ହେଡଲାଇନସ୍:

ପୁରୁଣା ଯୋଦ୍ଧା ଗଲେ, ନୂଆ ଯୋଦ୍ଧା କେବେ : ଆସିବେ ନା ଆଉ କିଛି !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼(ହୋରାଚାନ୍ଦ  ଦେଉରିଆ} : ଓଡ଼ିଶାରେ କରୋନା ସଂକ୍ରମିତ ଚିହ୍ନଟ ହେବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଅନେକ ଆଖିଦୃଶିଆ ପଦକ୍ଷେପ ନେଇ ବାହାବା ସାଉଁଟିଥିବା ଓଡିଶା ସରକାର ଦେହରେ ଏବେ ଦୁର୍ନୀତିର ଛିଟା। କରୋନା ମୁକାବିଲା ପାଇଁ ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତାର ଦସ୍ତାବିଜ ଦାଣ୍ଡରେ ପଡ଼ି ହାଟରେ ଗଢ଼ୁଥିଲେ ବି ନିଜର କିଛି ଅଫିସର ଓ ନେତାଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ଏବେ ‘ଦୁର୍ନୀତିରୂପକ ବିଷ’କୁ ବି ହଜମ କରିବାକୁ କୁଣ୍ଠାବୋଧ କରୁନାହାନ୍ତି। ଦୁର୍ନୀତିର ଅଭିଯୋଗ ଆସିବାପରେ ଅଚାନକ ନିଜର ଅନୁଗତ ଅଫିସର ଟିମକୁ କରୋନା ମୁକାବିଲା ଦାୟିତ୍ୱରୁ ହଟାଇ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିବା ରାଜ୍ୟ ସରକାର ଅନିୟମିତତାର ଭୟଙ୍କର ଚିତ୍ର ଦେଖି ଏବେ ନିରବ ରହିବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି। ପରିସ୍ଥିତି ଏଭଳି ହୋଇଛି ଯେ,ଏବେ ଜିଲ୍ଲାପାଳ ମାନେ ହିଁ କୋଭିଡ ପରିଚାଳନା ଭାର ମୁଣ୍ଡାଇ ସରକାରଙ୍କ ଭାବମୂର୍ତ୍ତି ରକ୍ଷା କରିବାର ଦାୟିତ୍ୱ ନେଇଛନ୍ତି। ସୂଚନା ଅନୁସାରେ କରୋନା ସଂକ୍ରମଣ ଓ ଏହାର ମୁକାବିଲା ପାଇଁ ମାର୍ଚ୍ଚ ୧୩ ତାରିଖରେ ବିଧାନସଭାର ବଜେଟ ଅଧିବେଶନକୁ ଅଚାନକ ଅଧାରୁ ବନ୍ଦ କରି ରାଜ୍ୟ ସରକାର ସେହିଦିନ ୫ ଜଣିଆ କ୍ଷମତାପ୍ରାପ୍ତ ମନ୍ତ୍ରିସ୍ତରୀୟ କମିଟି ଗଠନ ଓ ମାର୍ଚ୍ଚ ୨୧ ରେ ରାଜ୍ୟସ୍ତରୀୟ ଜରୁରୀ କ୍ରୟ କମିଟି ଗଢ଼ିଥିଲେ। ଏହାସହିତ ରାଜ୍ୟସ୍ତରରେ ୩୦ ରୁ ଅଧିକ ବରିଷ୍ଠ ଆଇଏଏସ ଓ ଓଏଏସ ଅଫିସରଙ୍କୁ କରୋନା ମୁକାବିଲା ପାଇଁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିଥିଲେ। ଏପରିକି ସରପଞ୍ଚଙ୍କୁ ‘ଜିଲ୍ଲାପାଳ’ କ୍ଷମତା, ପିପିପି ମୋଡରେ ୩୪ଟି କୋଭିଡ ହସ୍ପିଟାଲ, ପ୍ରାୟ ୧୫ ହଜାର ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଭଳି ଆଗୁଆ ପଦକ୍ଷେପ ସରକାରଙ୍କୁ ଜାତୀୟସ୍ତରରେ ପ୍ରଶଂସାର ପାତ୍ର କରିଥିଲା। କିନ୍ତୁ କରୋନା ସାମଗ୍ରୀ ଯଥା ମାସ୍କ, ପିପିଇ କିଟ , ପିସିଆର ମେସିନ , ଟେଷ୍ଟିଂ କିଟ ଆଦି କ୍ରୟରେ ଅନିୟମିତତା ହିଁ ସରକାରଙ୍କ ସ୍ୱଚ୍ଛତା ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଦୁର୍ନୀତିରେ ଲିପ୍ତ ଥିବା ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେବା ପରୋକ୍ଷରେ ସରକାରଙ୍କ ବିଶ୍ୱସନୀୟତାକୁ ସଙ୍କଟରେ ପକାଇଛି। ଅନିୟମିତା ଅଭିଯୋଗ ଆସିବା ପରେ ଜୁନ ପହିଲାରେ ପ୍ରୋକ୍ୟୁରମେଣ୍ଟ କମିଟିର ମୁଖ୍ୟ ହେମନ୍ତ ଶର୍ମା ଓ ଜୁନ ୫ ତାରିଖରେ ଅନ୍ୟ ୯ ଜଣ ବରିଷ୍ଠ ଆଇଏଏସଙ୍କୁ ସରକାର ଦାୟିତ୍ୱମୁକ୍ତ କରିଥିଲେ। ସରକାରଙ୍କ ଏହି ଦାୟିତ୍ୱମୁକ୍ତ ପଦକ୍ଷେପକୁ ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଭାବେ ଗଣମାଧ୍ୟମ ଚିତ୍ରଣ କରିବାପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ କୋଭିଡ ମୁଖପାତ୍ର ସୁବ୍ରତୋ ବାଗଚୀ ଉଭୟ ଏହାକୁ ଫାଙ୍କି ଦେଇଥିଲେ । କୌଣସି ଅନିୟମିତତା ହୋଇନି ବୋଲି ଦର୍ଶାଇ ଶ୍ରୀ ବାଗଚୀ ଏହି ପ୍ରଶାସନିକ ଅଦଳବଦଳକୁ ପରିସ୍ଥିତିର ଆବଶ୍ୟକତା କହି ଅନିୟମିତତା ଅଭିଯୋଗ ଆସିଥିବା ଅଫିସରଙ୍କୁ ଘଣ୍ଟ ଘୋଡ଼ାଇବାକୁ ପ୍ରୟାସ କରିଥିଲେ। କୋଭିଡ ଯୁଦ୍ଧ ଲମ୍ବା ଓ ଜଟିଳ। ଏହାର ଭିନ୍ନ ପର୍ଯ୍ୟାୟକୁ ଆଖି ଆଗରେ ରଖି ଯୁଦ୍ଧ ଆରମ୍ଭରୁ ରଣନୀତି ହିସାବରେ ଏହି ଅଫିସରମାନଙ୍କୁ କୋଭିଡ ପରିଚାଳନାର ଦାୟିତ୍ୱ ଦିଆଯାଇଥିଲା। ଏବେ ସମ୍ପୃକ୍ତ ଅଫିସରମାନଙ୍କୁ ସେମାନଙ୍କ ବିଭାଗୀୟ ଦାୟିତ୍ୱକୁ ଫେରାଇ ନନେଲେ ଅସୁବିଧା ପହଞ୍ଚିବ | କୋଭିଡ ପରିଚାଳନା ପାଇଁ ରଣକ୍ଷେତ୍ରକୁ ନୂଆ ଯୋଦ୍ଧାଙ୍କୁ ନଆଣିଲେ ସମସ୍ତେ କ୍ଲାନ୍ତ ହୋଇପଡ଼ିବେ ବୋଲି କହିଥିଲେ। କିନ୍ତୁ ଇତିମଧ୍ୟରେ ୫ଦିନ ବିତିଗଲାଣି, କୋଭିଡ ପରିଚାଳନା ପାଇଁ ରାଜ୍ୟସ୍ତରରେ ନୂଆ ଯୋଦ୍ଧା (ପ୍ରଶାସନିକ ଅଫିସର)ଙ୍କୁ ଆଗକୁ ଆଣିବାକୁ ସରକାର ଆଗ୍ରହ ଦେଖାଇନାହାନ୍ତି। କରୋନା ସାମଗ୍ରୀ କିଣା ଅନିୟମିତତା ଅଭିଯୋଗ ଆସିବାପରେ ଜିଲ୍ଲାସ୍ତରରେ ନିଯୁକ୍ତି ପାଇଥିବା ପର୍ଯ୍ୟବେକ୍ଷକ (ବରିଷ୍ଠ ଅଫିସର)ଙ୍କୁ ମଧ୍ୟ ଦୂରେଇ ରଖାଯାଇଛି। ଏପରିକି କ୍ଷମତାପ୍ରାପ୍ତ ମନ୍ତ୍ରିସ୍ତରୀୟ କମିଟି ମଧ୍ୟ ଗତ ଦୁଇ ସପ୍ତାହ ଧରି କୌଣସି ବୈଠକ କରିନାହିଁ। ଓଲଟା ଜିଲ୍ଲାପାଳ ମାନଙ୍କ ଭରସାରେ ବସି ‘କରୋନା’ ମୁକାବିଲା ପାଇଁ ସରକାର ବାଟ ଖୋଜୁଛନ୍ତି। ଦୁର୍ନୀତି ଅଭିଯୋଗକୁ ନେଇ ବିରୋଧୀଙ୍କ ଷଣ୍ଢୁଆସୀ ଆକ୍ରମଣ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୩ ହଜାର ଟପିଥିବା ବେଳେ ଜିଲ୍ଲାପାଳ ମାନଙ୍କ ଭରସାରେ ସରକାର ବସି ରହିଛନ୍ତି।

0
0
0
s2sdefault