ହେଡଲାଇନସ୍:

ବ୍ୟାପକ ସଚେତନତା ସହ କଠୋର ଶୃଙ୍ଖଳା ବର୍ତମାନ ପରିସ୍ଥିତିର ଆବଶ୍ୟକତା : ମୁଖ୍ୟମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  • ସାମାଜିକ ଦୂରତାକୁ ସାମାଜିକ ବାସନ୍ଦ ବୋଲି ଭାବିବା ଉଚିତ୍ ନୁହେଁ

  • ଓଡ଼ିଶାରେ ସୁସ୍ଥତା ହାର ୪୨.୭୮ପ୍ରତିଶତ, ଯାହାକି ଜାତୀୟ ହାରଠୁ ଭଲ ଅଛି

  • କରୋନା ଯୁଦ୍ଧରେ ଦିନରାତି କାମ କରୁଥିବା ବ୍ୟକ୍ତିମାନଙ୍କ ପ୍ରତିବଦ୍ଧତା ପ୍ରଶଂସନୀୟ 

  • କରୋନା ଯୁଦ୍ଧ ଏକ ଲମ୍ବା ଯୁଦ୍ଧ ଏବଂ ଏପର୍ଯ୍ୟନ୍ତ ଏହାକୁ ସଫଳତାର ସହିତ ପରିଚାଳନା କରିଅଛୁ

ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ସଂକ୍ରମଣ ଯୋଗୁ ଗତ ୨ମାସ ହେଲା ଆମେ ଲକଡାଉନ୍ ପରିସ୍ଥିତିରେ ରହିଛୁ । ଏହି ୨ମାସ ମଧ୍ୟରେ ଆମେ ଅନେକ ଶିକ୍ଷାଲାଭ କରିଛୁ । ବୈଜ୍ଞାନିକ, ସାମାଜିକ ତଥା ପ୍ରଶାସନିକ ଉପଲବ୍ଧି ହାସଲ କରିଛୁ । ଏହି ଉପଲବ୍ଧିକୁ ଭିତିକରି ଆମକୁ ଭବିଷ୍ୟତ ପାଇଁ କୌଶଳ ପୁନଃ ନିର୍ଦ୍ଧାରଣ କରିବାକୁ ହେବ । ଯାହାଦ୍ୱାରା ଆମେ ସଂକ୍ରମଣକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ସହିତ ଜୀବନଜୀବିକା ଏବଂ ଅର୍ଥନୈତିକ କାର୍ଯ୍ୟକ୍ରମକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିପାରିବା  ବୋଲି କୋଭିଡ ଓ ବାତ୍ୟା ପୁର୍ନଗଠନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ -୧୯ ରୋଗ ନିୟନ୍ତ୍ରଣ ଏବଂ ବାତ୍ୟା ପୁର୍ନଗଠନ ସମ୍ପର୍କରେ ସମୀକ୍ଷା କରି ମତବ୍ୟକ୍ତ କରିଛନ୍ତି ।

 ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ "ଭାରତ ବିଶେଷ କରି ଆମ ଓଡ଼ିଶାରେ କରୋନା ସଂକ୍ରମଣର ଗତି ସମ୍ପର୍କରେ ମିଳିଥିବା ଅନୁଭୂତି ଆମକୁ ଆଶା ଦେଖାଇଛି ଯେ କଡ଼ାକଡ଼ି ସାମାଜିକ ଦୂରତ୍ୱ, ମାସ୍କର ବ୍ୟବହାର ଏବଂ ବାରମ୍ବାର ହାତ ଧୋଇବା ଦ୍ୱାରା ଆମେ ଏହି ମହାମାରୀକୁ ସଫଳ ଭାବରେ ନିୟନ୍ତ୍ରଣ କରିପାରିବା । ଆମର ଅନୁଭୂତି କହୁଛି ଯେ ବିପଦସଂକୁଳ ଜନସାଧାରଣ, ବିଶେଷ କରି ବୟସ୍କ ଲୋକ ଓ ଗୁରୁତର ରୋଗରେ  ପୀଡିତ ଲୋକମାନଙ୍କର ଅଧିକ ଯତ୍ନ ଆବଶ୍ୟକ । ତେଣୁ ଏହି ସବୁ ବିଷୟକୁ ପ୍ରାଧାନ୍ୟ ଦେଇ ୧୫ଦିନ ବ୍ୟାପି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାମାଜିକ ଦୂରତାକୁ ସାମାଜିକ ବାସନ୍ଦ ବୋଲି ଭାବିବା ଉଚିତ୍ ନୁହେଁ । ବ୍ୟାପକ ସଚେତନତା ସହ କଠୋର ଶୃଙ୍ଖଳା ବର୍ତମାନ ପରିସ୍ଥିତିର ଆବଶ୍ୟକତା ।ଏହା ହିଁ ଚଳିତ ସପ୍ତାହରେ ଆମ ପାଇଁ ଲକ୍ଷ୍ୟ ।

