ଭୁବନେଶ୍ୱର - ରାଜ୍ୟ ସରକାର କରୋନା ମହାମାରୀ ଆଳରେ ଦୁଇବର୍ଷ ପାଇଁ ଆର୍ଥିକ କଟକଣା ଲଗାଇ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟବନ୍ଦ କରିବା ସହ ନିଯୁକ୍ତି ବନ୍ଦ କରିବାପାଇଁ ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ତାହା ରାଜ୍ୟର ଛାତ୍ର, ଯୁବ ସମାଜ ଓ ବିଶେଷକରି ବେକାର ଯୁବକଯୁବତୀଙ୍କୁ ହତାସ କରିଛି | ନବୀନ ପଟ୍ଟନାୟକ ସରକାର ଦୀର୍ଘ ୨୦ବର୍ଷ ଧରି ଓଡ଼ିଶାର ଯୁବକ ଓ ଛାତ୍ରମାନଙ୍କୁ ଭୂଆଁ ବୁଲାଇ ଆସୁଛନ୍ତି । ନିର୍ବାଚନୀ ଇସ୍ତାହାରରେ ବିଜେଡ଼ି କହିଥିଲା ଯେ ବର୍ଷକୁ ଏକଲକ୍ଷ ନିଯୁକ୍ତି ଦେବ ମାତ୍ର ୨୦ବର୍ଷରେ ୨୦ଲକ୍ଷ ବଦଳରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ମାତ୍ର ୫୦ହଜାରରୁ କମ ନିଯୁକ୍ତି ଦେଇଛନ୍ତି | ସମୁଦ୍ରକୁ ଶଙ୍ଖେପରି ଯାହା ନଗଣ୍ୟ ନିଯୁକ୍ତି ମିଳୁଥିଲା ଏବେ ଚକ୍ରାନ୍ତ କରି ସେସବୁକୁ ବନ୍ଦ କରିଦେଲେ ବୋଲି ଭୁବନେଶ୍ୱର ମଧ୍ୟମ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଶ୍ରୀ ରାଜୀବ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନିନରେ କ୍ଷୋଭ ପ୍ରକାଶ କରିଛନ୍ତି ।
ଏହି ନିର୍ଦ୍ଦେଶନାମାକୁ ଜାଣିଲାପରେ ଛାତ୍ର ଓ ଯୁବ ସମାଜ ମହଲରେ ଆଜି ହାହାକାର ସୃଷ୍ଟିହୋଇଛି । ଏବେ ରାଜ୍ୟରେ ୮୦ଲକ୍ଷରୁ ଉଦ୍ଧ୍ୱର୍ ଦଶମ ପାସକରିଥିବା ଏବଂ ୨୦ଲକ୍ଷରୁ ଉଦ୍ଧ୍ୱର୍ ଗ୍ରାଜୁଏଟ ବେକାର ଯୁବକଯୁବତୀ ନିଯୁକ୍ତି ନପାଇ ଅତି ଦୁର୍ଦ୍ଧିନରେ କାଳ କାଟୁଛନ୍ତି । ବେକାର ଯୁବକଯୁବତୀଙ୍କୁ ଭୂଆଁ ବୁଲାଇବା ପାଇଁ ନବୀନ ସରକାର ଅନେକଥର ନିଯୁକ୍ତି ମେଳାକରି ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରିଛନ୍ତି ମାତ୍ର ସେହି ବ୍ୟବସ୍ଥାରେ ଜଣେହେଲେ କେହି ନିଯୁକ୍ତି ପାଇନାହାନ୍ତି । ଏବେ ଘୋଷିତ ନିଦେ୍ର୍ଧଶନାମା ଅନୁଯାୟୀ ଦୁଇବର୍ଷ କାଳ ନିଯୁକ୍ତି ବନ୍ଦ ରହିଲେ ପଞ୍ଜିକୃତ ବେକାରଙ୍କ ମଧ୍ୟରୁ ୫୦ଭାଗ ବେକାରଙ୍କର ବୟସ ଅତିକ୍ରମ କରିଯିବ ଏବଂ ଦୁଇବର୍ଷ ମଧ୍ୟରେ ପାଠପଢ଼ା ସମାପ୍ତ କରି ଲକ୍ଷଲକ୍ଷ ଛାତ୍ରଛାତ୍ରୀ ନିଯୁକ୍ତି ନପାଇ ହତାସ ହୋଇପଡ଼ିବେ ।
