ପାଟଣାଗଡ/ବେଳପଡା (ବିମଳ କୁମାର ବାଗ) : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଦଲିମୁଣ୍ଡା ଗାଁରେ ଶନିବାର ଅପରାହ୍ନରେ ଡବଲ ମର୍ଡର ହୋଇଛି । ମାତ୍ର ୧୦ ହଜାର ଟଙ୍କାକୁ କେନ୍ଦ୍ର କରି ଗାଁର ରାଉତ ଏବଂ ବନଛୋର ପରିବାର ମଧ୍ୟରେ ମାଡ଼ପିଟ ହେବାରୁ ମୋତିଲାଲ ବନଛୋର ( ୫୮ ) ଏବଂ ତାଙ୍କ ପୁଅ ଛନ୍ଦମଣି ବନଛୋର ( ୩୦ ) ଙ୍କ ମୃତ୍ୟୁ ଘଟିଛି । ସଂଘର୍ଷରେ ହେମନ୍ତ ବନଛୋର ( ୩୦ ) , ବାନ୍ଧୀକି ରାଉତ ( ୬୦ ) , ଫକିର ରାଉତ ( ୩୫ ) , ମଙ୍ଗଳ ରାଉତ ( ୩୦ ) ଓ ଗୌର ରାଉତ ( ୨୬ ) ମଧ୍ୟ ଗୁରତର ଆହତ ହୋଇଛନ୍ତି । ସେମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବେଲପଡ଼ା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ , ଏହି ଗାଁର ବାଲ୍ଲୀକି ରାଉତଙ୍କ ପୁଅ ମଙ୍ଗଳ ରାଉତ ଜଣେ ଟ୍ରାକ୍ଟର ଚାଳକା ମୋତିଲାଲ ଗୋଟିଏ ଟ୍ରାକ୍ଟର ଲିଜ୍ ସୂତ୍ରରେ ଆଣିଥିଲେ । ମଙ୍ଗଳ ସେହି ଟ୍ରାକ୍ଟରରେ ଡ୍ରାଇଭର ଥିଲେ । ମଙ୍ଗଳ କୁଆଡ଼େ ୧୦ ମାସର ଦରମା ପାଇ ନଥିଲେ । ଏହାକୁ ନେଇ ମଙ୍ଗଳ ଓ ମୋତିଲାଲଙ୍କ ମଧ୍ୟରେ ଅନେକ ଥର ଝାମେଲା ହୋଇଥିଲା । କିଛି ଦିନ ପୂର୍ବରୁ ମୋତିଲାଲ ଡ୍ରାଇଭର ମଙ୍ଗଳଙ୍କୁ କିଛି ଟଙ୍କା ଦେଇଥିଲେ । ବକେୟା ଥିବା ପ୍ରାୟ ୧୦ ହଜାର ଟଙ୍କାକୁ କେନ୍ଦ୍ର କରି ଶନିବାର ଯୁକ୍ତିତର୍କ ହୋଇଥିଲା । ଏହି ଘଟଣାରୁ ଉଭୟଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ପରିବାରରୁ ୫ ଜଣ ଲେଖାଏଁ ମାରଣାସ୍ତ୍ର ଧରି ଗାଁ ଶେଷ ମୁଣ୍ଡରେ ଥିବା ମୁଣ୍ଡାପଲା ବନ୍ଧ ନିକଟରେ ମାଡ଼ପିଟ ହୋଇଥିଲେ । ମଙ୍ଗଳ ଏକ ତାବଳିରେ ଆକ୍ରମଣ କରିବାରୁ ମୋତିଲାଲ ଘଟଣାସ୍ଥଳରେ ଟଳିପଡ଼ିଥିଲେ । ପରେ ଛନ୍ଦମଣିଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା । ଲୋକଙ୍କଠାରୁ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗରୁତରଙ୍କୁ ଡାକ୍ତରଖାନାକୁ ଆଣିଥିଲେ । ପାଟଣାଗଡ଼ ଏସ୍ଡିପିଓ ସୁରେଶ ନାୟକ , ବେଲପଡ଼ା ଥାନା ପୁଲିସ , ବଲାଙ୍ଗୀରରୁ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି
ରାଜ୍ୟ
୧୦ ହଜାର ଟଙ୍କା ପାଇଁ ଡବଲ ମର୍ଡର: ବାପ-ପୁଅଙ୍କୁ ହତ୍ୟା, ୫ଗୁରୁତର
- Hits: 1060








