ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୋଲିସକୁ ବାଇକ ଲୁଟେରା ଗ୍ୟାଙ୍ଗ ଧରିବାରେ ଏକ ବଡ଼ ସଫଳତା ମିଳିଛି । ଏହି ସଫଳତାରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ୬ ଜଣିଆ ବାଇକ୍ ଲୁଟେରା ଗ୍ୟାଙ୍ଗ ଗିରଫ ହୋଇଛନ୍ତି । ଏମାନଙ୍କ ଠାରୁ ପୋଲିସ ୨୪ ଗୋଟି ବିଭିନ୍ନ ପ୍ରକାରର ବାଇକ ଜବତ କରିଛି । ଏ ସମ୍ପର୍କରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଠାରେ ଗଜପତି ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ପଟ୍ଟନାୟକ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି।
ଏହି ବାଇକ ଲୁଟେରା ମାନଙ୍କ ଘଟଣା ସମ୍ପର୍କରେ ଅଧିକ ସୂଚନା ଦେଇ ଏସପି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ , ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଫରେଷ୍ଟ ଗେଟ ଛକ ନିକଟରେ କୌଣସି ସୂତ୍ରରୁ ଖବର ପାଇ ଅଜିତ ମାଳୀ ନାମକ ଜଣେ ବ୍ୟକ୍ତି ବାଇକ ଯୋଗେ ଆସୁଥିବା ବେଳେ ତାକୁ ଅଟକାଇ ସନ୍ଦେହରେ ପଚରା ଉଚରା କରିଥିଲେ । ପରେ ସେ ବ୍ୟବହାର କରୁଥିବା ବାଇକଟି ଚୋରା ବୋଲି ଜଣାପଡିଥିଲା । ପରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଏହି ବାଇକ ଲୁଟେରା ଦଳରେ ସମ୍ପୃକ୍ତ ଥିବା ଅନ୍ୟ ୫ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ମୋଟ ୨୪ ଗୋଟି ଚୋରା ବାଇକ ଜବତ ହୋଇଥିବା ସୂଚନା ଦେଇଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ଏହି ଘଟଣା ସମ୍ପର୍କରେ ସମସ୍ତ ସୁଚନା ପ୍ରଦାନ କରିବା ସହ ଏଥିରେ ଅଧିକ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି । ଏହି ସମସ୍ତ ବାଇକ ବ୍ରହ୍ମପୁର, ଭୁବନେଶ୍ୱର, କଟକ ଆଦି ସ୍ଥାନରୁ ଚୋରୀ ହୋଇଥିବାର ସୁଚନା ମିଳିଛି।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସ୍.ଡି.ପି.ଓ. ପ୍ରକାଶ ଚନ୍ଦ୍ର ଜେନା, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।











