-
୧୦୮ ଆମ୍ବୁଲାନସ କର୍ମଚାରୀଙ୍କ ଅବହେଳାରୁ ଶିଶୁ ମୃତ୍ୟୁ
-
କାର୍ଯ୍ୟରୁ ବିଦାହେଲେ ଦୁଇ ଡ୍ରାଇଭର ଓ ଫାର୍ମାସିଷ୍ଟ୍
-
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ପରେ ମଧ୍ୟ ଏତଲା ଦେବା ନେଇ କୌଣସି ପ୍ରକ୍ରିୟା ନାହିଁ
ବାରିପଦା,(ଦିଲ୍ଲୀପ ମହାନ୍ତି ): ଜୀବନ ବଞ୍ଚାଇବାର ଦାୟିତ୍ବରେ ଥିବା ୧୦୮ କର୍ମଚାରୀଙ୍କ ଚରମ ଅବହେଳା କାରଣରୁ ଚାଲିଗଲା ଶିଶୁର ଜୀବନ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଆମ୍ବଯୋଡ଼ା ଅଞ୍ଚଳରେ ଘଟିଥିବା ଏପରି ଘଟଣା ସମଗ୍ର ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା କର୍ମଚାରୀଙ୍କ ଅବହେଳାକୁ ପଦାରେ ପକେଇଛି। ଏନେଇ ଖବର ପ୍ରକାଶ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସ୍ବାସ୍ଥ୍ୟ ବିଭାଗ ଏବଂ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଥିଲା। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆମ୍ବୁଲାନ୍ସରେ ଥିବା ଫାର୍ମାସିଷ୍ଟ୍ଙ୍କୁ ତୁରନ୍ତ କାର୍ଯ୍ୟରୁ ବିଦା କରିଥିଲେ। ଏହି ଘଟଣାରେ ଶୂନ୍ୟ ସହନଶୀଳତା ଗ୍ରହଣ କରିବା ସହିତ ଆମ୍ବୁଲାନ୍ସରେ ଥିବା କର୍ମଚାରୀଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟ ରୁଜୁ କରିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ମାତ୍ର ମୟୂରଭଞ୍ଜରେ କିନ୍ତୁ ଏଯାଏଁ କୌଣସି ମାମଲା ରୁଜୁ ହୋଇନାହିଁ। ଓଲଟି ଦାୟିତ୍ବ ଖସାଇବାକୁ ଚାଲିଛି ରୀତିମତ ପ୍ରତିଯୋଗିତା। ଏହି ଘଟଣାରେ ପିଆରଏମ ମେଡିକାଲ୍ ଅଧୀକ୍ଷକ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମୟୂରଭଞ୍ଜ ସିଡିଏମ୍ଓ କହିଛନ୍ତି। ସେହିପରି ପିଆରଏମ ଅଧୀକ୍ଷକ ମଧ୍ୟ ଏହି ଘଟଣା ସମ୍ପର୍କରେ ବିଶେଷ କିଛି ଜାଣିନଥିବା କହିଛନ୍ତି। ଉଭୟ ସିଡିଏମଓ ଏବଂ ପିଆରଏମ ଅଧୀକ୍ଷକ ୧୦୮ ଆମ୍ବୁଲାନ୍ସ ସେମାନଙ୍କ କତ୍ତୃତ୍ବରେ ଆସୁନଥିବା କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛିଯେ ୧୦୮ ଆମ୍ବୁଲାନ୍ସ ଏବଂ ଏହା ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଉପରେ କେଉଁ ଅଧିକାରୀଙ୍କର ଜୋର୍ ଅଛି। ତେବେ ଉପରୁ ଚାପ ପଡ଼ିଥିବାରୁ ୧୦୮ ଦାୟିତ୍ବରେ ଥିବା ସଂସ୍ଥା ଗତକାଲି ଘଟଣାରେ ଆମ୍ବୁଲାନ୍ସରେ ଥିବା ଦୁଇ ଡ୍ରାଇଭର ଗିରୀଶ ଚନ୍ଦ୍ର ବିନ୍ଧାଣୀ ଓ ସଞ୍ଜୀବ କୁମାର ଦେଓ ଏବଂ ଫାର୍ମାସିଷ୍ଟ୍ ବିଭୀଷଣ ମହାନ୍ତଙ୍କୁ କାର୍ଯ୍ୟରୁ ବିଦା କରିଛି। ମାତ୍ର ଢାବାରେ ଖାଇବାରେ ସମୟ ବ୍ୟୟ କରି ଏକ ନିଷ୍ପାପ ଶିଶୁର ଜୀବନ ନେବାରେ ମାଧ୍ୟମ ସାଜିଥିବା ଏହି କର୍ମଚାରୀଙ୍କ ବିରୋଧରେ ଜିଲ୍ଲାସ୍ତରରେ ସେପରି କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଓଲଟି ଏହି କର୍ମଚାରୀମାନେ ସେମାନଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ କରି ବେତନଟୀ ଥାନାରେ ମାମଲା ରୁଜୁ କରିଛନ୍ତି। ଗତକାଲି ବେତନଟୀ ଥାନା ଆମ୍ବଯୋଡ଼ା ଗ୍ରାମର ନିଶାରଞ୍ଜନ ଓ ଗୀତା ବେହେରାଙ୍କ ଏକମାତ୍ର ପୁଅ ଜିତ(୨)ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଓଡି-୦୨-ବିଏଚ-୧୨୫୨ ନମ୍ବର ବିଶିଷ୍ଟ ୧୦୮ ଆମ୍ବୁଲାନ୍ସରେ କଟକ ବଡ଼ଡାକ୍ତରଖାନା ନେଉଥିଲେ। ପିଆରଏମ ହସ୍ପିଟାଲରୁ କଟକ ଅଭିମୁଖେ ଯାଉଥିବା ଏହି ଆମ୍ବୁଲାନ୍ସ କିନ୍ତୁ କିଛି ବାଟ ଯିବା ପରେ ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବା ନିକଟରେ ଅଟକିଥିଲା। ଉକ୍ତ ଆମ୍ବୁଲାନ୍ସର ସମସ୍ତ କର୍ମଚାରୀ ଖାଇବାକୁ ଯାଇ ପ୍ରାୟ ଦୁଇଘଣ୍ଟା କାଳ ସେଠାରେ ରହିଲେ। ଏପଟେ କିନ୍ତୁ ଶିଶୁଟିର ଅବସ୍ଥା ଖରାପ ହେବାରେ ଲାଗିଥିଲା। ଏପରିକି ସାଲାଇନ୍ ଦେବାକୁ ବାରମ୍ବାର କହୁଥିଲେ ମଧ୍ୟ ଫାର୍ମାସିଷ୍ଟ୍ କିଛି ଶୁଣିନଥିବା ମୃତ ଶିଶୁଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ୧୦୮ ଆମ୍ବୁଲାନ୍ସ ହୋଇ ମଧ୍ୟ ସାଲାଇନ୍ଟିଏ ଲଗାଯାଇ ପାରିନଥିଲା। ଫଳରେ ଅକାଳରେ ଚାଲିଯାଇଥିଲା ଶିଶୁର ଜୀବନ। ଏହି ଘଟଣାରେ ରାଜ୍ୟସ୍ତରରେ ତତ୍ପରତା ପ୍ରକାଶ ପାଇଥିଲେ ମଧ୍ୟ ଜିଲ୍ଲା ସ୍ବାସ୍ଥ୍ୟବିଭାଗ କିନ୍ତୁ ଚୁପ୍ ହୋଇ ବସିଥିବା ଅଭିଯୋଗ ହୋଇଛି। ଜିଲ୍ଲାରେ ଅନେକ ସମୟରେ ୧୦୮ ଦରକାର ବେଳେ ପହଞ୍ଚିପାରୁନଥିବା ଅଭିଯୋଗ ହୋଇଆସୁଛି। ଏହାର ପରିଚାଳନା ଏବଂ ନିୟନ୍ତ୍ରଣକୁ ନେଇ ପ୍ରଶ୍ନ ଉଠିଛି। ଯଦି ସିଡିଏମଓ କିମ୍ବା ପିଆରଏମ ମେଡିକାଲ୍ କତ୍ତୃପକ୍ଷ ଏହାର ନିୟନ୍ତ୍ରଣ ନେଇ ହାତ ଟେକିଦେଉଛନ୍ତି, ତେବେ ଜନସାଧାରଣ କଣ ଉପକାର ପାଇବେ ତାହା ସନ୍ଦିହାନ ହୋଇପଡ଼ିଛି।