ହେଡଲାଇନସ୍:

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମର୍ଯ୍ୟାଦା :ମୌସୁମୀ ଅଧିବେଶନରେ ଗୃହୀତ ହେଉ ସର୍ବସମ୍ମତ ପ୍ରସ୍ତାବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସର୍ବସମ୍ମତି ନିର୍ଦ୍ଧାରଣ ଗ୍ରହଣ କରିବାକୁ ଭାଷା ଆନ୍ଦୋଳନ ଓଡିଶା ପକ୍ଷରୁ ଅନୁରୋଧ  

ଭୁବନେଶ୍ୱର :  ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ  ରାଜ୍ୟ "ଓଡିଶା" I   ସ୍ୱତନ୍ତ୍ର ରାଜ୍ୟ ଗଠନର ଦୀର୍ଘ ଦିନପରେ ଭାଷା ଆନ୍ଦୋଳନ, ଓଡ଼ିଶାର ଦୀର୍ଘ ଆନ୍ଦୋଳନ ଫଳରେ ବିଧାନ ସଭାରେ ସର୍ବସମ୍ମତ୍ତି  କ୍ରମେ 19/09/2018ରେ, ଓଡ଼ିଆ ଭାଷାରେ ଓଡିଶା ଶାସନ ପାଇଁ ପଥ  ପରିସ୍କାର ହୋଇପାରିଥିଲା I  1954 ମସିହାରେ ପାରିତ ଭାଷା ଆଇନ ସଂଶୋଧିତ ହେଇ ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ମିଳିଲା I  କେବଳ ସେତିକି ନୁହେଁ, ଏହି ଆଇନ କାର୍ଯ୍ୟକାରୀ କରିବା ପାଇଁ 13/08/2019ରେ ନିୟମାବଳୀ ମଧ୍ୟ ପ୍ରଣୀତ ହୋଇ ଖିଲାପକାରୀଙ୍କୁ ଦଣ୍ଡବିଧାନର ବ୍ୟବସ୍ଥା କରାଗଲା | ଏହି ପ୍ରେକ୍ଷାପଟରେ, ଓଡ଼ିଶୀ ସଙ୍ଗୀତକୁ ମଧ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା  ପ୍ରଦାନ ପାଇଁ ଭାଷା ଆନ୍ଦୋଳନ, ଓଡିଶା ପକ୍ଷରୁ  2017 ମସିହାରୁ ଉଦ୍ୟମ ଜାରି ରହିଛି |  ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ମର୍ଯ୍ୟାଦା  ପାଇବା ପାଇଁ କାହିଁକି ଯୋଗ୍ୟ, ତାହା ଉପରେ ସବିଶେଷ, ଉପାଦେୟ, ତଥ୍ୟ ଭିତ୍ତିକ, ଗବେଷଣାଲବ୍ଧ ପୁସ୍ତକ  ଡ଼ କୀର୍ତନ ନାରାୟଣ ପାଢ଼ୀଙ୍କ ଦ୍ୱାରା ଲିଖିତ The Classicality of Odishi Music ଲୋକାର୍ପଣ କରାଯାଇଥିଲା I  ତା 22/08/2017ରିଖ ଦିନ  ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ପୁସ୍ତକଟିକୁ ଉନ୍ମୋଚନ କରିଥିଲେ I ଏହି ଅବସରରେ ଭାଷା ଆନ୍ଦୋଳନ, ଓଡିଶା ପକ୍ଷରୁ ଦାବି ଉପସ୍ଥାପନ କରିଯାଇଥିଲା ଯେ ରାଜ୍ୟସରକାର ଏହା ଉପରେ ତୁରନ୍ତ ସ୍ୱତନ୍ତ ଧ୍ୟାନ ଦିଅନ୍ତୁ I  ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ପୁସ୍ତକର ଲେଖକ  ଡ଼ କୀର୍ତନ ନାରାୟଣ ପାଢ଼ୀ , ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଗଣେଶ ପ୍ରସାଦ ଦାସ,ପ୍ରଫେସର ରଘୁନାଥ ପଣ୍ଡା, ଦୂରଦର୍ଶନର ରବୀନ୍ଦ୍ର ନାଥ ମିଶ୍ର ଓ  ଭାଷା ଆନ୍ଦୋଳନ, ଓଡିଶାର ଆବାହକ ପବିତ୍ର ମହାରଥା ତଥା ଅନ୍ୟମାନେ ଉପସ୍ଥିତ ଥିଲେ |  ପର୍ଯ୍ୟାୟ କ୍ରମେ ବିଭିନ୍ନ ସମୟରେ ଆଲୋଚନା ଚାଲିଥିବା ବେଳେ 13/08/2019ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶଦାତା ଆର. ବାଲକ୍ରିଷ୍ଣଙ୍କ ସହ ବ୍ୟାପକ ଭାବେ ଆଲୋଚନା ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କର  ପ୍ରତିଶୃତିକୁ ମନେ ପକାଇ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଅନୁରୋଧ କରାଯାଇଥିଲା | ସେହି ଆଲୋଚନାରେ ଗବେଷକ ଡ଼ କୀର୍ତନ ନାରାୟଣ ପାଢ଼ୀ, ଗୁରୁ ଗୋପାଳ ପଣ୍ଡା, ସଙ୍ଗୀତଜ୍ଞ ସଂଗୀତା ପଣ୍ଡା ଏବଂ ଭାଷା ଆନ୍ଦୋଳନ ପକ୍ଷରୁ ପବିତ୍ର ମହାରଥା ପ୍ରମୁଖ ଉପସ୍ଥିତ ଥିଲେ | ପୁନର୍ବାର 14/08/2019 ରିଖରେ ଏମାନଙ୍କର ସହିତ ବିଭାଗୀୟ ମୁଖ୍ୟଙ୍କ ସହ  ସଂସ୍କୃତି ବିଭାଗ ପ୍ରମୁଖ ଶାସନ  ସଚିବ  ମନୋରଂଜନ ପାଣିଗ୍ରାହୀ ମଧ୍ୟ ଯୋଗ ଦେଇଥିଲେ ଓ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ନିଷ୍ପତ୍ତି  ନିଆଯାଇଥିଲା | ଏଥିରେ ଡ଼ କୀର୍ତନ ନାରାୟଣ ପାଢ଼ୀ ଓ  ଜାନକୀଶ ବଡ଼ପଣ୍ଡାଙ୍କ ଭୂମିକା ଗୁରୁତ୍ୱପୂର୍ଣ |  ଫଳରେ ସେପ୍ଟେମ୍ବର 02, 2020ରେ ରାଜ୍ୟ  ଐତିହ୍ୟ କ୍ୟାବିନେଟ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାପାଇଁ କେନ୍ଦ୍ରକୁ ଅନୁରୋଧ କରି ଏକ ସଂକଳ୍ପ ପାରିତ କରିଥିଲେ I