୨୦ବର୍ଷ ଧରି ଏହି ସରକାର “ଋଣଂକୃତ୍ୱା ଘୃତଂପିବେତ” ନୀତିରେ ଚାଲିଛନ୍ତି । କେତେକ ଗଣମାଧ୍ୟମକୁ ହାତକରି ନିଜକୁ ଦେଶର ଏକନମ୍ବର ମୁଖ୍ୟମନ୍ତ୍ରୀ ବୋଲି ଅଭିହିତ କରୁଥିବା ଶ୍ରୀ ନବୀନ ପଟ୍ଟନାୟକ ବାସ୍ତବକ୍ଷେତ୍ରରେ ଏକ ଗରୀବ ରାଜ୍ୟର ଦୁର୍ବଳ ମୁଖ୍ୟମନ୍ତ୍ରୀ । ୨୦ବର୍ଷ ଭିତରେ ସେ ଓଡ଼ିଶାକୁ ରସାତଳଗାମି କରିଦେଇଛନ୍ତି । ଏଠିକାର ଛାତ୍ରଛାତ୍ରୀ ଓ ଯୁବକଯୁବତୀମାନେ ନିଯୁକ୍ତି ନପାଇ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମ ଜିଲ୍ଳାରେ ଦାଦନଙ୍କ ସଂଖ୍ୟା ଅଧିକ । ଓଡ଼ିଶାରେ ୨୦୦୦ ମସିହାରେ କଂଗ୍ରେସ ସରକାର କ୍ଷମତାଚୁ୍ୟତ ହେଲାବେଳେ ରାଜ୍ୟରେ ଋଣଭାର ମାତ୍ର ୧୮ହଜାର କୋଟି ଥିଲା । ସ୍ୱାଧୀନତା ପରଠାରୁ ୫୦ବର୍ଷ ମଧ୍ୟରେ ଋଣଭାର ଏତିକିରେ ରହିଥିଲା ମାତ୍ର ୨୦ବର୍ଷ ନବୀନ ଶାସନରେ ଏହି ଋଣଭାର ୧ଲକ୍ଷ ୨୦ହଜାର ପର୍ଯ୍ୟନ୍ତ ପଂହଚିଛି । ଏହି ସରକାର ସବୁବେଳେ କେନ୍ଦ୍ର ଉପରେ ନିର୍ଭରଶୀଳ ଏବଂ କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚକରିବାରେ ବି ଅସମର୍ଥ । ଆଜି ଏଭଳି ବିପତି ସମୟରେ ନିଜର ଅପାରଗତାକୁ ଘୋଡ଼ାଇବା ପାଇଁ ବାଟ ନପାଇ ଶେଷରେ ଓଡ଼ିଶାର ଛାତ୍ରଓ ଯୁବକଙ୍କ ପେଟକୁ ଗୋଇଠା ମାରିଛନ୍ତି । ହାତରେ ନପାରି ଭାତରେ ମାରିବା ପାଇଁ ଚକ୍ରାନ୍ତ କରୁଛନ୍ତି । ରାଜ୍ୟବାସୀ ନବୀନ ସରକାରଙ୍କର ଏହି ନିଷ୍ପତିର ବିଚାର କରିବେ । କେବଳ ନିଯୁକ୍ତି କ୍ଷେତ୍ର କାହିଁକି ଏହି ବିପତିରେ ବିଧାୟକ, ସାଂସଦ, ବରିଷ୍ଠ ସରକାରୀ ଅଫିସର ସମସ୍ତଙ୍କ ବେତନ ଉପରେ ନିର୍ଦ୍ଧିଷ୍ଟ ପଦକ୍ଷେପ ନିଆଯାଉ । ବିଶେଷ କରି ବିଧାୟକ ଓ ସାଂସଦ ସରକାରଙ୍କ ଠାରୁ ପାଉଥିବା ସମସ୍ତ ମାସିକ ଆର୍ଥିକ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ ଏବଂ ବରିଷ୍ଠ ସରକାରୀ ଅଫିସରଙ୍କର ଦରମାକୁ ଅଧା କରିଦିଆଯିବାକୁ ଶ୍ରୀ ପଟ୍ଟନାୟକ ଦାବୀ କରିଛନ୍ତି । ସରକାର ନିଯୁକ୍ତି କ୍ଷେତ୍ରରେ ଏପରି ନିଷ୍ଠୁରତା ଅବଲମ୍ବନ ନକରି ଏହି ଆଦେଶନାମାର ପୁନଃବିଚାର କରନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ନେତା ୟାସିର ନୱାଜ, ଯୁବକଂଗ୍ରେସ ନେତା ଗୋପନ ମାର୍ଥା, ସାଗର ପଟ୍ଟନାୟକ, ରାଜେଶ ପଟ୍ଟନାୟକ, ପପୁଲି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।