ଭୁବନେଶ୍ୱର (ଶାସକ ପ୍ରଶାସକ) – ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ଚକ୍ରାନ୍ତ ଆଜି ପଦାରେ ପଡିଛି । ଓଡିଆ ଜାତିର ଆରାଧ୍ୟ ଦେବତା ଜଗତରନାଥ ଜଗନ୍ନାଥଙ୍କର ଆଦ୍ୟ ସେବକ ଏକ ବୈଦ୍ୟୁତିକ ଗଣମାଧ୍ୟମରେ ଏହା ପଛର ସତ୍ୟତା ପର୍ଦ୍ଧାଫାଶ କରିଛନ୍ତି । ନିଜ ବକ୍ତବ୍ୟରେ ସେ କହିଛନ୍ତି ମାର୍ଚ୍ଚ ୨୪ ରେ କରୋନା ପାଇଁ ଲକ୍ଡାଉନ୍ ଘୋଷଣା ହେବା ପରେ ଅକ୍ଷୟ ତୃତୀୟା ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତି ହେବା ଅସମ୍ଭବ ଜାଣି ଏ ସଂପର୍କରେ ନିଷ୍ପତି ନେବାକୁ ଏପ୍ରିଲ୍ ୧୫ ରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ପଠାଇ ଦର୍ଶାଇ ଥିଲେ । ଋକୁଣା ରଥଯାତ୍ରା ବନ୍ଦ ହେବା ପରି ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହେବାର ଆଶଙ୍କା ପ୍ରକାଶ ପାଇଥିଲା । ମାତ୍ର ଆଇନ୍ ମନ୍ତ୍ରୀ ବା ମୁଖ୍ୟ ଶାସନ ସଚିବ କୌଣସି ପଦକ୍ଷେପ ନେଇ ନଥିଲେ । ରଥଯାତ୍ରା ପାଖେଇ ଆସୁଥିବା ବେଳେ ସରକାର ଏ ବାବଦରେ କିଛି ସ୍ପଷ୍ଟ କରିନଥିବାରୁ ଏପି୍ରଲ୍ ୨୬ ତାରିଖରେ ଆଦ୍ୟ ସେବକ ପୁନର୍ବାର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖି ପରିଚାଳନା କମିଟିର ଭାବନା ଭକ୍ତଶୂନ୍ୟ ରଥଯାତ୍ରାର ପ୍ରସ୍ତାବ ସଂପର୍କରେ ଦର୍ଶାଇଥିଲେ । କିନ୍ତୁ କୌଣସି ଉତର ଆସିନଥିଲା । ମଇ ୪ ତାରିଖରେ ମ୍ୟାନେଜିଂ କମିଟିର ବୈଠକ ବସିଲା ଓ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ମତ ଲୋଡିଲେ । ମଇ ୭ ତାରିଖରେ କୋଭିଡ୍ ନିୟମ ପାଳନ କରି ରଥଯାତ୍ରା ଅନୁଷ୍ଠିତ କରାଇବାକୁ କେନ୍ଦ୍ର ସରକାର କହିଥିଲେ । ରଥଯାତ୍ରାକୁ ବନ୍ଦ କରିବାକୁ ମାନ୍ୟବର ହାଇକୋର୍ଟରେ ଯାଚିକା ଦାଖଲ ହେବା ପରେ ଜୁନ୍ ମାସ ୯ ତାରିଖରେ ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏ ବାବଦରେ ନିଷ୍ପତି ନେବା ପାଇଁ କହିଥିଲେ ମଧ୍ୟ ସରକାର ଏ ବାବଦରେ କୌଣସି ନିଷ୍ପତି ନେଲେନାହିଁ । ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା ଓ ଭାରତ ବିକାଶ ପରିଷଦ ଭଳି କେତେକ ସମାଜସେବୀ ସଂସ୍ଥା ପ୍ରାୟୋଜିତ ଭାବେ ରଥଯାତ୍ରା ବନ୍ଦ କରିବାକୁ ଅପିଲ୍ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲଙ୍କ ଭଳି ଜଣେ ନାମୀଦାମୀ ଓକିଲ ସରକାରଙ୍କ ତରଫରୁ ପକ୍ଷ ରଖିଥିଲେ । ଓଡିଶାବାସୀଙ୍କର ଆଶା ଥିଲା ସରକାର ବୋଧହୁଏ ରଥଯାତ୍ରା କରିବା ପାଇଁ ଏଭଳି ଜଣେ ଦକ୍ଷ ଓକିଲଙ୍କୁ ନିଯୁକ୍ତି କରିଛନ୍ତି । ମାତ୍ର ବିଡମ୍ବନାର ବିଷୟ ଶୁଣାଣି ବେଳେ ହରିଶ୍ ସାଲଭେ ୧୦ ରୁ ୧୨ ଲକ୍ଷ ଲୋକ ରଥଯାତ୍ରାରେ ସମାଗମ ହେବେ ବୋଲି ଦର୍ଶାଇ ପିଟିସନର ତଥ୍ୟକୁ ସମର୍ଥନ କରି ରଥଯାତ୍ରା ବନ୍ଦ କରିବାକୁ ଯୁକ୍ତି ବାଢିଥିଲେ । ଜୁନ୍ ୧୮ ତାରିଖରେ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ରାୟ ଆସିଥିଲା । ଏଠାରେ ପ୍ରଶ୍ନଉଠେ :
୧. ରାଜ୍ୟ ସରକାର ରଥଯାତ୍ରା ବନ୍ଦ ରଖିବା ପାଇଁ ଓଡିଶା ଜନସାଧାରଣଙ୍କ ଟିକସ ପଇସାରେ ଏଭଳି ନାମୀଦାମୀ ଓକିଲଙ୍କୁ ନିଯୁକ୍ତି କରିଥିଲେ କାହିଁକି?