2,500 ବର୍ଷରୁ ଅଧିକ ସମୟ ପାଇଁ ଓଡ଼ିଶୀ ସଙ୍ଗୀତର ଦୀର୍ଘ ପରମ୍ପରା, ସମୃଦ୍ଧ ଉତ୍ତରାଧିକାରୀ, ସମ୍ପନ୍ନ ଐତିହ୍ୟ ଏବଂ ଲିଖିତ ଇତିହାସ ରହିଛି | ରାଜା ରାଜୁଡାଙ୍କ ଦରବାର ଏବଂ ସରକାରଙ୍କ ପୃଷ୍ଠପୋଷକତା ହେତୁ ଏହା ବିକଶିତ ହୋଇ ଅଭିବୃଦ୍ଧି ହାସଲ କରିଛି। ଏଥିରେ ଲିପିବଦ୍ଧ ପ୍ରମାଣ ଏବଂ କଳା-ସ୍ଥାପତ୍ୟ ଏବଂ ମୂର୍ତ୍ତିକଳାର ଚମତ୍କାରତା ଅଛି | ଏହା ଶାସ୍ତ୍ରୀୟ ଓଡିଆ ଭାଷାରେ ରଚିତ ନାଟକ ଏବଂ ଗୀତି  ସାହିତ୍ୟ ଉପରେ ପ୍ରଭାବ ପକାଇଛି | ଓଡ଼ିଶୀ ସଂଗୀତ ତତ୍ତ୍ୱଗତ ନିୟମ ଏବଂ ବ୍ୟାକରଣଗତ ନିୟମ ପାଳନ କରେ | ସର୍ବୋପରି, ଶ୍ରୋତାମାନଙ୍କ ହୃଦୟରେ ଚିତ୍ତାକର୍ଷକ ପ୍ରଭାବ ସୃଷ୍ଟି କରୁଥିବା ଉନ୍ନତମାନର  ନିତ୍ୟନୂତନ ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ ଆବେଦନ ହେତୁ ଉଚ୍ଚ ମାନର ନିୟମିତ ଗାୟନ ଏବଂ କ୍ରମାଗତ ପ୍ରଦର୍ଶନ ଜାରି ରହିଛି |

