କ୍ୱରେଣ୍ଟିନ ସେଣ୍ଟରୁ ୧୧୨, ହୋମ କ୍ୱରେଣ୍ଟିନରୁ ୧୨, ଲୋକାଲ କଣ୍ଟାକ୍ଟରୁ ୭୫, କୋଭିଡ଼ଯୁଦ୍ଧା- ୨୫
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ କରୋନା ସ୍ଥିତି କ୍ରମଶଃ ବିଗିଡ଼ିବା ଆରମ୍ଭ କରିଛି । ଜିଲ୍ଲାରେ ସର୍ବପ୍ରଥମ କରୋନା ପଜିଟିଭ ମେ ୭ କପ୍ତିପଦା ବ୍ଲକ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ଏବଂ ଉକ୍ତ ଦିନରେ ମୋଟ ୪ ଜଣ ସୁରଟ ଫେରନ୍ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ମେ ୭ରୁ ଜୁଲାଇ ୧୦ ଅର୍ଥାତ୍ ୬୪ ଦିନ ବ୍ୟବଧାନରେ ଜିଲ୍ଲାରେ ଦୈନିକ ୪.୯୫ରୁ ଅଧିକ ହାରରେ ମୋଟ ୩୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଜିଲ୍ଲାର ବିଭିନ୍ନ କ୍ୱରେଣ୍ଟିନ କେନ୍ଦ୍ରରୁ ୨୦୫ ଜଣ, ହୋମ କ୍ୱରେଣ୍ଟିନରୁ ୧୨ ଜଣ, ଲୋକାଲ କଣ୍ଟାକ୍ଟରୁ ୭୫ ଜଣଙ୍କ ସହିତ ୨୫ ଜଣ କୋଭିଡ଼-୧୯ ଯୁଦ୍ଧା ରହିଛନ୍ତି । ସେହିପରି ଜିଲ୍ଲାରେ ଜୁନ ୬ରେ ବହଳଦା ବ୍ଲକ ଅଞ୍ଚଳରୁ ଜଣେ ମହିଳା ପ୍ରଥମେ ଲୋକାଲ କଣ୍ଟାଟରୁ ଚିହ୍ନଟ ହୋଇଥିବା ସମୟରେ ଜୁଲାଇ ୧୦ ଅର୍ଥାତ୍ ୩୫ ଦିନ ବ୍ୟବଧାନରେ ଦୈନିକ ୨.୧୪ ହିସାବରେ ଜିଲ୍ଲାରେ ୭୫ ଜଣ ଲୋକାଲ କଣ୍ଟାକ୍ଟରୁ ପଜିଟିଭ ଆସିଛନ୍ତି । ପୁଣି ଜୁନ ୧୪ରେ ପ୍ରଥମେ ବାରିପଦା ପୌରପରିଷଦରୁ ୩ ଜଣ କୋଭିଡ଼ ଯୁଦ୍ଧାଙ୍କ ରିପୋର୍ଟ ପଜିଟିଭ ଆସିଥିଲା ଏବଂ ୨୭ ଦିନ ବ୍ୟବଧାନରେ ଜିଲ୍ଲାରେ ୨୫ରୁ ଅଧିକ କୋଭିଡ଼-୧୯ ଯୁଦ୍ଧା କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବାର ଜଣାପଡ଼ିଛି । ଜିଲ୍ଲାରେ ଲୋକାଲ କଣ୍ଟାକ୍ଟ ଏବଂ କୋଭିଡ଼-୧୯ ଯୁଦ୍ଧା କରୋନା ଆକ୍ରାନ୍ତ ହେବା ଘଟଣା ଜିଲ୍ଲାର ସ୍ଥିତି ବିଗିଡ଼ିବା ଆରମ୍ଭ କରିଦେଇଥିବା ଦିଗକୁ ଅଙ୍ଗୁଳି ନିଦେ୍ଧଶ କରାଉଛି । ଏହି ସମୟରେ ଉଭୟ ପ୍ରଶାସନ ଓ ଜିଲ୍ଲାବାସୀ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ଦେଖା ଦେଇଛି । କିନ୍ତୁ, ଜିଲ୍ଲାର ବିଭିନ୍ନ ବ୍ଲକ ସହିତ ସଦର ମହକୁମା ବାରିପଦା ସହରର ସ୍ଥିତାବସ୍ଥାକୁ ଅନୁଧ୍ୟାନ କଲେ କରୋନା ମୁକାବିଲା ନିମନ୍ତେ ଜାରି ହୋଇଥିବା ମାର୍ଗଦର୍ଶୀକାକୁ ଜନସାଧାରଣ, ସରକାରୀ କର୍ମଚାରୀ ଓ ବିଭିନ୍ନ ରାଜନୈତିକ ଦଳ ଅନୁପାଳନ କରିବାକୁ ପ୍ରସ୍ତୁତ ନଥିବାର ପରିଲକ୍ଷିତ ହୋଇଛି ।
ଏହି ସମୟରେ ଆଜି ମୟୂରଭଞ୍ଜ ଜିଲ୍ଲାରେ କୁଳିଅଣା-୧, ବହଳଦା-୧, ଜାମଦା-୧, ଯଶୀପୁର-୧, କୁସୁମୀ-୧, ଉଦଳା-୧, ଶୁକୃଳି-୨, ରାଇରଙ୍ଗପୁର ବ୍ଲକରୁ ୪ ଏହିପରି ମୋଟ ୧୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସମୟରେ କର୍ଣ୍ଣାଟକ-୧, ମହାରାଷ୍ଟ୍ର-୨ ଏବଂ ଛତିଶଗଡ଼ ରାଜ୍ୟ ଫେରନ୍ତା ଜଣେ ରହିଛନ୍ତି । ସେହିପରି ପ୍ରଥମ ଥର ରାଇରଙ୍ଗପୁର ବ୍ଲକରୁ-୪, କୁଳିଅଣା ବ୍ଲକରୁ-୧ ଓ ଶୁକୃଳି ବ୍ଲକରୁ ୧ ଲୋକାଲ କଣ୍ଟାକ୍ଟରୁ ଏବଂ ଉଦଳା ଓ ଜାମଦା ବ୍ଲକ ଅଞ୍ଚଳରୁ ୨ ଜଣ କରୋନା ଯୁଦ୍ଧା କୋଭିଡ଼-୧୯ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତମାନଙ୍କୁ କୋଭିଡ଼ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଛି ବୋଲି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ଆଜି ଜିଲ୍ଲାରେ ୭ ଜଣ ସୁସ୍ଥ ହୋଇ ଫେରିଆସିଥିବା ବେଳେ ଜିଲ୍ଲାରେ ମୋଟ ସୁସ୍ଥ ସଂଖ୍ୟା ୨୨୦, ସକ୍ରିୟ ସଂଖ୍ୟା ୯୫ରେ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ମୃତ୍ୟୁ ସଂଖ୍ୟା ୨ ଥିବାର ଜଣାପଡ଼ିଛି ।