ହେଡଲାଇନସ୍:

ସରକାରୀ ଯୋଜନା ଠାରୁ ଅପହଞ୍ଚ ଦୂରତାରେ ମାରୁଆଡିମୁଣ୍ଡା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କୋଟି  କୋଟି ଟଙ୍କା  ଖର୍ଚ୍ଚ କରୁଛନ୍ତି । ଏଥିପାଇଁ ସରକାର ରାସ୍ତା, ପୋଖରୀ, ବନ୍ଧ , କଟା , ଖେଳପଡିଆ, ନଳକୁପ , ବିଜୁପକ୍କାଘର , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି  ଯୋଜନାରେ ଅନ୍ତର୍ଭୁକ୍ତ କରି ଗ୍ରାମର  ବିକାଶ ଦିଗରେ ଅର୍ଥକୁ ବିନିଯୋଗ କରୁଛନ୍ତି । ହେଲେ ସେ ଟଙ୍କା ନା ହିତାଧିକାରୀ ପାଇ ପାରୁଛି ନା ଟଙ୍କା ଗାଁକୁ ପହଞ୍ଚି ଗ୍ରାମବିକାଶରେ ଲାଗୁଛି । ଯୋଜନା କେବଳ ଯୋଜନାରେ ରହିଯାଉଛି ଓ ଲୋକମାନେ ନାହିଁ ନ ଥିବା ଅସୁବିଧା ପାଉଛନ୍ତିଛନ୍ତି । ଏମାନଙ୍କ ପାଖରେ ଜନପ୍ରତିନିଧିମାନଙ୍କର ଦେଖାମିଳୁନାହିଁ । ନିର୍ବାଚନ ସମୟରେ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ବା ଇସ୍ତାହାର ସେମିତି ଅପୂରଣୀୟ ରହିଯାଉଛି ପୁଣି ଆର ନିର୍ବାଚନ ପର୍ଯ୍ୟନ୍ତ |  

ଏଭଳି ଏକ ଗ୍ରାମ ରହିଛି ଯାହାକି ସରକାରୀ ଯୋଜନା କ'ଣ ସେଠାକାର ଲୋକମାନେ ଏ ପର୍ଯ୍ୟନ୍ତ ଜାଣି ନାହାନ୍ତି । ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ  ନାକ୍ଟିଦେଉଳ ବ୍ଲକ୍ ସରାପାଲି ଗ୍ରାମପଞ୍ଚାୟତର ମାରୁଆଡିମୁଣ୍ଡା । ଗାଁଟି ଏବେ ବି ରେଭେନ୍ୟୁ ଗ୍ରାମର ମାନ୍ୟତା ପାଇ ପାରିନାହିଁ। ସରକାରୀ କାଗଜ ପତ୍ର କେବଳ ସରାପାଲି ଗ୍ରାମ ଭାବରେ ରହିଛି। ସ୍ୱାଧିନତାର ବହୁବର୍ଷ ପରେ ମଧ୍ୟ ସରକାର ଏହି ପଡାକୁ ଗାଁର ମାନ୍ୟତା ଦେଇପାରିନାହାନ୍ତି । ଗ୍ରାମରେ ପାଖାପାଖି ୧୫୦ ପରିବାର ରହୁଛନ୍ତି । ଗ୍ରାମରେ ପାଖାପାଖି ୯୦% ଲୋକ ଆଦିବାସୀ ଓ ହରିଜନ ବର୍ଗର । ଏହି ଗାଁରେ ମୁଣ୍ଡା , ମାହାର , ଗଣ୍ଡ, ଖଇରା, ଲୁହୁରା,ବାରିକ ଓ ଚଷା ଜାତିର ଲୋକ ବାସ କରନ୍ତି । ଏହି ଗ୍ରାମଟି ରାସ୍ତାପାଶ୍ୱର୍ରେ ଥିଲେ ମଧ୍ୟ ଅନ୍ଧାର ଭିତରେ ରହିଯାଇଛି । ଏଭଳି ଗାଁ ଥାଇ ମଧ୍ୟ  ରାଜନେତାମାନଙ୍କର ଗୋଡ ପଡୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଗାଁକୁ  ଶାସକ ଦଳ କି ବିରୋଧୀ ଦଳ ନେତାଙ୍କ ପାଦପଡୁ ନାହିଁ ।

ଗାଁ ମଝିରେ ହିଁ କଂକ୍ରିଟ୍ ରାସ୍ତା ଥିବ ବେଳେ ଅନ୍ୟପଡାକୁ କଂକ୍ରିଟ କରଣ ଏ ପର୍ଯ୍ୟନ୍ତ କରାଯାଇ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମର ମାହାର ସାହିରେ ନଳକୂପ ଥିଲେ ମଧ୍ୟ ନଳକୂପର ଜଳ ଦୂଷିତ ଥିବାରୁ ବ୍ୟବହାର ହେଉନାହିଁ। ଗ୍ରାମ ପାଖରେ ଥିବା ଏକ ନଳକୂପର ପାଣି ଦୂଷିତ ଯୋଗୁଁ ଲୋକମାନେ ଦୂରରେ ଥିବା ନଳକୂପରୁ ପାଣି ଆଣି ଚଳୁଛନ୍ତି ।

ଏହି ନଳକୂପର ପାଣି ବ୍ୟବହାର କରି ଗ୍ରାମର ସନ୍ତୋଷ ସାହୁ ନାମକ ବ୍ୟକ୍ତି କିଡନୀ ରୋଗରେ ଏବେ ବି ଘରେ ପଡି ରହିଛନ୍ତି । ସରକାରୀ ସହାୟତା କହିଲେ କିଛି ନାହିଁ । ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇ ପାରୁନାହାନ୍ତି । ଯା ଫଳରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସନ୍ତୋଷ । ଏହି କିଡନୀ ରୋଗୀକୁ କିଛି ଆର୍ଥିକ ସାହାଯ୍ୟ କରିବାକୁ ଦାବୀ ହେଉଛି ।

ଗ୍ରାମର ସମସ୍ତ ସାହିକୁ ପକ୍କା ରାସ୍ତା ହୋଇ ପାରିନି । ସରକାର ଆଦିବାସୀ ଓ ହରିଜନ ଲୋକ ଯେଉଁଠି ବାସ କରୁଛନ୍ତି ସେ ଗାଁକୁ ପକ୍କା ରାସ୍ତା ପାଇଁ ପ୍ରାଧାନ୍ୟ ଦେଉଥିବା ବେଳେ ଏହି ଗାଁକୁ ଏହା ସାତସପନ ହୋଇଛି । ବର୍ଷା ହେଲେ ଗାଁ ଦାଣ୍ଡରେ ପାଣି ଜମି ଯାଉଛି । ଗାଁ ରେ ଥିବା ପୋଖରୀରେ ପାବଚ୍ଛ ନିର୍ମାଣ ହୋଇ ନ ଥିବାରୁ ଗାଁ ଲୋକମାନେ ଗାଧୋଇବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଖରାଦିନେ ବନ୍ଧର ପାଣି ସୁଖିଯାଉଛି । ସରକାର ଖେଳକୁ ଗୁରୁତ୍ୱ ଦେଉଥିବା ବେଳେ ଖେଳ ପଡିଆର ଉନ୍ନତିକରଣ କରାଯାଇ ପାରୁ ନାହିଁ ।

ସରକାର ପଞ୍ଚାୟତ ତରଫରୁ ପ୍ରତି ଗାଁକୁ ଷ୍ଟ୍ରିଟ୍‌ଲାଇଟର ବ୍ୟବସ୍ଥା କରୁଥିଲେ ମଧ୍ୟ ଏହି ଗାଁରେ ସେ ପ୍ରକାର ବ୍ୟବସ୍ଥା ମଧ୍ୟ ନାହିଁ । ରାତି ହେଲେ ଗାଁ ଅନ୍ଧକାରମୟ । ସରକାରଙ୍କ ଏହି ସବୁ ଯୋଜନା କାହାପାଇଁ ଗ୍ରାମବାସୀ ପ୍ରକାଶ କରିଛନ୍ତି । ସରକାର ପ୍ରତ୍ୟେକ ସାହିରେ ଆମ ଗାଁ ଆମ ବିକାଶ ଯୋଜନାରେ କମ୍ୟୁନିଟି ହଲ ତିଆରି କରୁଥିବା ବେଳେ ଏହି ଗାଁ ରେ ଏହା ସ୍ୱପ୍ନ । ଗ୍ରାମବାସୀ ଗୋଟିଏ ସ୍ଥାନରେ ବସି ସଭାସମିତି ହେଉବା ପୂଜା ପାର୍ବଣ ପାଳନ କରିବାରେ  ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । 

ସରକାର ଏଭଳି ଅବହେଳିତ ଅବସ୍ଥାରେ ଥିବା ଗାଁ ମାରୁଆଡିମୁଣ୍ଡା ପ୍ରତି ଟିକିଏ ଧ୍ୟାନ ଦେଲେ ଗ୍ରାମବାସୀ ଏହିସବୁ ସୁବିଧାସୁଯୋଗ ପାଇପାରନ୍ତେ ।

0
0
0
s2sdefault