ଝାରସୁଗୁଡ଼ା :(ସୁଭାଷ ସହାରେ) /ଆନ୍ତର୍ଜାତୀୟ ସ୍ତରରେ ତୈଳଦର ଆଶାତୀତ ଭାବେ ହ୍ରାସ ପାଇଥିବା ସତ୍ତ୍ୱେ ଭାରତରେ ଏହାର ଦାମ ସମସ୍ତ ପୁରୁଣା ରେକର୍ଡକୁ ପଛରେ ପକାଇ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇ ସାଧାରଣ ଜନତାଙ୍କ ଆର୍ଥିକ ବୋଝ ବୃଦ୍ଧି ହେଉଛି।ଏହି ଦୈଳଦର ବୃଦ୍ଧିକୁ ରୋକିବା ପାଇଁ ଭାରତ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ଏବଂ ଲକଡାଉନ ଭଳି ବିଷମ ପରିସ୍ଥିତିରେ ମଧ୍ୟ ଲୋକଙ୍କ ଉପରେ ଆର୍ଥିକ ବୋଝ ଲଦିବାକୁ ବିରୋଧ କରି ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ମଧ୍ୟ ଏହି ବିରୋଧରେ ସାମିଲ ହୋଇ ଆଜି ଜିଲ୍ଲାପାଳଙ୍କ ଜରିଆରେ ଏକ ମେମୋରେଣ୍ଡମ ପ୍ରଦାନ କରିଥିଲେ।
ଜିଲ୍ଲା କଂଗ୍ରେସ ନିଜ ମେମୋରେଣ୍ଡମରେ ଉଲ୍ଲେଖ କରିଛନ୍ତି ଯେ ଆନ୍ତର୍ଜାତୀୟ ସ୍ତରରେ କଞ୍ଚା ତେଲର ଦାମ ବ୍ୟାରେଲ ପ୍ରତି ୪୩.୪୧ ଡଲାର ବା ୩୨୮୮.୭୧ ଟଙ୍କା ଥିବା ବେଳେ ଭାରତ ସରକାର ଏହାର ଦାମ ବାରମ୍ବାର ବଢ଼ାଇ ଚାଲିବା ଅନ୍ୟାୟପୂର୍ଣ୍ଣ ଅଟେ। ୨୦୧୪ରେ କଂଗ୍ରେସ ସରକାର ଥିବା ବେଳେ ବ୍ୟାରେଲ ପ୍ରତି କଞ୍ଚା ତେଲର ଦାମ ୧୦୮ ଡଲାର ଥିଲା, ମାତ୍ର ତୈଳ ଦର ଏପରି ବେଗରେ ବଢ଼ି ନଥିଲା।
ଜିଲ୍ଲା କଂଗ୍ରେସ ଆହୁରି ମଧ୍ୟ ଉଲ୍ଲେଖ କରିଅଛି ଯେ ୨୦୧୪ ରେ ପେଟ୍ରୋଲ ଉପରେ ଏକ୍ସାଇଜ ଡ୍ୟୁଟି ଲିଟର ପ୍ରତି ₹୯.୨୦ ଥିଲା ବେଳେ ପେଟ୍ରୋଲ ପ୍ରତି ଏହା ଲିଟର ପ୍ରତି ୩.୪୬ ଟଙ୍କା ଥିଲା। ଗତ ୬ ବର୍ଷରେ କେନ୍ଦ୍ରର ବିଜେପି ସରକାର ପେଟ୍ରୋଲ ଉପରେ ଅଧିକ ୨୩.୭୮ ଟଙ୍କା ଓ ଡିଜେଲ ଉପରେ ୨୮. ୩୭ ଟଙ୍କା ଅର୍ଥାତ ଯଥାକ୍ରମେ ୨୫୮% ଓ ୮୨୦ % ବୃଦ୍ଧି କରିଛନ୍ତି।ଗତ ୬ ବର୍ଷରେ ମୋଦି ସରକାର ୧୮,୦୦,୦୦୦ କୋଟି ଟଙ୍କା କେବଳ ଏକ୍ସାଇଜ ଡ୍ୟୁଟି ବଢ଼ାଇ ରୋଜଗାର କରିଛନ୍ତି।
ଗତ ୨୪ ଜୁନରେ ଯେତେବେଳେ କଞ୍ଚା ତେଲର ଦାମ ବ୍ୟାରେଲ ପ୍ରତି ୩୨୮୮.୭୧ ଟଙ୍କା ଥିଲା,ସେହି ସମୟରେ ଭାରତରେ ଲିଟର ପ୍ରତି ଏହା ୮୦ଟଙ୍କାରୁ ଉର୍ଦ୍ଧ୍ୱ ଦାମରେ ବିକିବା ସଂପୂର୍ଣ୍ଣ ଦୁର୍ଭାଗ୍ୟଜନକ, ଠକାମୀ ଓ ଲୁଟ ବୋଲି ଜିଲ୍ଲା କଂଗ୍ରେସ ଏଥିରେ ଉଲ୍ଲେଖ କରିଛି।
ଏଣୁ ସରକାରଙ୍କ ଏପରି ବାରମ୍ବାର ଅନ୍ୟାୟପୂର୍ବକ ତୈଳଦର ବୃଦ୍ଧି ଉପରେ ଲଗାମ ଲଗାଇବାକୁ ଜିଲ୍ଲା କଂଗ୍ରେସ ରାଷ୍ଟ୍ରପତିଙ୍କୁ ଏହି ଜ୍ଞାପନ ମାଧ୍ୟମରେ ଅନୁରୋଧ କରିଛି।