ବାବୁଲା ଓ କୁମୁଦିନୀଙ୍କ ଉପରେ ପଡିବ କି ପ୍ରଶାସନର ନଜର !
ଆଠମଲ୍ଲିକ/ସନ୍ତୋଷ ମେହେର: ଯୋଜନା ମାଳ ମାଳ ହେଲେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବାରେ ବିଫଳ I ଆମେ କହୁଛୁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତ ବେଲତଇଳା ଗ୍ରାମର ବାବୁଲା ନାୟକ ଏବଂ ତାଙ୍କ ପତ୍ନୀ କୁମୁଦିନୀଙ୍କର କରୁଣ ଦୁଃଖର କଥା I ବାବୁଲାଙ୍କର ଗୋଟେ ଗୋଡ଼ ଜନ୍ମରୁ ପୋଲିଓ ଆଉ ପରିବାର କହିଲେ ପତ୍ନୀ କୁମୁଦିନୀ I ତେବେ ସମ୍ପତ୍ତି କହିଲେ ଭଙ୍ଗା ଦଦରା ଚାଳ ଘର ଛାଡା ଆଉ କିଛି ନାହିଁ I ପୂର୍ବରୁ ତାଙ୍କ ପତ୍ନୀ ବାହାରେ ମୂଲ ଲାଗି କାମ କରୁଥିଲେ ଏବଂ ବାବୁଲା ନିକଟବର୍ତ୍ତୀ ଗ୍ରାମ ଗୁଡିକରୁ ଭିକ୍ଷା ମାଗି କଷ୍ଟେ ମଷ୍ଟେ ଚଳୁଥିଲେ I କିନ୍ତୁ ଭାଗ୍ୟର ବିଡମ୍ବନା ତିନି ବର୍ଷ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କର ଆଖି ରୋଗ ହେବାରୁ ଅର୍ଥାଭାବ କାରଣରୁ କୁମୁଦିନୀଙ୍କର ଚିକିତ୍ସା କରିପାରିନଥିଲେ ଫଳରେ ତାଙ୍କର ଦୁଇଟି ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା I ବାବୁଲା ଭିକ୍ଷା ମାଗି ଏବଂ ରାସନ କାର୍ଡଟିରୁ ଯେତକ ଚାଉଳ ପାଉଥିଲେ ସେଥିରୁ ବହୁ କଷ୍ଟରେ ଚଳୁଥିଲେ I କିନ୍ତୁ କିଛି ମାସ ହେଲାଣି ରାସନ କାର୍ଡରେ ଏମାନଙ୍କ ଆଧାର ଲିଙ୍କ ହୋଇନାହିଁ ବୋଲି ଏମାନଙ୍କ ରାସନ କାର୍ଡଟି କଟିଗଲା I ବର୍ତ୍ତମାନ କରୋନା ମହାମାରୀ ସମୟରେ ଏମାନଙ୍କ ଦୁଃଖ କହିଲେ ନସରେ I ବାବୁଲା ବର୍ତ୍ତମାନ ବାହାରକୁ ଭିକ ମାଗି ଯାଇପାରୁ ନାହାନ୍ତି ଫଳରେ ପେଟକୁ ଖାଦ୍ୟ ଗଣ୍ଡେ ଯୋଗାଇ ପାରୁନାହାନ୍ତି ଏମାନେ I ମୁଣ୍ଡ ଗୁଞ୍ଜିବାକୁ କହିଲେ ଚାଳଛପର ଘରଖଣ୍ଡିଏ ରହିଛି, ବର୍ତ୍ତମାନ ବର୍ଷା ପରିସ୍ଥିତି ଯୋଗୁଁ ସେହି ଘରେ ରହିବା ପାଇଁ ମଧ୍ୟ କଷ୍ଟକର ହେଉଛି I ଏମାନଙ୍କ ଦିବ୍ୟାଙ୍ଗ ପ୍ରମାଣ ପତ୍ର ନାହିଁ ତେଣୁ ଭତା ପାଇଁ ମଧ୍ୟ ଆବେଦନ କରିପାରୁ ନାହାନ୍ତି I
ଗତ 02/12/2019ରିଖ ରେ କିଛି ଲୋକଙ୍କ ସହାୟତାରେ ଅନୁଗୋଳ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହିତ ସାକ୍ଷାତ କରିଥିଲେ, ତେବେ ଜିଲ୍ଲାପାଳ ଏମାନଙ୍କୁ ତମ ପାଇଁ ବ୍ୟବସ୍ଥା କରିବା ବୋଲି କହିଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ସୁଫଳ ମିଳିଲା ନାହିଁ ଏମାନଙ୍କ ଗୁହାରି I ତେବେ ଗ୍ରାମବାସିଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଏମାନଙ୍କ କାଟିଥିବା ରାସନ କାର୍ଡରେ ଚାଉଳ ଏବଂ ଆବାସ ଯୋଜନାରେ ଘର ଓ ଭତା ଯୋଗାଇ ଦେବାକୁ ଦାବି ହେଉଛି I