-
ବିଜୁ ଜନତା ଦଳର କଳା,ସଂସ୍କୃତି ଓ ମାନବ ସମ୍ବଳ ବିକାଶ ଶାଖା ପକ୍ଷରୁ ଭର୍ଚୁଆଲ ଆଲୋଚନାଚକ୍ର
-
ସାମିଲ ହେଲେ ବହୁ ବିଶିଷ୍ଟ ଶିକ୍ଷାବିତ, ବୁଦ୍ଧିଜୀବୀ ଓ ଅଭିଭାବକ
ଭୁବନେଶ୍ୱର(ଶାସକ ପ୍ରଶାସକ) : କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ଶିକ୍ଷାନୀତି-୨୦୨୦ ଘୋଷଣା କରାଯାଇଛି । ଏହା କେନ୍ଦ୍ର କ୍ୟାବିନେଟର ଅନୁମୋଦନ ଲାଭ କରିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଉପରେ ଏହାର କି ପ୍ରଭାବ ପଡିବ ସେ ସଂପର୍କରେ ବିଜୁ ଜନତା ଦଳର କଳା, ସଂସ୍କୃତି ଓ ମାନବ ସମ୍ବଳ ଶାଖା ପକ୍ଷରୁ ତର୍ଜମା ଆରମ୍ଭ କରାଯାଇଛି । ରାଜ୍ୟର ଭୌଗୋଳିକ, ସାମାଜିକ ଏବଂ ସାଂସ୍କୃତିକ ବିବିଧତା ପରିପ୍ରେକ୍ଷୀରେ ଜାତୀୟ ଶିକ୍ଷା ନୀତି ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ କିପରି ପ୍ରଭାବିତ କରିବ ସେ ସଂପର୍କରେ ବିଶଦଭାବରେ ଆଲୋଚନା କରିବା ପାଇଁ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ଓଡିଶା ପ୍ରଥମ ରାଜ୍ୟ ଭାବରେ ଭର୍ଚୁଆଲ ବୈଠକ ମାଧ୍ୟମରେ ଏପରି ଆଲୋଚନାଚକ୍ରର ଆୟୋଜନ କରିଛି । ରାଜ୍ୟର ସବୁବର୍ଗର ଲୋକମାନଙ୍କର ମତାମତ ଜାଣିବାପାଇଁ ବିଜେଡିର କଳା ସଂସ୍କୃତି ଓ ମାନବ ସମ୍ବଳ ଶାଖା ପକ୍ଷରୁ ୪ଗୋଟି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଗତ ୮ ତାରିଖରେ ଅନୁଷ୍ଠିତ ଦୁଇଟି ଆଲୋଚନାଚକ୍ରରେ ଶିକ୍ଷା ଉଦ୍ୟୋଗୀ ଏବଂ ଶିକ୍ଷକ ଓ ଶିକ୍ଷକ ସଂଗଠନର କର୍ମକର୍ତାମାନେ ଯୋଗଦେଇ ସେମାନଙ୍କର ସୁଚିନ୍ତତ ମତାମତ ପ୍ରଦାନ କରିଥିଲେ । ଏହି ମର୍ମରେ ଆଜି ଆଉ ଦୁଇଟି ଆଲୋଚନାଚକ୍ର ଭର୍ଚୁଆଲ ବୈଠକ ମାଧ୍ୟମରେ ଆୟୋଜନ କରାଯାଇଥିଲା । ପ୍ରଥମ ଅଧିବେଶନରେ ରାଜ୍ୟର ବୁଦ୍ଧିଜୀବି ଓ ଶିକ୍ଷାବିତମାନେ ଯୋଗଦେଇଥିଲାବେଳେ ଦ୍ୱିତୀୟ ଅଧିବେଶନରେ ଅଭିଭାବକମାନେ ଅଂଶ ଗ୍ରହଣ କରିଥିଲେ । ରାଜ୍ୟର ସାମାଜିକ ପରିସ୍ଥିତି, ଗ୍ରାମାଂଚଳ ଓ ସହରାଂଚଳ ତାରତମ୍ୟ ଦୃଷ୍ଟିରେ ଜାତୀୟ ଶିକ୍ଷାନୀତି ୨୦୨୦ କିଭଳି ଖାପ ଖୁଆଇବ ସେ ସଂପର୍କରେ ମତାମତ ସଂଗ୍ରହ କରାଯାଇ ସୁଚିନ୍ତିତ ପରାମର୍ଶ ରାଜ୍ୟ ସରକାରଙ୍କୁ ଦିଆଯିବ ବୋଲି ଆୟୋଜକଙ୍କ ପକ୍ଷରୁ ପ୍ରକାଶ ।
ପୂର୍ବାହ୍ନରେ ଆୟୋଜିତ ଆଲୋଚନାଚକ୍ରରେ ବୁଦ୍ଧିଜୀବି ଓ ରାଜ୍ୟ ତଥା ବିଦେଶରେ ଅବସ୍ଥାପିତ ବିଶିଷ୍ଟ ଶିକ୍ଷାବିତମାନେ ଅଂଶ ଗ୍ରହଣ କରିଥିବାବେଳେ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡଃ ଅରୁଣ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଆଲୋଚକମାନେ ଶିକ୍ଷାନୀତିର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିବା ଅବସରରେ ଏକ ସଂଘିୟ ବ୍ୟବସ୍ଥାରେ ଏହାର ରୂପାୟନ ସଂପର୍କରେ ମତ ରଖିଥିଲେ । ଏଥି ସହିତ ଶିକ୍ଷାନୀତିକୁ କର୍ଯ୍ୟକାରୀ କରିବା ଦିଗରେ ଅର୍ଥ ଆବଂଟନର ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ । ପ୍ରଥମ ଅଧିବେଶନରେ ଆରିଜୋନା ବିଶ୍ୱବିଦ୍ୟାଳୟର ପ୍ରଫେସର ଚିତ ବରାଳ, ଶିକ୍ଷାବିତ ହଂକଂ ବିଶ୍ୱବିଦ୍ୟାଳୟର ଡଃ ଧନଦା ମିଶ୍ର, ପୂର୍ବତନ କୁଳପତି ପ୍ରଫେସର ଓଁକାର ମହାନ୍ତି ଓ ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ଶିକ୍ଷାବିତ ଶ୍ରୀ ସୁରେନ୍ଦ୍ର ଜେନା, ପ୍ରଫେସର ରଞ୍ଜନ କୁମାର ବଳ, ପ୍ରଫେସର ଅସିତ ମହାନ୍ତି, ଜର୍ମାନ ବିଶ୍ୱବିଦ୍ୟାଳୟର ଗବେଷକ ଶ୍ରୀ ଶେଷ କିଷାନ, ସିଂଗାପୁରର ଶ୍ରୀ ରାଜେଶ ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଅଧିବେଶନ ପ୍ରାରମ୍ଭରେ ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ପ୍ରିୟଦର୍ଶି ମିଶ୍ର ସ୍ୱାଗତ ଭାଷଣ ଦେଇଥିଲା ବେଳେ ଶେଷରେ ବିଜେଡିର ସାଧାରଣ ସମ୍ପାଦକ ଶ୍ରୀ ଶାରଦା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ଅପରାହ୍ନ ଅଧିବେଶନରେ ଜାତୀୟ ଶିକ୍ଷାନୀତି ୨୦୨୦ ସଂପର୍କରେ ଆଲୋଚନା କରିବାପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରୁ ଅଭିଭାବକ ତଥା ଶିକ୍ଷାବିତମାନେ ଭର୍ଚୁଆଲ ବୈଠକ ମାଧ୍ୟମରେ ଯୋଗଦେଇଥିଲେ । ନୂତନ ଶିକ୍ଷାନୀତି ଉପରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ନିର୍ଭର କରୁଥିବାରୁ ଅଭିଭାବକମାନଙ୍କର ମତାମତ ଜାଣିବା ଆବଶ୍ୟକ ବୋଲି ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କହିଥିଲେ । ପ୍ରାରମ୍ଭରେ ବିଜେଡିର ସାଧାରଣ ସମ୍ପାଦକ ଶ୍ରୀ ସତ୍ୟବ୍ରତ ପାତ୍ର ସ୍ୱାଗତ ଭାଷଣ ଦେବା ଅବସରରେ ଆଲୋଚନା ଚକ୍ରର ଆଭିମୁଖ୍ୟ ଓ ଆବଶ୍ୟକତା ସଂପର୍କରେ କହିଥିଲେ । ଶିକ୍ଷାବିତ ପ୍ରଫେସର ରାଧାମୋହନ, ଡଃ ଅଶ୍ବିନୀ କୁମାର ତିୱାରୀ, ବିଜେଡିର ଜାତୀୟ ମୁଖପାତ୍ର ଶ୍ରୀ ସତ୍ୟ ନାରାୟଣ ସାହୁ , ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ଶ୍ରୀ ବାସୁଦେବ ଭଟ୍ଟ ଶିକ୍ଷାବିତ ଶ୍ରୀ ଦ୍ୱାରିକା ମିଶ୍ର, ଡଃ ମାନସ ରଞ୍ଜନ ନନ୍ଦ, ଡଃ ଅଭିରାମ ବିଶ୍ୱାଳ, ଜଗସିଂହପୁରର ଡଃ ନୃସିଂହ ସାହୁ, ବଲାଙ୍ଗିିର ଶ୍ରୀ ନୀଳମଣି ମିଶ୍ର, ସୁନ୍ଦରଗଡର ଶ୍ରୀ ବୀର କିଶୋର ମିଶ୍ର ଙ୍କ ସମେତ ଶ୍ରୀମତୀ ଲୋରା ମହାପାତ୍ର, ଶ୍ରୀ ବିଜୟ କୁମାର ପଣ୍ଡା, ଶ୍ରୀ ସୁଜିତ କୁମାର ସେନ, ଡଃ କଇସ କିଉ ଖାଁ, ଶ୍ରୀ ଆଶୁତୋଷ ନନ୍ଦ, ଶ୍ରୀ ସଞ୍ଜିବ କୁମାର ପଟ୍ଟନାୟକ ଓ ନବୀନ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଜାତୀୟ ଶିକ୍ଷାନୀତିର ବିଭିନ୍ନ ଦିଗ ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ । ଶେଷରେ ସରକାରୀ ଉପମୁଖ୍ୟ ସଚେତକ ଶ୍ରୀ ରୋହିତ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ଜନ୍ମେଜୟ ଲେଙ୍କା ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।