କିଟ୍ ଆଇନ ମହାବିଦ୍ୟାଳୟରେ ଉଦ୍ଘାଟିତ ହେଲା ମଧୁସୂଦନ ଚେୟାର ଓ ଗବେଷଣା କେନ୍ଦ୍ର
ଭୁବନେଶ୍ୱର(ମାନସୀ ମିଶ୍ର ) କିଟ୍ ଆଇନ୍ ବିଦ୍ୟାଳୟରେ ଶନିବାର ଉକ୍ରଳ ଗୌରବ କୁଳବୃଦ୍ଧ ମଧୁସୂଦନଙ୍କ ଜୟନ୍ତୀ ଅବସରରେ ମଧୁସୂଦନ ଚେୟାର ଓ ଗବେଷଣା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଏହି ଗବେଷଣା କେନ୍ଦ୍ର ଜରିଆରେ ମଧୁବାବୁଙ୍କ ଜୀବନୀ ଓ ତାଙ୍କ କାର୍ଯ୍ୟଶୈଳୀ ଉପରେ ଅଧିକ ଅଧ୍ୟୟନ ଓ ଗବେଷଣା କରାଯିବ । ମଧୁବାବୁ ଓଡ଼ିଶାର ପ୍ରଥମ ଆଇନ୍ ଛାତ୍ର ଓ ପ୍ରଥମ ବାରିଷ୍ଟର ହୋଇଥିବା ବେଳେ ଓଡ଼ିଶାର ଶିକ୍ଷା ଓ ନାରୀ ଶିକ୍ଷାର ବିକାଶ ପାଇଁ ଅନେକ କିଛି କରିଯାଇଛନ୍ତି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଲେ, କିଟ୍ ଲ ସ୍କୁଲ୍ରେ ମଧୁବାବୁଙ୍କ ଚେୟାର ଓ ଗବେଷଣା କେନ୍ଦ୍ର ସ୍ଥାପନା ହେବା ଦ୍ୱାରା ମଧୁବାବୁଙ୍କ ଇତିହାସରେ ଏକ ଅଧ୍ୟାୟ ଯୋଡ଼ା ହୋଇଗଲା । ମଧୁବାବୁଙ୍କ ଭଳି ମହାନ ଆତ୍ମାଙ୍କ ପାଇଁ ଏଭଳି ଏକ ଗବେଷଣା ଚେୟାର ପ୍ରତିଷ୍ଠା କରିବାଠାରୁ ତାଙ୍କୁ ମନେପକାଇବା ପାଇଁ ଆଉ କିଛି ସମ୍ମାନ ନାହିଁ । ଏହି ଗବେଷଣା କେନ୍ଦ୍ରର ସଫଳତା କାମନା କରି ସେ କହିଲେ, ଏହା ଦ୍ୱାରା କିଟ୍ ଲ ସ୍କୁଲ୍ର ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବା ସହ ଅନ୍ୟ ଛାତ୍ରଛାତ୍ରୀ ଓ ଗବେଷକମାନେ ମଧ୍ୟ ମଧୁବାବୁଙ୍କ ଉପରେ ଅଧିକ ଗବେଷଣା କରିବା ପାଇଁ ସୁଯୋଗ ପାଇବେ । ଯେଉଁ ଛାତ୍ରଛାତ୍ରୀମାନେ ଆଇନଜୀବୀ ହେବାକୁ ଇଚ୍ଛା କରୁଛନ୍ତି ସେମାନେ ମଧୁବାବୁଙ୍କ ପଦାଙ୍କ ଅନୁସରଣ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କହିଲେ, ମଧୁବାବୁ କଲିକତାରୁ ଫେରି ଓଡ଼ିଶାର ଦୟନୀୟ ସ୍ଥିତି ଜାଣିବାକୁ ପାଇଲେ । ଓଡ଼ିଆଙ୍କ ଉତ୍ଥାନ ଦିଗରେ ମଧୁବାବୁ ଯେଉଁସବୁ କାର୍ଯ୍ୟ କରିଯାଇଛନ୍ତି ତାହା ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିବ । ଆତ୍ମ ସମ୍ମାନ ପ୍ରତି ମଧୁବାବୁ ସଜାଗ ଥିବାରୁ ତାଙ୍କ ଜୟନ୍ତୀଙ୍କୁ ସ୍ୱାଭିମାନ ଦିବସ ରୂପେ ପାଳନ କରାଯାଉଥିବା ସେ କହିଥିଲେ । ଓଡ଼ିଆମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସେ ଆହ୍ୱାନ କରିଥିଲେ । ସ୍ୱାଗତ ଭାଷଣ ଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମଧୁବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । କିଟ୍ ଆଇନ୍ ବିଦ୍ୟାଳୟରେ ମଧୁବାବୁଙ୍କ ନାମରେ ଏକ ଚେୟାର ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ୱାରା ଉଭୟ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଗବେଷକମାନେ ମଧୁବାବୁଙ୍କ ଉପରେ ଅଧିକ ଗବେଷଣା କରିପାରିବେ । ମଧୁବାବୁ ଯୁବ ସମାଜ ପାଇଁ ଜଣେ ଆଦର୍ଶ ହୋଇଥିôବାରୁ କିଟ୍ ଲ ସ୍କୁଲ୍ ଅଧୀନରେ ଏଭଳି ଏକ ଚେୟାର ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବାର ଯଥାର୍ଥତା ରହିଛି ବୋଲି ସେ କହିଥିଲେ । କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷିକେଶ ମହାନ୍ତି ସଭାପତିତ୍ୱ ଅଭିଭାଷଣ ପ୍ରଦାନ କରିଥିବା ବେଳେ କିଟ୍ ଆଇନ୍ ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର ନିର୍ମଳକାନ୍ତି ଚକ୍ରବର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଡ. ବିମଳେନ୍ଦୁ ମହାନ୍ତିଙ୍କ ଦ୍ୱାରା ଲିଖିତ‘ଉକ୍ରଳ ଗୌରବ ମଧୁସୂଦନ ଦାସ’ ପୁସ୍ତକର ହିନ୍ଦୀ ଅନୁବାଦିତ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲ । ପ୍ରକାଶିକା ସବିତା ଦାସଙ୍କ ଏହାର ହିନ୍ଦୀ ଅନୁବାଦ କରିଥିବା ବେଳେ ବିଶ୍ୱମୁକ୍ତି ପ୍ରକାଶନ ପକ୍ଷରୁ ପୁସ୍ତକଟି ପ୍ରକାଶିତ ହୋଇଛି ।