-
ବାୟୋଫ୍ଲକ ( ଜୈବ ପୁଞ୍ଜ ) ଭଳି ଅଭିନବ ପଦ୍ଧତିକୁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ
-
ମାଛ ଚାଷ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିପାରିବ ବାୟୋଫ୍ଲକ ପଦ୍ଧତି
-
ଘରର ଉଚ୍ଚ ସ୍ଥାନ, ଛାତ ଉପରେ , ବାଡ଼ିରେ ଥିବା ଖୋଲା ଜାଗାରେ ବି କରାଯାଇପାରିବ ମାଛଚାଷ
-
ସ୍ଥାନୀୟ ଚାହିଦା ମେଣ୍ଟାଇବା ସହ ଆଗ୍ରହୀ ଉଦ୍ୟୋଗୀ ହୋଇପାରିବେ ସ୍ୱାବଲମ୍ବୀ
ଭୁବନେଶ୍ୱର (ଶାସକ ପ୍ରଶାସକ) ଓଡିଶା ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ତରଫରୁ ନୂତନ ଜ୍ଞାନ କୌଶଳ ପୂର୍ଣ୍ଣ ବାୟୋଫ୍ଲକ ( ଜୈବ ପୁଞ୍ଜ ) ପଦ୍ଧତିରେ ସଘନ ମାଛ ଚାଷ ନିମନ୍ତେ ପ୍ରୋତ୍ସାହନ ଦେବା ସକାଶେ ଏକ ନୂତନ ଯୋଜନାର ଆରମ୍ଭ କରିଛନ୍ତି | ଏଣିକି ବାୟୋଫ୍ଲକ ବା ଜୈବ ପୁଞ୍ଜ ପଦ୍ଧତିରେ ମତ୍ସ୍ୟ ଚାଷ କରାଯାଇପାରିବ । ଏହି ପଦ୍ଧତି ରାଜ୍ୟର ଉଦ୍ୟୋଗୀ, ଶିକ୍ଷିତ ବେକାର ଯୁବ ବର୍ଗ ଓ ଆଗ୍ରହୀ ଅଗ୍ରଣୀ ମତ୍ସ୍ୟ ଚାଷୀଙ୍କୁ ଜୀବିକା ସହାୟତା , ଉତ୍ପାଦନ କ୍ଷେତ୍ରରେ ଚାଷୀ ଙ୍କୁ ସ୍ବାବଲମ୍ବି କରିବା ସହ ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧିରେ ଉପଯୋଗୀ ହୋଇପାରିପାରିବ ।
ଅଧିକ ପ୍ରାକୃତିକ ଜମି ଓ ଜଳର ଉପଯୋଗ ନ କରି ସୀମିତ ସ୍ଥାନରେ ଏହି ସଘନ ମାଛ ବା ଚିଙ୍ଗୁଡ଼ି ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ବାୟୋଫ୍ଲକ୍ ଏକ ଅତ୍ୟାଧୁନିକ ତଥା ଅଭିନବ ଜ୍ଞାନ କୌଶଳ ଅଟେ । ସ୍ୱଳ୍ପ ଜମି (୧୫୦-୨୦୦ ବର୍ଗ ମି. ପରିମିତି ଜମି ) ଏବଂ ସହରାଂଚଳରେ ଯୋଗାଇଦିଆ ଯାଉଥିବା ପାଇପ ଜଳ ବା ନଳକୂପକୁ ଉପଯୋଗ କରି ଜଣେ ଚାଷୀ ସ୍ୱଳ୍ପ ଅର୍ଥରେ ଏହି ପଦ୍ଧତିରେ ମାଛଚାଷ କରି ପାରିବେ । ଏହା ପ୍ରାୟତଃ ରୋଜଗାର ସୃଷ୍ଟି ତଥା ଜୀବିକା ସହାୟତା ଲକ୍ଷ୍ୟରେ ମତ୍ସ୍ୟଚାଷୀ ଓ ଯୁବ ଉଦ୍ୟୋଗି ମାନଙ୍କ ପାଇଁ ବେଶ ଉପଯୋଗୀ ।
