ଟିଏମସିରେ ରହୁଥିବା ସବୁ ବ୍ୟକ୍ତିଙ୍କ ହେବ ସ୍ୱାବ ଟେଷ୍ଟ
ବରଗଡ(ଶାସକ ପ୍ରଶାସକ) :ବରଗଡ ଜିଲ୍ଲାରେ କ୍ରମାଗତ ଭାବରେ କୋରୋନା ସଂକ୍ରମିତ ଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅବଶ୍ୟ ଆଜି ଜିଲ୍ଲାରେ ମାତ୍ର ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସରକାରଙ୍କ ଘୋଷଣା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଅତବିରା ଓ ଜଣେ ପାଇକମାଲରୁ । ପାଇକମାଲରୁ ଚିହ୍ନଟ ହେଇଥିବା ବ୍ୟକ୍ତି ଜଣକ ବିଦେଶ ଫେରନ୍ତା । ସେ ବିଦେଶରୁ ଫେରି ପାଇକମାଲ ଟିଏମସି ରେ ରହୁଥିଲେ । ଗତକାଲି ରାତିରେ ଉକ୍ତ ରୋଗୀ ଜଣକୁ ବରଗଡ କୋବିଡ଼ ହସ୍ପିଟାଲ କୁ ସ୍ଥାନାନ୍ତର କରିବା ପରେ ଆଜି ପାଇକମାଲ ଟିଏମସି ଅଂଚଳକୁ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ନିଜେ ଉପସ୍ଥିତ ରହି କଣ୍ଟେନମେଣ୍ଟ ଯୋନ ଭାବରେ ଘୋଷଣା କରିଛନ୍ତି । ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର। , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁରେନ୍ଦ୍ର ମେହେର , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଭୀଷ୍ମଦେବ ମାଝୀ , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ପ୍ରମୁଖ ଉପଜିଲ୍ଲାପାଳ ଙ୍କର ସହିତ ଉପସ୍ଥିତ ରହି କଣ୍ଟେନମେଣ୍ଟ ଅଂଚଳକୁ ଟିକିନିକି ଭାବରେ ଅନୁଧ୍ୟାନ କରିଥିଲେ । ଯେହେତୁ ସଂକ୍ରମିତ ଜଣକ ଉକ୍ତ ଟିଏମସିରେ ରହୁଥିଲେ ତେଣୁ ଉକ୍ତ ଟିଏମସିରେ ବର୍ତ୍ତମାନ ରହୁଥିବା ସମସ୍ତ ସ୍ୱାବ ଟେଷ୍ଟ କରାଯିବ ବୋଲି ଜଣା ପଡ଼ିଛି । ସଂକ୍ରମଣ ରୁ ଦୁରେଇ ରହିବା ପାଇଁ ସରକାରଙ୍କର ନିୟମକୁ ପାଳନ କରିବା ଆବଶ୍ୟକ , ଯଦି କୋଣସି କାମ ନାହିଁ ତେବେ ଦୟାକରି ସମସ୍ତେ ଘରେ ରୁହନ୍ତୁ ବୋଲି ଉପଜିଲ୍ଲାପାଳ ପୁଣି ସ୍ଥାନୀୟ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି ।