ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ନବନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଭରତ ଅୱସ୍ତିଙ୍କୁ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ତରଫରୁ ସମ୍ବର୍ଦ୍ଧନା ଜଣାଇ ଏକ ସଭାର ଆୟୋଜନ କରାଯାଇଥିଲା। ନବକିଶୋର ଦାସଙ୍କ ବିଜେଡି ଦଳକୁ ଚାଲିଯିବା ପରେ ଦୁର୍ବଳ ହୋଇ ପଡ଼ିଥିବା କଂଗ୍ରେସର ସାଂଗଠନିକ ଶକ୍ତିକୁ ବଳବତ୍ତର କରିବା ପାଇଁ ନିଶ୍ଚିତ ଭାବରେ ନବ ନିଯୁକ୍ତ ସଭାପତିଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ, ଏଥିରେ ସନ୍ଦେହ ନାହିଁ।
ଆଜିର ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡ଼ା ବିଧାନସଭାର ସମ୍ଭାବିତ ପ୍ରାର୍ଥୀ ମହେନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ସଭାପତିତ୍ବ କରିଥିଲେ ଆଦିବାସୀ ନେତା ପ୍ରଭାକର ଓରାମ। ନୂତନ ଜିଲ୍ଲା ସଭାପତି ଶ୍ରୀ ଅୱସ୍ତି ଏହି ଅବସରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ କଂଗ୍ରେସ ପରିବାରର ସମସ୍ତ ପୁରୁଣା ସଭ୍ୟଙ୍କୁ ଏକତ୍ର କରିବା ପାଇଁ ଚେଷ୍ଟା ଜାରି ରଖିବେ ବୋଲି କହିଥିଲେ। ଏହା ବ୍ୟତୀତ ଯୁବପିଢ଼ି, ଛାତ୍ରଛାତ୍ରୀଙ୍କୁ ମଧ୍ୟ କଂଗ୍ରେସ ଦଳ ସହ ଯୋଡ଼ିବା କାର୍ଯ୍ୟକ୍ରମ କରାଯିବ ଓ ଝାରସୁଗୁଡ଼ା ଜିଲ୍ଲାର ଲୋକଙ୍କ ସମସ୍ୟା ପାଇଁ କଂଗ୍ରେସର ଲଢ଼େଇ ଅନବରତ ଭାବରେ ଚାଲିବ ବୋଲି ସେ ଦୃଢ଼ତାର ସହ କହିଥିଲେ।
ଏହି ସଭାରେ ସଞ୍ଜୟ ମହାପାତ୍ର, ଶ୍ରୀମତ୍ରୀ ପ୍ରଦୀପ୍ତା ପାତ୍ର, ସିଆରାମ ଦାସ, ପ୍ରଶାନ୍ତ ତ୍ରିପାଠୀ, ଫକୀର ନାଏକ, କୃଷ୍ଣ ଚନ୍ଦ୍ର ଭୋଇ, ଜାହାରୁଲ ମୁସ୍ତାଫା ୱାରିସ,ସୁବ୍ରତ ପ୍ରଧାନ, ଲିଙ୍ଗରାଜ ବଢ଼େଇ, ଗୁଡୁ ଦାସ, ଅଶ୍ୱିନୀ ବିଶ୍ୱାଲ, ଗଂଗା ହୋତା,ରାଜେଶ ସହିସ, ଶାହାରୁଖ ଖାନ, ରାହୁଲ ଠାକୁର, ଭଗିରଥ ପାତ୍ର,ଚିକୁ ଗାନ୍ଧୀ, ପ୍ରମୁଖଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ ଯେ ଝାରସୁଗୁଡ଼ା ଜିଲ୍ଲାରେ କଂଗ୍ରେସକୁ ପୁନର୍ବାର ମଜଭୁତ କରିବା ଯେ କୌଣସି ନେତୃତ୍ୱ ପକ୍ଷରେ ସହଜ ହେବ ବୋଲି ମନେ ହେଉନାହିଁ। ଏକ ପକ୍ଷରେ କଂଗ୍ରେସ ଦଳ ପ୍ରତି ରାଷ୍ଟ୍ରୀୟ ସ୍ତରରେ ଆସ୍ଥା ୨୦୧୪ ନିର୍ବାଚନ ପରେ ଅନେକ ପରିମାଣରେ କମିବା ପରେ ଝାରସୁଗୁଡ଼ାରେ ମଧ୍ୟ ତାର ପ୍ରତିଫଳନ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ କଂଗ୍ରେସ ଦଳକୁ ସିଢ଼ି କରି ରାଜନୀତିରେ ସଫଳତା ହାସଲ କରିଥିବା ନେତୃତ୍ୱମାନେ ଅବସରବାଦିତାର ଉଦାହରଣ ଦେଇ ଅନ୍ୟ ଦଳକୁ ଚାଲିଯାଇଥିବାରୁ ଦଳର ସାଂଗଠନିକ ଶକ୍ତିରେ ଅନେକ କ୍ଷତି ହୋଇଛି। ତୁଙ୍ଗନେତାଙ୍କ ଦଳବଦଳ ନୀତି ସାଧାରଣ କର୍ମୀଙ୍କୁ ନିରୁତ୍ସାହିତ କରିବା ସଙ୍ଗେ ସଙ୍ଗେ କଂଗ୍ରେସ ପ୍ରତି ବିମୁଖ କରିଛି। ଏହିପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଦଳକୁ ତୃଣମୂଳ ସ୍ତରରେ କିପରି ମଜଭୁତ କରାଯାଇ ପାରିବ ଏବଂ ସାଂଗଠନିକ ଶକ୍ତିର ପୁନରୁତ୍ଥାନ ନିମନ୍ତେ ନବ ନିଯୁକ୍ତ ସଭାପତି କେଉଁ ନୀତି ଅବଲମ୍ବନ କରିବେ, ତାହା ଦେଖିବା ବାକି ରହିଲା ବୋଲି ଚିନ୍ତାଶୀଳ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି।