ହେଡଲାଇନସ୍:

ଚାକିରୀ ନିୟମିତ ନହେଲେ ଆନ୍ଦୋଳନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

12-05-18-nila-2.jpg - 68.95 kB


ବରଗଡ଼(ନୀଳ ଦୀପ) -ବରଗଡ଼ ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପରେ ଶନିବାର ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ, ବରଗଡ଼ ଜିଲା ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଅରୁଣ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପ୍ରତି ରାଜ୍ୟ ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଯୋଗୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ଚାକିରୀ ନିୟମିତ କରିବା ପାଇଁ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ବେ ସରକାର ନୀରବ ରହିଥିବା ଯୋଗୁ ପ୍ରତିବାଦରେ ସଂଘ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଥିଲା। ପ୍ରକାଶ ଯେ, ବରଗଡ଼ ଜିଲାରେ ରାଜସ୍ବ ବିଭାଗରେ ୮୭, ଉଦ୍ୟାନ ବିଭାଗରେ ୮, ପଞ୍ଚାୟତିରାଜ ବିଭାଗରେ ୨୦, ପରିସଂଖ୍ୟାନ ବିଭାଗରେ ୮, ବନ ବିଭାଗରେ ୨୧, ଡାଟା ଏଣ୍ଟ୍ରି ଅପରେଟରଭାବେ ୧୧ଜଣ ସମେତ ଆହୁରି ଅଧିକ କର୍ମଚାରୀଙ୍କୁ ଓଡ଼ିଶା ରିକ୍ର୍ୟୁମେଣ୍ଟ ଆକ୍ଟ(ଓଆରଭି) ଅନୁସାରେ ଓଡ଼ିଶା ସବଅର୍ଡ଼ିନେଟ୍‌ ଷ୍ଟାଫ ସିଲେକ୍ସନ କମିଶନ(ଓଏସ୍‌ଏସ୍‌ଏସ୍‌ସି) ନିଯୁକ୍ତି ଦେଇଛି। ଏହାସତ୍ତ୍ବେ ସେମାନଙ୍କୁ ଏପର୍ଯ୍ୟନ୍ତ ନିୟମିତ କର୍ମଚାରୀର ସୁବିଧା ସୁଯୋଗ ଦିଆ ନ ଯାଇ ଠିକା କର୍ମଚାରୀଭାବେ ସ୍ବଳ୍ପ ବେତନ ପ୍ରଦାନ କରାଯାଉଛି । ଫଳରେ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କୁ ନିୟମିତ କରିବା ପାଇଁ କର୍ମଚାରୀମାନେ ସ୍ମାରକପତ୍ର ପ୍ରଦାନ ମାଧ୍ୟମରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛନ୍ତି। କିନ୍ତୁ ସରକାର ଚୁପ୍‌ ରହିଥିବା ଯୋଗୁ ସଂଘ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି । ବୈଠକରେ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର ସଭାପତି ତ୍ରିଲୋଚନ ସାହୁଙ୍କ ସମେତ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ, ବରଗଡ଼ ଜିଲା ଶାଖାର ସମ୍ପାଦକ ନରୋତ୍ତମ ପଣ୍ଡା, କୋଷାଧ୍ୟକ୍ଷା ପ୍ରିୟଙ୍କା ଜୟସ୍ବାଲ, ଯୁଗ୍ମ ସମ୍ପାଦିକା ଇପସିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault