ସାମଗ୍ରୀ ଆମଦାନୀ ଉପରେ ଆଣ୍ଟି-ଡମ୍ପିଂ ଶୁଳ୍କ ଲାଗୁ କରିଛନ୍ତି ଏବଂ ଏହା 5 ଜାନୁଆରୀ, 2017 ଠାରୁ ଲାଗୁ ହୋଇଛି।
ଝୋଟ କ୍ଷେତ୍ରରେ ପାରଦର୍ଶିତାକୁ ପ୍ରୋତ୍ସାହନ ଦେବା ଲାଗି ସରକାର 2016 ଡିସେମ୍ବରରେ ଝୋଟ ସ୍ମାର୍ଟ ଇ-କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଯେଉଁଥିରେ ବି-ଟି ୱିଲ କିସମର ଅଖା କିଣିବା ଲାଗି ସରକାରୀ ଏଜେନ୍ସିଗୁଡ଼ିକ ଏକ ସମନ୍ୱିତ ପ୍ଲାଟଫର୍ମ ଉପଲବ୍ଧ କରାଇଛନ୍ତି। ଏହାବ୍ୟତୀତ, ଭାରତୀୟ ଝୋଟ ନିଗମ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ବାଣିଜ୍ୟିକ ଅଭିଯାନ ଅନ୍ତର୍ଗତ ଝୋଟର ଅନଲାଇନ କ୍ରୟ ଲାଗି ଝୋଟ ଚାଷୀମାନଙ୍କୁ 100 ପ୍ରତିଶତ ଅର୍ଥରାଶି ହସ୍ତାନ୍ତର କରୁଛି।