କରୋନା ନିୟନ୍ତ୍ରଣ ପାଇଁ ଆଗ ଧାଡ଼ିରେ ରହି କାମ କରୁଥିବା ବ୍ୟକ୍ତି ବିଶେଷ ଏବଂ ବିପଦ ସଂକୁଳ ଜନସାଧାରଣଙ୍କର ସଠିକ୍ ସମୟରେ ପରୀକ୍ଷା କରାଯିବା ଆବଶ୍ୟକ । ଦେଶରେ କରୋନା ଭୂତାଣୁ ପରୀକ୍ଷଣ କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଆଗାମୀ ଦିନରେ ରାଜ୍ୟର ପ୍ରତ୍ୟେକ ଅଂଚଳରେ ବିକେନ୍ଦ୍ରୀକରଣ ସୁବିଧା ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଆମ ରାଜ୍ୟରେ ବାଧ୍ୟତାମୂଳକ ସଂଗରୋଧ ବ୍ୟବସ୍ଥା ଓଉଗଜର ସୁପାରିଶ  ଅନୁଯାୟୀ  କରାଯାଇଛି । ସେହିପରି ଆନୁଷ୍ଠାନିକ  ସଂଗରୋଧକୁ ଆବଶ୍ୟକତା ଭିତିରେ ବୃଦ୍ଧି କରିବା ପାଇଁ ଜିଲାପାଳମାନଙ୍କୁ କ୍ଷମତା ଦିଆଯାଇଛି । କୋଭିଡି ରୋଗ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଜନସାଧାରଣଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଲାପାଳମାନେ ଏ ସମ୍ପର୍କରେ ନିଷ୍ପତି ନେଇପାରିବେ । ରାଜ୍ୟର ବିଭିନ୍ନ ପଂଚାୟତରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଗୁଡିକର ଭୂମିକା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଗୁଡ଼ିକ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି । ରାଜ୍ୟରେ କରୋନା ପଜେଟିଭ୍ କେସର ୯୫ପ୍ରତିଶତ କେବଳ ଏହି ସଂଗରୋଧ କେନ୍ଦ୍ରରୁ ହିଁ ମିଳିଛି । ଏହା ଆମର ବ୍ୟବସ୍ଥାର ସୁଦୃଢ଼ତାକୁ ପ୍ରତିପାଦନ କରିବା ସହିତ ସରପଂଚ, ଲୋକପ୍ରତିନିଧି ଏବଂ ସରକାରଙ୍କ ବିଭିନ୍ନ ବିଭାଗର ତଳସ୍ତରରୁ ଉପର ପର୍ଯ୍ୟନ୍ତ ସବୁ କର୍ମଚାରୀଙ୍କ ନିଷ୍ଠା  ଯୋଗୁ ସମ୍ଭବ ହୋଇପାରିଛି । କରୋନା ଯୁଦ୍ଧରେ ନିଜର ସବୁ କିଛି ତ୍ୟାଗ କରି ଦିନରାତି କାମ କରୁଥିବା ବ୍ୟକ୍ତିମାନଙ୍କ ପ୍ରତିବଦ୍ଧତାର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ।

ରାଜ୍ୟ ଭିତରେ ଅନ୍ୟ ରାଜ୍ୟର ପ୍ରବାସୀମାନଙ୍କୁ ସାହାଯ୍ୟ କରିବାପାଇଁ ପାଇଁ ସରକାରଙ୍କ ଆଭିମୁଖ୍ୟକୁ  ସଫଳତାର ସହିତ କାର୍ଯ୍ୟକାରୀ କରିବାରେ ରାଜ୍ୟ ପୋଲିସର କାର୍ଯ୍ୟଦକ୍ଷତା ପ୍ରଶଂସାଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ସେମାନଙ୍କ ଏହି ଭଲ କାମ ପାଇଁ ଅଭିନନ୍ଦନ ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କରୋନା ଯୁଦ୍ଧ ଏକ ଲମ୍ବା ଯୁଦ୍ଧ ଏବଂ ଏପର୍ଯ୍ୟନ୍ତ ଆମେ ଏହାକୁ ସଫଳତାର ସହିତ ପରିଚାଳନା କରିଅଛୁ । ଆମର ଅନୁଭୂତିକୁ ଆଧାର କରି କୌଶଳର ପୁନଃନିର୍ଦ୍ଧାରଣ କରିବା ଦିଗରେ ଆଭିମୁଖ୍ୟ ପ୍ରସ୍ତୁତ କରିବାକୁ ହେବ । ଆମର ସଂଗରୋଧ କେନ୍ଦ୍ରମାନଙ୍କରେ ଥିବା ଅନ୍ତେବାସୀ ମାନଙ୍କ ପାଇଁ ଯେଉଁ ସଂକ୍ଷିପ୍ତ ସାର୍ଟିଫିକେଟ କୋର୍ସ ଆରମ୍ଭ କରାଯାଇଛି ତାହା ଭବିଷ୍ୟତର ଆହ୍ୱାନକୁ ସଫଳ ଭାବରେ ମୁକାବିଲା କରିବାରେ ବିଶେଷଭାବରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରେଳ ଓ ବିମାନସେବା ଆରମ୍ଭ ହେବା ଦ୍ୱାରା ଆଗାମୀ ୧୫ଦିନରୁ ଏକମାସ ପର୍ଯ୍ୟନ୍ତ ସମୟ ଆମ ପାଇଁ ଅଧିକ ଆହ୍ୱାନମୂଳକହେବ । କିନ୍ତୁ ମାନିବିକତାକୁ ଆଗରେ ରଖି ବୃତିଗତ ଦକ୍ଷତା ସହ ଆମେ ପରିସ୍ଥିତିର ଉଚିତ ମୁକାବିଲା କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

କରୋନା ସଂକ୍ରମଣର ଭୟକୁ ଖାତିର ନକରି ଅମ୍ଫନ ବାତ୍ୟା ସମୟରେ ଆମର ସରକାରୀ କର୍ମଚାରୀମାନେ, ଜନପ୍ରତିନିଧମାନେ ଲୋକଙ୍କ ଜୀବନ ବଂଚାଇବା ପାଇଁ ଯେଭଳି ସାହସିକତା ଓ ନିଷ୍ଠାର ସହିତ କାମ କରେ ଏବଂ ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ କରିପାରିଲେ, ସେଥିପାଇଁ ମୁଖ୍ୟମନ୍ତୀ ସମସ୍ତଙ୍କୁ  ଧନ୍ୟବାଦ ଜଣାଇଥିଲେ । ବାତ୍ୟାର ୨୪ଘଂଟା ମଧ୍ୟରେ କ୍ଷତିଗ୍ରସ୍ତ ରାସ୍ତାର ପୁନଃରୁଦ୍ଧାର ଏବଂ ୪୮ଘଂଟା ମଧ୍ୟରେ ବିଦ୍ୟୁତ  ଯୋଗାଣ ସ୍ୱାଭାବିକ କରି ଆମର କର୍ମଚାରୀମାନେ ଯେଭଳି ଦକ୍ଷତା ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତୀ ତାର ଉଚ୍ଚପ୍ରଶଂସା କରିଥିଲେ । ଓଡ଼ିଶାବାସୀ ଏଭଳି ବିପତିି ସମୟରେ ଅନେକ ତ୍ୟାଗ ସ୍ୱୀକାର କରିଛନ୍ତିଏବଂ ସରକାରଙ୍କୁ ସବୁବେଳେ ସମ୍ପୂର୍ଣ୍ଣ ଭାବରେ ସହଯୋଗ ଦେଇଛନ୍ତି । ଓଡ଼ିଶାବାସୀଙ୍କର ଏହି ତ୍ୟାଗ ହିଁ ଆଗକୁ ବଢିବା ପାଇଁ ଆମକୁ ପ୍ରେରଣା ଦେବା ସହିତ ଅଧିକ କଠିନ ପରିଶ୍ରମ କରିବା ପାଇଁ ଆମକୁ ଶକ୍ତି ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବୈଠକରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ କହିଲେ ଯେ ବିଭିନ୍ନ ଜୋନ୍ ନିର୍ଣ୍ଣୟ କ୍ଷେତ୍ରରେ ପଂଚାୟତଗୁଡ଼ିକୁ ୟୁନିଟ୍ କରିବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ । ଏହା ଲକଡାଉନ, କ୍ୱାରେଟାଂଇନ୍ଆଦି ବିଭିନ୍ନ ନିୟମକୁ ପାଳନ କରିବାର ଯଥେଷ୍ଟ ସହାୟକ ହେଉଛି । ଓଡ଼ିଶାରେ କ୍ୱାରେଟାଂଇନ ପାଇଁ  ଯେତିକି ସୁବିଧା ଅଛି ତାର ମାତ୍ର ୩୦ପ୍ରତିଶତ ବ୍ୟବହୃତ ହୋଇଛି । ତେଣୁ ଅଧିକ ପ୍ରବାସୀଙ୍କ ପାଇଁ କୌଣସି ସମସ୍ୟା ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ । ବର୍ତମାନ ସୁଦ୍ଧା ୮୦ହଜାର ପ୍ରବାସୀ ଘର କ୍ୱାରେଟାଂଇନକୁ ଯାଇସାରିଛନ୍ତି ।

ରାଜ୍ୟକୁ ଯେଉଁମାନେ ମାତ୍ର ୭୨ଘଂଟା ପାଇଁ ଆସୁଛନ୍ତି, ସେମାନଙ୍କୁ କୌଣସି କ୍ୱାରେଟାଂଇନର ରଖାଯିବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏମଜିଏନଆରଇଜିଏସରେ ବର୍ତମାନ ଦିନକୁ ୧୦ଲକ୍ଷ ଶ୍ରମଦିବସ ସୃଷ୍ଟି ହୋଇଥିବାବେଳେ ଏହାକୁ ଦିନକୁ ୨୦ଲକ୍ଷକୁ ବୃ୍ଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । 

ବର୍ତମାନ ଜିଲାରେ ୧୭ଜିଲାରେ ୩.୮୫ଲକ୍ଷ  ମେଟ୍ରିକ ଧାନ ସଂଗ୍ରହ କରାଯାଇଛି ଯାହାକି ଗତବର୍ଷ ଠାରୁ ୪୦ପ୍ରତିଶତ ଅଧିକ । ଚାଷୀମାନଙ୍କ ଆକାଉଂଟକୁ ଧାନ ସଂଗ୍ରହ ବାବଦେର ୫୨୧କୋଟି ଟଙ୍କା ପ୍ରଦାନ କରାଯାଇଛି ।

କୋଭିଡ ରୋଗରେ ଓଡ଼ିଶାରେ ସୁସ୍ଥତା ହାର ୪୨.୭୮ପ୍ରତିଶତ ରହିଛି ଯାହାକି ଜାତୀୟ ହାରଠରୁ ଭଲ ଅଛି । ମୃତୁ୍ୟ ହହାର ୦.୪୬ପ୍ରତିଶତ । ରାଜ୍ୟରେ ବର୍ତମାନ ୧୪ଟି ପରୀକ୍ଷାଗାରରେ ଟେଷ୍ଟ କରାଯାଉଛି ଏବଂ ଟେଷ୍ଟିଂ କ୍ଷମତାକୁ ଦିନକୁ ୫୫୦୦କୁ ବୃଦ୍ଧି ପାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।

ସେହିପରି ୧୦୯ଟି ସ୍ୱତନ୍ତ୍ର ଟ୍ରେନରେ ୧୫୩୭୭୮ଜଣ ପ୍ରବାସୀ ବର୍ତସାନ ସୁଦ୍ଧାରାଜ୍ୟରେ ପହଂଚିଛନ୍ତି ବୋଲି ଜଣାପଡିଛି । ତେବେ ଅନ୍ୟ ପରିବହନ ମାଧ୍ୟମ ଜରିଆରେ ଓଡ଼ିଶା ଆସୁଥିବା ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ମୋ ସରକାର କଲ୍ ସେଂଟର ଆରମ୍ଭ କରିଛନ୍ତି ବୋଲି ବୈଠକରୁ ଜଣାଯାଇଛି ।

0
0
0
s2sdefault