ହେଡଲାଇନସ୍:

ଘନାଉଛି ଘୋଷ ଯାତ୍ରା ଅଡୁଆ: ସୁପ୍ରିମକୋର୍ଟରେ ରଥ ମାମଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ(ଅନିମେଶ ପଟ୍ଟନାୟକ): ରଥଯାତ୍ରାକୁ ଆଉ  ଦିନ କେଇଟା ବାକି ରହିଥିବା ବେଳେ ଦିନକୁ ଦିନ ଅଡୁଆ  ବଢିବାରେ ଲାଗିଛି। ରଥଯାତ୍ରା ସପକ୍ଷରେ ଉଚ୍ଚ ନ୍ୟାୟାଳୟ ମତ ଦେଇଥିବା ବେଳେ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଥିଲେ।  ଯାହାକୁ ଚାଲେଞ୍ଜ୍ କରି ଏବେ ସୁପ୍ରିମକୋର୍ଟରେ ମାମଲା କରାଯାଇଛି । ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢ଼ୀ ଆଇନଜୀବୀ ରଞ୍ଜିତା ରୋହତଗୀଙ୍କ ଜରିଆରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି। ଏହି ଆବେଦନ(ରିଟ୍ ପିଟିସନ୍ ନଂ-୦୦୦୫୭୧/୨୦୨୦) ସର୍ବୋଚ୍ଚ ନ୍ୟାୟାଳୟରେ  ଗ୍ରହଣ ହୋଇଥିବା ବେଳେ ଏହା ଶୁଣାଣି ପାଇଁ ରହିଛି। ଏହି ଆବେଦନରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ପୁରୀ ଜିଲ୍ଲାପାଳ ଓ ମନ୍ଦିର ପରିଚାଳନା କମିଟିକୁ ପକ୍ଷଭୁକ୍ତ କରାଯାଇଛି। ସୁଶାନ୍ତଙ୍କ କହିବା ଅନୁସାରେ କେବଳ ସେବାୟତରେ ରଥଯାତ୍ରା ହେବା ସମ୍ଭବପର ନୁହେଁ । ଏଭଳି ପରିସ୍ଥିତିରେ ସାମାଜିକ ଦୂରତ୍ବ କିପରି ରକ୍ଷା କରାଯାଇ ପାରିବ ବୋଲି ଚିନ୍ତା ପ୍ରକାଶ କରି ଆବେଦନ କରିଥିବା କହିଛନ୍ତି।ଫଳରେ ରଥଯାତ୍ରା ହେବ କି ନାହିଁ, ତାହା ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ଉପରେ ନିର୍ଭର କରୁଛି। ଯଦିଓ କେନ୍ଦ୍ର ସରକାର ଓ ହାଇକୋର୍ଟ ପୂର୍ବରୁ ରଥଯାତ୍ରା ପ୍ରସଙ୍ଗରେ ସରକାରଙ୍କୁ ନିଷ୍ପତ୍ତି ନେବା କଥା କହିଛନ୍ତି, ରଥ ନିର୍ମାଣ ଓ ଆନୁଷଙ୍ଗିକ କାର୍ଯ୍ୟ ସହିତ ଆଉ କୌଣସି ପଦକ୍ଷେପ ସରକାର ନେଇନାହାନ୍ତି। ଏପରିକି ପୁରୀରେ ନା ବଡ଼ଦାଣ୍ଡରୁ ଦୋକାନ ଉଠିଛି ନା ପୁଲିସ ନିୟୋଜନ ସଂକ୍ରାନ୍ତ ନିର୍ଦେଶନାମା ଜାରି ହୋଇଛି। ଏଭଳି ପରିସ୍ଥିତିରେ ଏହି ମାମଲା ଅନେକ ଗୁରୁତ୍ବ ଓ ସଙ୍କେତ ଦେଉଛି।

ସୂଚନା ମୁତାବକ, ରଥଯାତ୍ରା ନ କରିବାକୁ ଉଚ୍ଚ ନ୍ୟାୟାଳୟରେ ଏକ ଆବେଦନ ହୋଇଥିଲା । ମୂଳ ଆବେଦନକାରି ସୁରେନ୍ଦ୍ର ପାଣିଗ୍ରାହୀ (ଆବେଦକ), ସଭାପତି, ଭାରତୀୟ ବିକାଶ ପରିଷଦଙ୍କ  ଆବେଦନ ଡବ୍ଲୁ ପି(ସି) ୧୨୪୯୪/୨୦୨୦, ର ବିଚାର କରି ମୁଖ୍ୟ ବିଚାରପତି ମହମ୍ମଦ ରଫିକ ଓ ବିଶ୍ବଜିତ ମହାନ୍ତିଙ୍କ ଖଣ୍ଡପୀଠ, ରାଜ୍ୟ ସରକାରଙ୍କୁ ୨୩ ତାରିଖ ପୂର୍ବରୁ ରଥଯାତ୍ରା ନେଇ ନିଷ୍ପତ୍ତି ନେବା ପାଇଁ କହିଛନ୍ତି  ।

ପରବର୍ତ୍ତୀ ସମୟରେ ଏହି ଆବେଦନ କୁ ବିରୋଧ କରି  ଆଇଏ ୫୭୭୮/୨୦୨୦, ୫୮୧୧/୨୦୨୦, ୫୮୯୮/୨୦୨୦, ୬୧୨୯/୨୦୨୦  ଚାରି ଗୋଟି ମାମଲା ହୋଇଥିଲା । ଆବେଦନ କାରୀ ମାନେ ପୁରୀର ତିନି ଆଇନଜୀବି ବିଶ୍ବନାଥ ଦାଶ, ରାମଚନ୍ଦ୍ର ସାହୁ, ଶିବାନନ୍ଦ ପାତ୍ର, ଜୟନାରାୟଣ ପଟ୍ଟନାୟକ, ଜୟନ୍ତ କୁମାର ବଳ, ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ଆଦି ଥିଲେ । ମାନ୍ୟବର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ହାଇକୋର୍ଟ ଛାଡ଼ିଛନ୍ତି । ଏଥି ସହିତ ଜୁନ୍ ୨୩ ପୂର୍ବରୁ ଏନେଇ ନିଷ୍ପତ୍ତି ନେବାକୁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ଓ ରାଜ୍ୟର କରୋନା ନିୟମ ମାନି ରଥଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି ।

ସେପଟେ ପ୍ରଶାସନିକ ସ୍ତରରେ ରଥଯାତ୍ରାକୁ ନେଇ ଘନ ଘନ ଆଲୋଚନା କରାଯାଉଥିବା ଜଣାପଡିଛି।  କୋଭିଡ୍ ସଂକ୍ରମଣ ରାଜ୍ୟରେ ହୁ ହୁ ହୋଇ ବଢିଚାଲିଥିବା ବେଳେ ପୁରୀ ଜିଲ୍ଲାରେ ମଧ୍ୟ ୧୦୦ ପାର ହେଲାଣି । ଏଭଲି ସ୍ଥିତିରେ ବିନା ଭକ୍ତରେ ରଥଯାତ୍ରା କରିବାକୁ ଆଲୋଚନା କରାଯାଉଛି।  ରଥଯାତ୍ରା ହେଲେ ବାହାରୁ ଲୋକଙ୍କୁ ତ ରୋକି ହେବ । ହେଲେ ସହର ଲୋକଙ୍କୁ ରୋକିବା କାଠିକର ପାଠ ହେବ । କାରଣ ମହାପ୍ରଭୁଙ୍କ ଏ ଯାତ୍ରା ୧୫ ଦିନର । ପାଖାପାଖି ୧୫ ଦିନ କିପରି ସହରବାସୀଙ୍କୁ ବଡଦାଣ୍ଡକୁ ବାରଣ କରାଯିବ ତାହା ଏବେ ବଡ ଚିନ୍ତାର କାରଣ ।

0
0
0
s2sdefault