ଏହି ପଦ୍ଧତିରେ ସ୍ଥାନୀୟ ବଜାର ଚାହିଦା ଥିବା ମାଛ ଯେପରିକି ଗିଫଟ୍ ଟିଲାପିଆ , ମାଗୁର , ଜଳଙ୍ଗ , କଉ, ବିଲାତି ରହି ଆଦି ମାଛ ଉତ୍ପାଦନ ନିମନ୍ତେ ଉପଯୁକ୍ତ ବାୟୋଫ୍ଲକ କୁଣ୍ଡରେ ବର୍ଜ୍ୟ ଜୈବ ପଦାର୍ଥ ଯଥା ଅବ୍ୟବହୃତ ଖାଦ୍ୟକୁ ପ୍ରୋ-ବାୟୋଟିକ ବା ହିତକାରୀ ବ୍ୟାକ୍ଟେରିଆ ଏବଂ ତରଳ ଗୁଡ ଭଳି ଅଙ୍ଗାରକ ମିଶ୍ରଣ କରି ପୁନଃ ମତ୍ସ୍ୟର ଖାଦ୍ୟ ଭାବେ ବ୍ୟବହାର ହୋଇଥାଏ । ସାଧାରଣତଃ ପ୍ରଚଳିତ ମାଛ ଚାଷ ପଦ୍ଧତି ରେ ଏକ ଏକର ଅର୍ଥାତ ୪୦୦୦ ବର୍ଗମି. ସ୍ଥାନରେ ଛଅ ମାସ ଚାଷ ଅବଧିରେ ୨୦୦୦ କିଗ୍ରା ମାଛ ଉତ୍ପାଦିତ ହୋଇ ପାରୁଥିବା ବେଳେ ସେହି ସମ ପରିମାଣରେ ୨୦୦୦ କିଗ୍ରା ମାଛ ଚଟାଣ ଉପରେ ସ୍ଥାପିତ ଏହି ୪ ମିଟର ବ୍ୟାସ ,୧.୨ ଗଭୀରତା ବିଶିଷ୍ଟ ୪ଟି ବାୟୋଫ୍ଲକ୍ କୁଣ୍ଡରୁ ଉତ୍ପାଦିତ ହୋଇ ପାରିବ ।
ପ୍ରତି ବାୟୋଫ୍ଲକ କୁଣ୍ଡରେ ୧୦୦୦ ରୁ ୧୫୦୦ ସଂଖ୍ୟାର ମାଛର ଫ୍ରାଏ ଯାଆଁଳ (୨-୩ ସେମି ଲମ୍ବା) କିମ୍ବା ଅଙ୍ଗୁଳିକା ଯାଆଁଳ(୮-୧୦ ସେମି ଲମ୍ବା) ଛାଡି ୬ ମାସ ଭିତରେ ୫୦୦ କିଲୋଗ୍ରାମ ମାଛ ଉତ୍ପାଦନ ହୋଇପାରିବ । ମାଛ ଗୁଡିକ ପ୍ରତି ୩ ମାସ ଅବଧି ମଧ୍ୟରେ ପ୍ରାୟ ୨୦୦ ଗ୍ରାମ ବଢ଼ୁଥିଲା ବେଳେ ୬ ମାସରେ ୭୦୦ ରୁ ୮୦୦ ଗ୍ରାମ ବଢିବା ଦେଖାଯାଏ । ସ୍ଥାନୀୟ ବଜାର ଚାହିଦା ଅନୁଯାୟୀ ଚାଷୀଙ୍କ ଦୈନିକ ରୋଜଗାର ନିମନ୍ତେ ଆଂଶିକ ମାଛ ଧରା ଯାଇପାରିବ । ଏହା ଯେ କୌଣସି ଘରର ଉଚ୍ଚ ସ୍ଥାନ, ଘର ଛାତ ଉପରେ , ଘରର ପଛ ପାଖରେ ଥିବା ଖୋଲା ଜାଗାରେ ସ୍ଥାପନ କରା ଯାଇପାରିବ । ନିକଟସ୍ଥ ଗ୍ରାହକ ମାନଙ୍କୁ ସତେଜ ଓ ଜିଅନ୍ତା ମାଛ ଯୋଗାଇବାରେ ସହାୟକ ହୋଇଥିବାରୁ ଏହାକୁ ବଜାରରେ ଚାଷୀ ଙ୍କୁ ଅଧିକ ବଜାର ମୂଲ୍ୟ ରେ ମିଳିଥାଏ ।
୨ଟି ବାୟୋଫ୍ଲକ କୁଣ୍ଡ ସ୍ଥାପନ ନିମନ୍ତେ ଦେଢ଼ ଲକ୍ଷ ଟଙ୍କା ଓ ୬ଟି କୁଣ୍ଡ ପାଇଁ ୪ ଲକ୍ଷ ଟଙ୍କା ପ୍ରକଳ୍ପ ମୂଲ୍ୟ ରଖାଯାଇଛି । ଏହି କାର୍ଯ୍ୟର ପ୍ରଚଳନ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ସାଧାରଣ ବର୍ଗର ଉଦ୍ୟୋଗୀଙ୍କୁ ୪୦ ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଥିବା ବେଳେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ନିମନ୍ତେ ୬୦ ପ୍ରତିଶତ ରିହାତି ବ୍ୟବସ୍ଥା ହୋଇଛି । ଏହି ନୂତନ ଏବଂ ଉନ୍ନତ ଜ୍ଞାନ କୌଶଳ ପଦ୍ଧତି ରାଜ୍ୟର ମତ୍ସ୍ୟଚାଷ ଉତ୍ପାଦନକୁ ତ୍ୱରାନ୍ୱିତ କରିବା ସହିତ ସ୍ୱଳ୍ପ ଜମି ଥିବା ବ୍ୟକ୍ତି ଓ ଉଦ୍ୟୋଗିମାନଙ୍କୁ ମାଛ ଚାଷ ପ୍ରତି ଆକୃଷ୍ଟ କରିବ ।