ହେଡଲାଇନସ୍:

 ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ ପରାମର୍ଶ କମିଟି ଓ ଋଣଜମା ଅନୁପାତ ସ୍ୱତନ୍ତ୍ର ଉପ-କମିଟି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପକ୍ଷରୁ ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ ପରାମର୍ଶ କମିଟି ଓ ଋଣଜମା ଅନୁପାତ ସ୍ୱତନ୍ତ୍ର ଉପ-କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟତଃ  କରୋନା ମହାମାରୀ ସମୟରେ ଗ୍ରାହକ ତଥା ହିତାଧିକାରୀ ମାନଙ୍କୁ ସମ୍ମାନର ସହ ସହଜରେ ଋଣ ପ୍ରଦାନ କରିବାକୁ ବ୍ୟାଙ୍କର୍ସ ମାନଙ୍କୁ ଜିଲ୍ଲାପାଳ ଅନୁପମ ସାହା ନିର୍ଦ୍ଦେଶ ଦେଇଛନ୍ତି । 

ବୈଠକରେ ଜିଲ୍ଲାପାଳ ଅନୁପମ ସାହା ଅଧ୍ୟକ୍ଷତା କରି ବିଭିନ୍ନ କିସମର ଚାଷୀଙ୍କ ପାଇଁ ବିଭିନ୍ନ ଋଣ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟତଃ କୋଭିଡ-୧୯ ମହାମାରି ଯୋଗୁଁ ଦୁର୍ବଳ ହୋଇ ଯାଇଥିବା ଅର୍ଥନୀତିରେ ସୁଧାର ଆଣିବା ପାଇଁ ବ୍ୟାଙ୍କ ମାନଙ୍କ ପ୍ରମୁଖ ଭୂମିକା ରହିଛି । ଜିଲ୍ଲାର ସବୁ ବର୍ଗର ଅଞ୍ଚଳବାସୀଙ୍କ ସମସ୍ତ କ୍ଷେତ୍ରରେ ସେମାନଙ୍କୁ ଉପଯୁକ୍ତ ଋଣ ରିହାତି ସୁଧରେ ପ୍ରଦାନ କରିବା ପାଇଁ କହିଥିଲେ ।ତେଣୁ ବ୍ୟାଙ୍କର୍ସ ମାନେ ଚାଷୀ , ଶ୍ରମିକ ଓ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକ ମାନଙ୍କୁ ସମ୍ମାନର ସହ ଋଣ ପ୍ରଦାନ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । 

ଗଜପତି ଜିଲ୍ଲାର ଥିବା  ୧୭ ଗୋଟି ବ୍ୟାଙ୍କର ମୋଟ ୬୩ ଟି ଶାଖା ରହିଥିବା ବେଳେ ଜୁନ-୨୦୨୦ ସୁଦ୍ଧା ସମସ୍ତ ବ୍ୟାଙ୍କ ଶାଖାରେ ମୋଟ 241846.48 ଲକ୍ଷ ଟଙ୍କା ଜମା ସଂଗ୍ରହ ହୋଇଛି । ସେହି ଆଧାରରେ ମୋଟ 69146.74 ଲକ୍ଷ ଟଙ୍କା ଋଣ ଦିଆ ହୋଇଛି , ଯାହାକି ଏହା ଧାର୍ଯ୍ୟ ଲକ୍ଷର ଏହି ଅନୁପାତ 28.59 ପ୍ରତିଶତ ରହିଛି ।

ତେଣୁ ଆଗକୁ ଏହି ଋଣଜମା ଅନୁପାତ ବୃଦ୍ଧି କରିବା ପାଇଁ ବ୍ୟାଙ୍କ ଏହି ଋଣ ପ୍ରଦାନ ଯୋଜନାକୁ ଅଧିକ ବ୍ୟବସ୍ଥିତ କରିବା ଉପରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଅନୁପମ ସାହା ଉପସ୍ଥିତ ବ୍ୟାଙ୍କର୍ସ ମାନଙ୍କୁ ପରାମର୍ଶ ଦେଇଥିଲେ ।

ଋଣ ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା  ସମସ୍ତ ବ୍ୟାଙ୍କ ଅଧିକାରୀ ଓ ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ , ଉତ୍ତମ ସମନ୍ୱୟ ରକ୍ଷାକରି ସହଯୋଗ କରି ଲୋକଙ୍କ ଆସ୍ଥା ଭାଜନ ହେବାପାଇଁ ପରାମର୍ଶ ଦେଇଥିଲେ । ଅନ୍ୟ ପକ୍ଷରେ କୃଷିକୁ ପ୍ରାଧାନ୍ୟ ଦିଆଯାଇ ଗଜପତି ଜିଲ୍ଲାରେ ମୋଟ  51.34 କୋଟି ଟଙ୍କାର ଋଣ ମଞ୍ଜୁର  କରାଯାଇଛି । ଏଥି ସହିତ ସାମ୍ପ୍ରତିକ ପରିସ୍ଥିତି ସମୟରେ ଚାଷୀ ମାନଙ୍କୁ ଋଣ ପ୍ରଦାନ କରିବା ନେଇ ଗ୍ରାମାଞ୍ଚଳ ସ୍ତରରେ ସଚେତନତାକୁ ବ୍ୟାପକ କରାଯିବା ପାଇଁ କୁହା ଯାଇଥିଲା ।