ଅତୀତରେ ବିଶିଷ୍ଟ ଗାୟକ, ଗୁରୁ ଏବଂ ସଙ୍ଗୀତ-ବିଦ୍ୱାନମାନଙ୍କର ଏକ ଦଳ 19 ଜୁନ୍, 2007 ରେ ଓଡିଶୀ ସଙ୍ଗୀତର ଶାସ୍ତ୍ରୀୟ ଵୈଶିଷ୍ଟ୍ୟ ଆଧାରରେ ଏକ ସଂକ୍ଷିପ୍ତ ବିବରଣୀ ସଂଲଗ୍ନକରି ଆବେଦନପତ୍ର  ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ଏବଂ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ। ଅନୁରୋଧକୁ ଯୋଗ୍ୟତାର ମାପକାଠିରେ ବିଚାର କରି ରାଜ୍ୟ ସରକାର 29 ଫେବୃଆରୀ 2008ରେ ଓଡ଼ିଶୀ  ସଂଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ଭାବରେ ଘୋଷଣା କରିଥିଲେ ହେଁ ବାସ୍ତବରେ କିଛି ହୋଇନଥିଲା l ଯଦିଓ ଓଡ଼ିଶୀ ନୃତ୍ୟକୁ ଦେଶର ଅନ୍ୟତମ ଶାସ୍ତ୍ରୀୟ ନୃତ୍ୟର  ମାନ୍ୟତା ଦିଆଯାଇଛି ଏବଂ ଏହାର ଚରିତ୍ର, ଭଙ୍ଗୀ, ଠାଣୀ, ଲାଳିତ୍ୟ ଓ ମୁଦ୍ରା ଇତ୍ୟାଦି ହେତୁ ପ୍ରଖ୍ୟାତି ପାଇପାରିଛି, ବିଡମ୍ବନାର ବିଷୟ, ଓଡ଼ିଶୀ ସଙ୍ଗୀତକୁ ଜାତୀୟ ସ୍ତରରେ ସଂଗୀତର ଅନ୍ୟତମ ଶାସ୍ତ୍ରୀୟ ରୂପ ଭାବରେ ସ୍ୱୀକୃତି ଦିଆଯାଇ ନାହିଁ |

ରାଜ୍ୟ  ଐତିହ୍ୟ କ୍ୟାବିନେଟ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାପାଇଁ କେନ୍ଦ୍ରକୁ ଅନୁରୋଧ କରି ଏକ ସଂକଳ୍ପ ପାରିତ କରିବାପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ତଥା ଦେଶର ସଙ୍ଗୀତପ୍ରେମୀଙ୍କ ଦୀର୍ଘ ଦିନର ସ୍ୱପ୍ନକୁ ପୂରଣ କରିବା ପାଇଁ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ମାନ୍ୟବର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ସିଂ ପଟେଲଙ୍କୁ ଲେଖିଥିବା ଚିଠିରେ ସେ ଓଡ଼ିଶୀ ସଙ୍ଗୀତ (ଉଭୟ କଣ୍ଠଦାନ ଏବଂ ବାଦ୍ୟଯନ୍ତ୍ର) କୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା  25.9.2020 ରେ ଲେଖାଯାଇଥିବା ଚିଠିଟି ଦୀର୍ଘ ପ୍ରତିକ୍ଷୀତ ସମ୍ମାନ ପାଇବା ପାଇଁ ଏକ ବଳିଷ୍ଠ ପଦକ୍ଷେପ । ଏହା ଥିଲା ଓଡ଼ିଶା ଏବଂ ଦେଶର ସଙ୍ଗୀତପ୍ରେମୀଙ୍କ ସମେତ ଭାଷା ଆନ୍ଦୋଳନ, ଓଡ଼ିଶାର ଦାବୀ ଓ ବହୁଦିନର ସ୍ୱପ୍ନ |

'ବନ୍ଦେ ଉତ୍କଳ ଜନନୀ'କୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ପାଇଁ ଓଡିଶା ବିଧାନସଭା ଅତୀତରେ ମହତ୍ୱପୂର୍ଣ  ଭୂମିକା ନେଇଥିଲେ ଏବଂ ପୂର୍ବତନ  ବାଚସ୍ପତି ସ୍ୱର୍ଗୀୟ ଯୁଧିଷ୍ଠିର ଦାସ, ଶରତ କୁମାର କର ଏବଂ ମହେଶ୍ୱର ମହାନ୍ତି ଏଥିପାଇଁ ଅନେକ ପ୍ରଚେଷ୍ଟା କରିଥିଲେ l ସେମାନଙ୍କ ମହତ୍ ଅବଦାନ ପାଇଁ ସେମାନଙ୍କ ନାମ  ସୁବର୍ଣ୍ଣ ଅକ୍ଷରରେ ଲେଖାଯାଇଛି। ସମସ୍ତ ଓଡିଆ ଏମାନଙ୍କର ନାମକୁ ସମ୍ମାନ ଏବଂ କୃତଜ୍ଞତା ସହିତ ମନେ ରଖିବେ | ଏବେ ଓଡିଶା ବିଧାନସଭା ପାଇଁ ସର୍ବସମ୍ମତି କ୍ରମେ ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟ ମାନ୍ୟତା ମିଳିବାପାଇଁ ପଦକ୍ଷେପ ଗ୍ରହଣ କରିବାର ଏକ ସୁବର୍ଣ୍ଣ ସୁଯୋଗ ଆସିଛି l  ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନେତୃତ୍ୱ ନେଇଛନ୍ତି l ବିଧାନ ସଭାର ପବିତ୍ର ଗୃହରେ ଏକ ସଂକଳ୍ପ ପାରିତ ହେବା ପାଇଁ ବର୍ତ୍ତମାନ ଏକ ମହାର୍ଘ ମୁହୂର୍ତ୍ତ ଆସିଛି l  ଯେତେବେଳେ ଓଡ଼ିଶୀ ସଙ୍ଗୀତର ଇତିହାସ ଗବେଷକ, ସଂଗୀତଜ୍ଞ ଏବଂ ସାଧାରଣ ଜନତାଙ୍କ ଦ୍ୱାରା ସଂକଳିତ ହେବ, ଚଳିତ ବିଧାନସଭାର ବାଚସ୍ପତି ଓ ବିଧାୟକଙ୍କ ନାମ ସେହି ଇତିହାସର ପୃଷ୍ଠାରେ ସ୍ଵର୍ଣାକ୍ଷରରେ ଲେଖାଯିବା ନିଶ୍ଚିତ l

ଭାଷା ଆନ୍ଦୋଳନ, ଓଡ଼ିଶା ବାଚସ୍ପତି ଓ ବିଧାୟକଙ୍କୁ ନିବେଦନ କରିଛି ଯେ:

1. ଆଗାମୀ ମୌସୁମୀ ଅଧିବେଶନରେ ସର୍ବସମ୍ମତି କ୍ରମେ ଏହି ମର୍ମରେ ପ୍ରସ୍ତାବ ପାରିତ କରନ୍ତୁ ଏବଂ ଭାରତ ସରକାରଙ୍କୁ ଚିଠି ଲେଖନ୍ତୁ |

2. ଦିଲ୍ଲୀରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିବା ପାଇଁ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଗୋଷ୍ଠୀର ନେତୃତ୍ୱ  ନିଅନ୍ତୁ |

3. ଓଡ଼ିଶୀ ସଂଗୀତଜ୍ଞ, ଗବେଷକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ସଂଗୀତ ମହାବିଦ୍ୟାଳୟ ଏବଂ କଳା  ଓ ସଂସ୍କୃତି ପରାମର୍ଶଦାତାଙ୍କୁ ଏକାଠି ବସାଇ,  ସଂଗୀତ ନାଟକ ଏକାଡେମୀର ବିଶେଷଜ୍ଞ ମାନେ ଯେପରି ସଠିକ ଆକଳନ ଓ ମୂଲ୍ୟାୟନ କରି ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବେ,  ସେଥିପାଇଁ ଓଡିଶା ସରକାରଙ୍କୁ ପରାମର୍ଶ ଦିଅନ୍ତୁ । ଏକ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଯେପରି ଆମକୁ ନ୍ୟାୟ ମିଳିବ, ସେହି ଦିଗରେ ଆପଣଙ୍କ ବିଶେଷ ଯୋଗଦାନ କରନ୍ତୁ |

ଏହି ପ୍ରେକ୍ଷାପଟରେ ଆଗାମୀ ବିଧାସଭାରେ ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହେଉ ବୋଲି ଭାଷା ଆନ୍ଦୋଳନ ଓଡିଶା ମାନ୍ୟବର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର  , ମାନ୍ୟବର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ  ଆରୁଖ , ବିରୋଧୀ ଦଳ ନେତା ପ୍ରଦୀପ ନାୟକ , କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ଏବଂ ଦଳୀୟ ମୁଖ୍ୟ ସଚେତକ ଇତ୍ୟାଦିଙ୍କୁ ନିବେଦନମୂଳକ ଦାବିପତ୍ର ଦିଆଯାଇଛି |

 

0
0
0
s2sdefault