୨. କ’ଣ ପାଇଁ ହରିଶ୍ ସାଲ୍ଭେ ବିକଳ୍ପ ବ୍ୟବସ୍ଥା ଅର୍ଥାତ୍ ଭକ୍ତଶୂନ୍ୟ ରଥଯାତ୍ରା କରିବା ସଂପର୍କରେ ମାନ୍ୟବର ସୁପ୍ରିମକୋର୍ଟ ଅବଗତ କରାଇନଥିଲେ?
୩. ରାଜ୍ୟ ସରକାରଙ୍କ ଆଇନ୍ ପରାମର୍ଶଦାତା ଆଡଭୋକେଟ୍ ଜେନେରାଲ ତାଙ୍କୁ ସଠିକ୍ ତଥ୍ୟ ଦେଇନଥିଲେ କାହିଁକି? ଏଥିପାଇଁ ଆଡଭୋକେଟ୍ ଜେନେରାଲ ସଂପୂର୍ଣ୍ଣ ରୂପେ ଦାୟୀ ।
୪. ୫-ଟି ସଚିବଙ୍କ ଦ୍ୱାରା ପ୍ରଚାରିତ “ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ବଡ ଭକ୍ତ” । ଏହା ଯଦି ସତ୍ୟ, ତେବେ ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ଆନ୍ତରିକତା ଉପରେ ଏହି ଆଚରଣ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
୫. ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଆଇନ୍ ମନ୍ତ୍ରୀ ଓ ଆଡଭୋକେଟ୍ ଜେନେରାଲ ମିଳିମିଶି ମହାପ୍ରଭୁଙ୍କ ରଥଯାତ୍ରାକୁ ବନ୍ଦ କରିବାର ଷଡଯନ୍ତ୍ର କରିଥିଲେ, ତାହା ଆଜି କାହାକୁ ଅଛପା ନାହିଁ ।
କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଖେଳ ଖେଳୁଥିବା ରାଜ୍ୟ ସରକାର ଓ ଆଡଭୋକେଟ୍ ଜେନେରାଲଙ୍କ ଚଂଚକତାକୁ ବରଦାସ୍ତ କରାଯିବ ନାହିଁ । ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଜଗତରନାଥ ଜଗନ୍ନାଥଙ୍କ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରିଥିବା ସରକାର, ଏଭଳି ଅପରିଣାମଦର୍ଶୀ ଓ ଜନବିରୋଧ କାର୍ଯ୍ୟରେ ଲିପ୍ତଥିବା ଆଇନ୍ ମନ୍ତ୍ରୀ ଓ ଆଡଭୋକେଟ୍ ଜେନେରାଲଙ୍କ ବହିଷ୍କାର ଦାବି । ଯଦି ୪୮ ଘଂଟା ମଧ୍ୟରେ ଏମାନଙ୍କୁ ବହିଷ୍କାର କରାନଯାଏ ତେବେ ପ୍ରଦେଶ ଯୁବ କଂଗ୍ରେସ ଆନସୋଲନକୁ ଜୋରଦାର କରିବ ଓ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଉଛି ।
ଉପରୋକ୍ତ ବିଷୟ ଗୁଡ଼ିକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରିଥିଲେ ପ୍ରଦେଶ ଯୁବ କଂଗ୍ରେସର ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କା । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମାନସ ରଞ୍ଜନ କର, ସଙ୍କୁନା କହଁର, ଆର୍ଯ୍ୟବୀର ଲେଙ୍କା, ଶଶିକାନ୍ତ ଲେଙ୍କା, ସ୍ୱାଗତ କର, ବିଶ୍ୱରଞ୍ଜନ ଦାସ, ନଳିନୀକାନ୍ତ ନାୟକ, ଅଜୟ ସାହୁ, ଜ୍ଞାନରଞ୍ଜନ ରାଉତ, ଦୁର୍ଗାମାଧବ ମହଲା, ଆଲୋକ କୁମାର ଦାସ, ହରେକୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।