ସୋହେଲା ସମାବେଶରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବା ପାଇଁ କଲେ ଅନୁରୋଧ
ବରଗଡ଼ (ଶାସକ ପ୍ରଶାସକ) : ବରଗଡ଼ ସମବାୟ ଚିନିକଳ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ | ଗତବର୍ଷ ଫେବୃଆରୀ ୨୨ ତାରିଖରେ ସୋହେଲା ଠାରେ ଅନୁଷ୍ଠିତ ସମାବେଶରେ ବରଗଡ଼ ଚିନିକଲର ପୁନରୁଦ୍ଧାର ପାଇଁ ଦେଇଥିବା ପ୍ରତିଶ୍ରୁତି ଓ ୧୧ କୋଟି ଟଙ୍କାର ପ୍ୟାକେଜ ଘୋଷଣା ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସ୍ମରଣ କରାଇ ଦେଇ ତାହା ପୁରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି |
ଶ୍ରୀ ପୂଜାରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବରଗଡର ଏହି ଚିନିକଳ କେବଳ ବରଗଡ଼ ଅଂଚଳରେ ସମୃଦ୍ଧିର ପ୍ରତୀକ ନଥିଲା, ଏହା ରାଜ୍ୟ ପାଇଁ ଗୌରବ ଥିଲା | ଏହି ଚିନିକଳରେ ୨୦୦ ଜଣ ଲୋକ ସିଧା ସଳଖ ନିଯୁକ୍ତ ହୋଇଥିବା ବେଳେ ଏବେ ଏହି ୟୁନିଟ ବନ୍ଦ ପଡିଥିବା ଯୋଗୁ ଏହି ୨୦୦ ପରିବାର ଚରମ ଦୁର୍ଦ୍ଦଶା ଭିତରେ ଗତି କରୁଛନ୍ତି | ଏହା ସହିତ ପରୋକ୍ଷ ଭାବରେ ହଜାର ହଜାର ସଂଖ୍ୟାରେ ଆଖୁ ଚାଷୀ ଆଖୁ ଯୋଗାଣ କରି, ଅନେକେ ଯୁବକ ଟ୍ରାକ୍ଟର ମାଧ୍ୟମରେ ଆଖୁ ପରିବହନ କରି ଏହି ଚିନିକଳ ଦ୍ୱାରା ଉପକୃତ ହେଉଥିଲେ | ଗତବର୍ଷ ଫେବୃଆରୀ ୨୨ ତାରିଖରେ ସୋହେଲା ଠାରେ ଅନୁଷ୍ଠିତ ସମାବେଶରେ ବରଗଡ଼ ଚିନିକଲର ପୁନରୁଦ୍ଧାର ପାଇଁ ଦେଇଥିବା ପ୍ରତିଶ୍ରୁତି ଓ ୧୧ କୋଟି ଟଙ୍କାର ପ୍ୟାକେଜ ଘୋଷଣାର ପ୍ରାୟ ବର୍ଷେରୁ ଅଧିକ ସମୟ ବିତିଯାଇଥିବା ବେଳେ ବର୍ତ୍ତମାନ ଆଉ କାଳ ବିଳମ୍ବ ନକରି ଏହି ଚିନିକଳକୁ ଚାଲୁ କରିବା ପାଇଁ ଶ୍ରୀ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି | ପୂର୍ବରୁ ଏହି ଚିନିକଳରୁ ବାହାରୁଥିବା ବର୍ଜ୍ୟ (ମୋଲାସେସ) ଫିଙ୍ଗି ଦିଆଯାଉଥିବା ବେଳେ ଏବେ ତାହାକୁ ମଧ୍ୟ ଇଥାଇଲ ଆଲକୋହଲ ପ୍ରସ୍ତୁତିରେ ବ୍ୟବହାର କରାଯାଇପାରିବ | ବର୍ତ୍ତମାନ ଏହି କରୋନା କାଳରେ ସ୍ବଦେଶୀ ସାନିଟାଇଜର ପ୍ରସ୍ତୁତିରେ ଏହି ଇଥାଇଲ ଆଲକୋହଲକୁ ବ୍ୟବହାର କରାଯାଇପାରିବ ବୋଲି ସାଂସଦ ଶ୍ରୀ ପୂଜାରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି | ଏହା ସହ ଚିନିକଲର ବର୍ତ୍ତମାନ ସ୍ଥିତି ଅନୁଧ୍ୟାନ କରି ତାର ପୁନରୁଦ୍ଧାର ପ୍ରକ୍ରିୟା ଆରଂଭ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଜଣେ ଆଇଏଏସଙ୍କୁ ସ୍ୱତନ୍ତ୍ର ଭାବେ ଏହାର ପରିଚାଳନା ଦାୟିତ୍ୱରେ ଅବସ୍ଥାପିତ କରିବା ପାଇଁ ସାଂସଦ ଶ୍ରୀ ପୂଜାରୀ ଅନୁରୋଧ କରିଛନ୍ତି |