ବୈଠକରେ ମୁଖ୍ୟତଃ ବାର୍ଷିକ ଋଣ ଯୋଜନାରେ ପ୍ରତି ବ୍ୟାଙ୍କର ବ୍ରାଞ୍ଚ ମାନଙ୍କୁ ଦିଆ ଯାଉଥିବା ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ଦିଗରେ କେଉଁ ବ୍ରାଞ୍ଚ କେତେ ପରିମାଣର ଲକ୍ଷ ହାସଲ କରିଛନ୍ତି , ସେ ସବୁର ଟିକିନିଖି ବିଶ୍ଲେଷଣ କରାଯାଇଥିଲା।

  ଋଣ ଅନୁପାତ ଯାହାକି , ୪୦ ପ୍ରତିଶତରୁ ଅଧିକା ରହିବା ସ୍ଥଳେ , ଜିଲ୍ଲାରେ ତାହା   28.59 ପ୍ରତିଶତ ରହିଥିବା ଯୋଗୁଁ ଏହାକୁ  ଅନ୍ୟୁନ ଭାବେ ୪୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ବ୍ୟାଙ୍କର୍ସ ମାନଙ୍କୁ କୁହା ଯାଇଥିଲା ।

 ମୁଖ୍ୟତଃ ଭାବେ ବୈଠକରେ କୋଭିଡ୍ ସଂକ୍ରମଣ ସମୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଯଥା:- ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନା , ଜରୁରୀ କାଳୀନ ଋଣ ନିଶ୍ଚିତ ସହାୟତା , ମତ୍ସ୍ୟ ଓ ଗୋ ପାଳନ ଚାଷୀଙ୍କୁ କିଷାନ କ୍ରେଡ଼ିଟ କାର୍ଡ ଯୋଗାଇଦେବା , ପ୍ରଧାନମନ୍ତ୍ରୀ  ଫସଲ ବୀମା ଯୋଜନା ପ୍ରଭୃତିର ସଫଳ କାର୍ଯ୍ୟକାରିତା ଉପରେ ଉପସ୍ଥିତ ବ୍ୟାଙ୍କର୍ସ ଓ ଅନ୍ୟାନ୍ୟ ଲାଇନ ବିଭାଗ ଅଧିକାରୀ ମାନଙ୍କୁ  ପରାମର୍ଶ ଦିଆଯାଇଥିଲା ।

 ଅପହଞ୍ଚ ଇଲାକା ତଥା ବ୍ୟାଙ୍କସେବା ନ ଥିବା ରାମଗିରି , କଇଁପୁର ଓ ଜିରାଙ୍ଗ ଅଞ୍ଚଳରେ ଲୋକମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାପାଇଁ ବ୍ୟାଙ୍କ ଖୋଲିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା ଏବଂ ସେ ଅଞ୍ଚଳରେ  ଆବଶ୍ୟକ ସ୍ଥଳେ ଅଧିକ ଋଣ ଦେଇ ବ୍ୟାଙ୍କ ଋଣ ଜମା ବୃଦ୍ଧି କରାଯିବା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା ।

ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ଶ୍ରୀ କିଶୋର ଚନ୍ଦ୍ର ନାୟକ ବୈଠକ କାର୍ଯ୍ୟକ୍ରମରେ କାର୍ଯ୍ୟସୂଚୀ ଏଜେଣ୍ଡା ପ୍ରକାରେ ସମସ୍ତ ଆଲୋଚନା ବିଷୟରେ ସୂଚନା ଦେଇଥିଲେ ।

ନାବାର୍ଡର ଜିଲ୍ଲା ବିକାଶ ମ୍ୟାନେଜର ଶ୍ରୀ ସୁମନ ଶେଖର ସାହୁ ମଞ୍ଚାସୀନ ରହି ବଳରାମ ଯୋଜନାରେ ଜମିହୀନ ଓ ଭାଗଚାଷୀ ମାନଙ୍କୁ  ଚିହ୍ନଟ କରି ସେମାନଙ୍କୁ କିଭଳି ଋଣ ଯୋଗାଇ ଦେଇ ହେବ ସେ ସମ୍ପର୍କରେ ବୁଝାଇଥିଲେ ।

  ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ୟାଙ୍କର  ମ୍ୟାନେଜର , ଅଧିକାରୀ ଓ ବିଭିନ୍ନ ଲାଇନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault