ହେଡଲାଇନସ୍:

ଆଗାମୀ କିଛି ସପ୍ତାହ ମଧ୍ୟରେ 10 ଲକ୍ଷ ନମୁନା ପରୀକ୍ଷା ଲକ୍ଷ୍ୟ : ପ୍ରଧାନମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋଲକାତା, ମୁମ୍ବାଇ ଓ ନୋଏଡାରେ ଉଚ୍ଚକ୍ଷମତା ସମ୍ପନ୍ନ କୋଭିଡ ଟେଷ୍ଟିଂ ସୁବିଧାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

• ଭାରତରେ ବର୍ତ୍ତମାନ 11,000ରୁ ଅଧିକ କୋଭିଡ ଚିକିତ୍ସା କେନ୍ଦ୍ର ଏବଂ 11 ଲକ୍ଷ ଆଇସୋଲେସନ ଶଯ୍ୟା ରହିଛି

• ନୂତନ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ ସହିତ ଗ୍ରାମାଂଚଳରେ ଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

• ପରୀକ୍ଷା ସୁବିଧା ପ୍ରତିଷ୍ଠା କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀଗଣ, ମତାମତ ଦେବା ସହିତ କଠିନ ପରିସ୍ଥିତିରେ ତାଙ୍କର ନେତୃତ୍ୱକୁ କଲେ ପ୍ରଶଂସା

ନୂଆଦିଲ୍ଲୀ(ଏସପିବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଉଚ୍ଚ କ୍ଷମତାସମ୍ପନ୍ନ କୋଭିଡ ପରୀକ୍ଷାଗାରଗୁଡ଼ିକର ଉଦଘାଟନ କରିଛନ୍ତି । ଏସବୁ ସୁବିଧା କୋଲକାତା, ମୁମ୍ବାଇ ଏବଂ ନୋଏଡାରେ ଥିବା ଭାରତୀୟ ଚିକିତ୍ସା ଗବେଷଣା ପରିଷଦର ଜାତୀୟ ସଂସ୍ଥାନଗୁଡ଼ିକରେ ଖୋଲାଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏସବୁ ହାଇଟେକ ଅତ୍ୟାଧୁନିକ ସୁବିଧା ଦେଶରେ କୋଭିଡ ନମୁନା ପରୀକ୍ଷା ସଂଖ୍ୟାକୁ ବଢ଼ାଇବାରେ ସହାୟକ ହୋଇପାରିବେ । ଏହା ଜରିଆରେ ତିନୋଟି ସହରରେ ଦୈନିକ ନମୁନା ପରୀକ୍ଷା କ୍ଷମତା ଅତିରିକ୍ତ 10 ହଜାର ଲେଖାଏଁ ବୃଦ୍ଧି ପାଇବ । ଅଧିକ ସଂଖ୍ୟକ ନମୁନା ପରୀକ୍ଷା ଓ ଆଗୁଆ ରୋଗ ଚିହ୍ନଟ କରାଯିବା ଫଳରେ ସଠିକ ସମୟରେ ଚିକିତ୍ସା ଯୋଗାଇ ଦିଆଯାଇପାରିବ । ଫଳରେ ଭୂତାଣୁ ସଂକ୍ରମଣକୁ ରୋକିବା ସମ୍ଭବ ହୋଇପାରିବ । ସେ ଉଲ୍ଲେଖ କରିଥିଲେ ଯେ ଏସବୁ ପରୀକ୍ଷାଗାର କେବଳ କରୋନା ପରୀକ୍ଷାରେ ସୀମିତ ରହିବ ନାହିଁ । ଭବିଷ୍ୟତରେ ଏଠାରେ ହେପାଟାଇଟିସ ବି, ସି, ଏଚଆଇଭି, ଡେଙ୍ଗୁ ଏବଂ ଅନ୍ୟ ରୋଗର ଚିକିତ୍ସା କରାଯାଇପାରିବ ।

ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ଠିକଣା ସମୟରେ ନିଷ୍ପତ୍ତି ନିଆଯିବା ଫଳରେ ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟାରେ ଭାରତ ଉନ୍ନତ ସ୍ଥିତିରେ ରହିଛି । ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ଆରୋଗ୍ୟ ହାର ମଧ୍ୟ ଭଲ ରହିଛି ଓ ଏଥିରେ ଦିନକୁ ଦିନ ସୁଧାର ଦେଖିବାକୁ ମିଳୁଛି । ଏହି ଭୂତାଣରୁ ପାଖାପାଖି ଦଶ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିସାରିଲେଣି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ମୁକାବିଲା ପାଇଁ ଦ୍ରୁତ ଗତିରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ କରିବା ଦେଶ ପାଇଁ ଜରୁରି ଥିଲା । ସେ ଉଲ୍ଲେଖ କରିଥିଲେ ଯେ ଆରମ୍ଭରୁ କେନ୍ଦ୍ର ସରକାର ଏଥିପାଇଁ 15 ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ବର୍ତ୍ତମାନ ଦେଶରେ 11,000ରୁ ଅଧିକ କୋଭିଡ ଚିକିତ୍ସା କେନ୍ଦ୍ର ଏବଂ 11 ଲକ୍ଷରୁ ଅଧିକ ଆଇସୋଲେସନ ଶଯ୍ୟା ରହିଛି ।

ଜାନୁଆରୀରେ ଦେଶରେ ମାତ୍ର ଗୋଟିଏ କୋଭିଡ ପରୀକ୍ଷାଗାର ଥିଲା । ବର୍ତ୍ତମାନ 13ଶହରୁ ଅଧିକ ପରୀକ୍ଷାଗାର କାର୍ଯ୍ୟକ୍ଷମ ହୋଇସାରିଲାଣି । ଦେଶରେ ଏବେ ଦୈନିକ 5 ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହେଉଥିବା ବେଳେ ଆଗାମୀ କିଛି ସପ୍ତାହ ମଧ୍ୟରେ ଏହି କ୍ଷମତାକୁ 10 ଲକ୍ଷ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।

ସେ ଉଲ୍ଲେଖ କରିଥିଲେ ଯେ ଦେଶ ବିଶ୍ୱର ଦ୍ୱିତୀୟ ସର୍ବବୃହତ ପିପିଇ ନିର୍ମାତା ହୋଇପାରିଛି । ମାତ୍ର 6 ମାସ ପୂର୍ବରୁ ଦେଶରେ ଗୋଟିଏ ହେଲେ ପିପିଇ କିଟ ଉତ୍ପାଦନ ହେଉନଥିଲା । ବର୍ତ୍ତମାନ ଦେଶରେ 12ଶହରୁ ଅଧିକ ପିପିଇ ନିର୍ମାତା ରହିଛନ୍ତି ଏବଂ ସେମାନେ ଦୈନିକ 5 ଲକ୍ଷ ପିପିଇ କିଟ ତିଆରି କରୁଛନ୍ତି । ସେ ମଧ୍ୟ ଉଲ୍ଲେଖ କରିଥିଲେ ଯେ ଏନ-95 ମାସ୍କ ଆମଦାନୀ କରିବା ସ୍ଥିତିରୁ ବର୍ତ୍ତମାନ ଆମେ ଦୈନିକ 3 ଲକ୍ଷ ମାସ୍କ ତିଆରି କରିବା ସ୍ଥିତିରେ ପହଁଚିଯାଇଛୁ । ଭେଂଟିଲେଟରର ବାର୍ଷିକ ଉତ୍ପାଦନ 3 ଲକ୍ଷରେ ପହଁଚିଯାଇଛି  । ସେହିପରି ମେଡ଼ିକାଲ ଅକ୍ସିଜେନ ସିଲିଣ୍ଡର ଉତ୍ପାଦନ ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । ଏହା କେବଳ ଜୀବନ ରକ୍ଷା କରିନାହିଁ ବରଂ ଭାରତ ଆମଦାନୀକାରୀରୁ ରପ୍ତାନିକାରୀରେ ପରିଣତ ହୋଇଯାଇଛି ।

ଗ୍ରାମାଂଚଳରେ ସଂକ୍ରମଣକୁ ପ୍ରତିହତ କରିବା ଲାଗି ନୂତନ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ କରିବା ସହିତ ବର୍ତ୍ତମାନର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁବିଧାକୁ ବମାଇବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭୌତିକ ଭିତ୍ତିଭୂମି ବିକାଶ କରିବା ସହିତ ଦେଶ କୋଭିଡ ପରିଚାଳନା ଲାଗି ମାନବ ସମ୍ବଳଙ୍କୁ ନିୟୋଜିତ କରିବାରେ ମଧ୍ୟ ବିଶେଷ ସଫଳ ହୋଇଛି । ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀମାନେ ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା କ୍ଷେତ୍ରରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଅବସରପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ନିୟୋଜିତ କରିବା ଏବଂ କରୋନା ଯୋଦ୍ଧମାନେ ସମ୍ମୁଖୀନ ହେଉଥିବା ଭେଦଭାବକୁ ଦୂର କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।

ଆଗାମୀ ଦିନରେ ପାର୍ବଣ ଋତୁ ଆସୁଥିବାରୁ ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଲୋକମାନଙ୍କୁ ସତର୍କ ରହିବା ନିମନ୍ତେ ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ । ଠିକ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲୋକମାନଙ୍କ ନିକଟରେ ପହଁଚାଇବା ଉପରେ ସେ ଜୋର ଦେଇଥିଲେ । ସେ ଉଲ୍ଲେଖ କରିଥିଳେ ଯେ  ଯେପର୍ଯ୍ୟନ୍ତ ଟୀକା ପ୍ରସ୍ତୁତ କରାଯାଇନାହିଁ ଦୁଇ ଗଜ ଦୂରତା, ମାସ୍କ ପିନ୍ଧିବା ଏବଂ ହାତ ସଫା ରଖିବା ଲୋକମାନଙ୍କୁ ସୁରକ୍ଷିତ ରଖିପାରିବ ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ କହିଥିଲେ ଯେ ଏବେ ସାରା ଦେଶରେ କୋଭିଡ ପରୀକ୍ଷାଗାର କାର୍ଯ୍ୟକ୍ଷମ ହୋଇସାରିଲାଣି । ସେ ମଧ୍ୟ ସୂଚନା ଦେଇଥିଲେ ଯେ ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହିତ ମିଶି କେନ୍ଦ୍ର ଗୃହ ମନ୍ତ୍ରୀ ପ୍ରୟାସ କରୁଛନ୍ତି ।

0
0
0
s2sdefault