ଝାରସୁଗୁଡା : ସୁବାଷ ସାହାରେ : ଓଡ଼ିଶା ସରକାରଙ୍କ ଦ୍ୱାରା ଜମି ରେଜିଷ୍ଟ୍ରେସନ ନିୟମ ପରିବର୍ତ୍ତନ ହେବା ପରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ତହସିଲ ପକ୍ଷରୁ ଏକ ଭଲ ଖବର ମିଳିଛି । ଲଇକେରା ତହସିଲ ପକ୍ଷରୁ ବର୍ତ୍ତମାନ ଗୋଟିଏ ଦିନରେ ଜମିପଟ୍ଟା ମିଲି ପାରୁଛି ।
ପୂର୍ବରୁ ଜମି ପଞ୍ଜିକରଣ ହେବାର ତିନି ମାସ ପରେ ପଟ୍ଟା ପ୍ରଦାନର ନିୟମ ରହିଥିବା ବେଳେ ହିତାଧିକାରୀ ମାନଙ୍କୁ ପଟ୍ଟା ମିଳିବାରେ ବର୍ଷାଧିକ ସମୟ ଲାଗି ଯାଉଥିଲା । ଲୋକେ ତହସିଲ କାର୍ଯ୍ୟାଳୟ କୁ ଦୌଡ଼ିଦୌଡ଼ି ନୟାନ୍ତ ହେଉଥିବା ବେଳେ ଅସାଧୁ କର୍ମଚାରୀଙ୍କ ହାତରେ ପଡି ଶୋଷଣର ଶିକାର ହେଉଥିଲେ । ମାତ୍ର ନିୟମ ପରିବର୍ତ୍ତନ ହେବା ପରେ ବର୍ତ୍ତମାନ ସାତ ଦିନ ମଧ୍ୟରେ ପଟ୍ଟା ପ୍ରଦାନ କରିବା ନିୟମ ରହିଛି । ଲଇକେରା ତହସିଲ ଅନ୍ତର୍ଗତ ପାକେଲପଡ଼ା ମୌଜାର ମିଥୁନ କୁମାର ନାଏକ ଏବଂ ଲଇକେରା ମୌଜାର ଅମୃତ ସରାଫଙ୍କୁ ପୋଷ୍ଟ ମାଧ୍ୟମରେ ୨୨ ତାରିଖ ଦିନ ପଠାଯାଇଛି । ସଂଶୋଧିତ ନୂତନ ନିୟମ ଦ୍ୱାରା ସାଧାରଣ ଲୋକ କମ ସମୟରେ ପଟ୍ଟା ପାଇପାରିବେ । ଅନେକ ଲୋକ ଉପକୃତ ହେବେ ବୋଲି ଲଇକେରା ତହସିଲଦାର ତପନ ଦେବ ଚକ୍ରବର୍ତ୍ତୀ କହିଛନ୍ତି । ବର୍ତମାନ ଦିନକରେ ପଟ୍ଟା ମିଳୁଥିବାରୁ ଏହା ଏକ ଭଲ ଖବର ହୋଇଛି ।