"ତିନି ରଥର ୪୨ଟି ଚକ ମଧ୍ୟରୁ ଅଧିକାଂଶ ଚକ ଦୁର୍ବଳ ଅବସ୍ଥାରେ ରହିଛି । ଏହି ସମୟରେ କୌଣସି ପ୍ରକାରରେ ପେଚ ଆଦି ମାରି ରଥର ଚକଡ଼ାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ହାଲର ଅବସ୍ଥା ଭଲ ନାହିଁ । ୩/୪ ବର୍ଷ ପୂର୍ବେ ୪୨ଟି ଚକ ନିମନ୍ତେ ନୂତନ ହାଲ ଯୋଗାଇ ଦେବା ନିମନ୍ତେ ଦେବୋତ୍ତର ବିଭାଗକୁ ଜଣାଇଥିଲେ ମଧ୍ୟ ବିଭାଗ ଟାଳଟୁଳ ନୀତି ଆପଣେଇ ନେଇଛି । ପୁଣି କେତେକ ଅଖ ନଷ୍ଟ ହେବା ଅବସ୍ଥାକୁ ଆସିଯାଇଛି ।"
ବାରିପଦା(ଦିଲ୍ଲୀପ ମହାନ୍ତି)- କରୋନା ମହାମାରୀର ମୁକାବିଲା ନିମନ୍ତେ ଲକ୍ ଡ଼ାଉନ ବାରିପଦାରେ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ଘୋଷଯାତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଇଥିଲା । ଶ୍ରୀକ୍ଷତ୍ରେ ଧାମ ପୁରୀରେ ମହାପ୍ରଭୂଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ରଥ ନିର୍ମାଣ ନିଷ୍ପତ୍ତି ଗ୍ରହଣ କରାଯିବା ପରେ ତଦନୁଯାୟୀ ବାରିପଦାଠାରେ ମଧ୍ୟ ଦେବୋତ୍ତର ବିଭାଗ ପକ୍ଷରୁ ରଥ ନିର୍ମାଣକୁ ସବୁଜ ସଙ୍କେତ ମିଳିଲା । ପବିତ୍ର ଅକ୍ଷୟ ତୃତୀୟ ତିଥିରେ ତିନି ଠାକୁରଙ୍କ ଘୋଷଯାତ୍ରା ନିମନ୍ତେ ଅଖରେ ଚକ ଲାଗି ହେବା ପରେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରହିଥିବା ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ମାତ୍ର ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ମହାପ୍ରଭୂ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଜନ୍ମବେଦୀକୁ ବିଜେ ହୋଇ ପୁଣି ରତ୍ନ ସିଂହାସନକୁ ସୁରକ୍ଷିତ ଭାବେ ବାହୁଡ଼ି ଆସିବାକୁ ନେଇ ଉଠିଛି ପ୍ରଶ୍ନ । ଏହାକୁ ନେଇ ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ର ହାତ ଟେକି ଦେଇ ସବୁ ମହାପ୍ରଭୂଙ୍କ ଇଚ୍ଛା ଉପରେ ନିର୍ଭର କରୁଛି ବୋଲି ପ୍ରକାଶ କରିଛନ୍ତି । ଏଥି ସହିତ ରଥ ଚକ, ଅଖ ଓ ବରାନ୍ଦ ଉପରେ ନିର୍ଭର କରେ । ଗୋଟାଏ ନୂଆ ଚକର ଆୟୁ ଅତି ବେଶୀରେ ୭/୮ ବର୍ଷ । ପୁଣି ଚକକୁ ସୁରକ୍ଷିତ ରଖିବାରେ ସହାୟକ ହୋଇଥାଏ ହାଲ । ତିନି ରଥର ୪୨ଟି ଚକ ମଧ୍ୟରୁ ଅଧିକାଂଶ ଚକ ଦୁର୍ବଳ ଅବସ୍ଥାରେ ରହିଛି । ଏହି ସମୟରେ କୌଣସି ପ୍ରକାରରେ ପେଚ ଆଦି ମାରି ରଥର ଚକଡ଼ାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ହାଲର ଅବସ୍ଥା ଭଲ ନାହିଁ । ୩/୪ ବର୍ଷ ପୂର୍ବେ ୪୨ଟି ଚକ ନିମନ୍ତେ ନୂତନ ହାଲ ଯୋଗାଇ ଦେବା ନିମନ୍ତେ ଦେବୋତ୍ତର ବିଭାଗକୁ ଜଣାଇଥିଲେ ମଧ୍ୟ ବିଭାଗ ଟାଳଟୁଳ ନୀତି ଆପଣେଇ ନେଇଛି । ପୁଣି କେତେକ ଅଖ ନଷ୍ଟ ହେବା ଅବସ୍ଥାକୁ ଆସିଯାଇଛି । ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପୁରୁଣା କାଠରେ ରଥ ନିର୍ମାଣ ପରମ୍ପରା ରହିଆସିଛି । ପ୍ରତ୍ୟେକ ବର୍ଷ ରଥ ଯାଇ ଫେରି ଆସିବା ପରେ ୨୫ରୁ ୩୦ ପ୍ରତିଶତରୁ ଅଧିକ କାଠ ନଷ୍ଟ ହୋଇଯାଇ ଥାଏ । ଏହି ନଷ୍ଡ ହେଉଥିବା ପୁରୁଣା କାଠ ସ୍ଥାନରେ ପ୍ରାୟ ୬ ଶହ ସିପଟରୁ ଅଧିକ ନୂତନ କାଠ ଆବଶ୍ୟକ ହୋଇଥାଏ । ଏହାର ଏକ ତାଲିକା ଏକ ରେଜିଷ୍ଟରରେ ଉଲ୍ଲେଖ କରି ଦେବୋତ୍ତର ବିଭାଗକୁ ହସ୍ତାର କରାଯାଇଛି । କାଠ ଜଙ୍ଗଲ ବିଭାଗ ଯୋଗାଇ ଦେବାର ପରମ୍ପରା ରହି ଆସିଛି । କିନ୍ତୁ ବନ ବିଭାଗ କଞ୍ଚା କାଠ ଦେବା ବଦଳରେ ଜଙ୍ଗଲ ଭିତରେ ମରି ଶୁଖି ଯାଇଥିବା ଗଛକୁ ଦେଇଥାଏ । ଗୋଟାଏ ଗଛ କୌଣସି ଦୋଷ ଦୁର୍ବଳତା ରହିଥିଲେ ମରେ । ଫଳରେ ଜଙ୍ଗଲ ବିଭାଗ ଦେଉଥିବା କାଠ ରଥ ନିର୍ମାଣର ପବିତ୍ରତାକୁ ନଷ୍ଟ କରୁଥିବା ବେଳେ ନୂତନ କାଠର ଆବଶ୍ୟକତାକୁ ମଧ୍ୟ ପୂରଣ କରି ପାରି ନଥାଏ । ବନ ବିଭାଗ ନିଗମକୁ ହାତ ଖୋଲି କାଠ ଯୋଗାଇ ଦେଉଥିବା ବେଳେ ରଥ ନିର୍ମାଣ ନିମନ୍ତେ ଆବଶ୍ୟକ କାଠ ଦେବା ପାଇଁ ପ୍ରତ୍ୟେକ ବର୍ଷ ପଛଘୁଞ୍ଚା ମାରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ର । ସେହିପରି ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାଙ୍କ ଶାସନ ସମୟରେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ରଥ ମହାପାତ୍ରଙ୍କୁ ମହାରାଜା ଜାଗିରି ଭାବେ ଦେଇଥିବା ସମ୍ପତ୍ତି ମଧ୍ୟରୁ ୧୦ ଏକର ୧୩ ଡେ଼ସିମିଲ ସମ୍ପତ୍ତି ସରକାରୀ ଖାତାକୁ ଚାଲିଯାଇଛି । ଉକ୍ତ ଜମି ମଧ୍ୟରୁ ଅଧିକାଂଶ ଜମିକୁ ଜନସାଧାରଣ ଜବରଦଖଲ କରି ଘରଦ୍ୱାର କରିସାରିଲେଣି । ଦେବୋତ୍ତର ବିଭାଗ ନିକଟରେ ବାରମ୍ଭାର ଅଭିଯୋଗ କଲେ ମଧ୍ୟ ଜବରଦଖଲକାରୀମାନଙ୍କ କବଳରୁ ଜମିକୁ ମୁକ୍ତ କରାଇବା କ୍ଷେତ୍ରରେ ବିଫଳ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ରଥ ମହାପାତ୍ର ମୃତୁ୍ୟଞ୍ଜୟ ମହାପାତ୍ରଙ୍କ ଅଭିଯୋଗ ଉପରେ ବାରିପଦା ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳ ଦାୟିତ୍ୱରେ ଥିବା ବାରିପଦା ପିଏ ଆଇଟିଡ଼ିଏ ବସନ୍ତ କୁମାର ସେଠୀଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କର ସେଲ ନମ୍ବର ୯୪୩୭୬୦୩୭୧୧ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଧରିନଥିଲେ ।
ଜନଶ୍ରୁତିରୁ ଜଣାପଡେ,ମହାପ୍ରଭୂଙ୍କ ସ୍ୱପ୍ନାଦେଶ ପରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜା ବୈଦ୍ୟନାଥ ଭଞ୍ଜଦେଓ ଖ୍ରୀଷ୍ଟାବ୍ଦ ୧୫୭୫(ଶକାବ୍ଦ ୧୪୯୮)ରେ ନିଜର ଗଡ଼ ବାରିପଦାରେ କଳିଙ୍ଗର ରେଖାଶୈଳୀରେ ପୁରୀର ସୁଦକ୍ଷ ମନ୍ଦିର ଶିଳ୍ପୀମାନଙ୍କ ଦ୍ୱାରା ମହାପ୍ରଭୂଙ୍କର ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା ହେବାର ପରବର୍ତ୍ତୀ ସମୟଠାରୁ ପୁରୀ ଶ୍ରୀମନ୍ଦିରର ସମସ୍ତ ରୀତିନୀତି ଓ ନିୟମ ଅନୁସାରେ ମହାପ୍ରଭୂଙ୍କର ପୂଜାର୍ଚ୍ଚନା କରାଯାଇ ଆସୁଅଛି । ସେହିପରି ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ବାରିପଦାଙ୍କ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ସର୍ବବିଦିତ ହେବେ ଏବଂ ପ୍ରତ୍ୟେକ ଦିନ କିଛି ସମୟ ବାରିପଦା ମନ୍ଦିରକୁ ବିଜେ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ; ପୁଣି ପୁରୀ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରାର ପରବର୍ତ୍ତି ଦିବସରେ ବାରିପଦା ବଡ଼ଦାଣ୍ଡରେ ଭକ୍ତମାନଙ୍କ ଗହଣରେ ବିରାଜମାନ ହୋଇ ଦର୍ଶନ ଦେବେ ବୋଲି ମହାପ୍ରଭୂ ମୟୂରଭଞ୍ଜ ମହାରାଜାଙ୍କୁ ସ୍ୱପ୍ନାଦେଶ ହୋଇଥିଲେ । ତେଣୁ ବାରିପଦା ଦେବୋତ୍ତର ବିଭାଗ ଓ ଜିଲ୍ଲାପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ପବିତ୍ର ଶ୍ରୀପଞ୍ଚମୀ ତିଥିରୁ ରଥ କାଠ ଅନୁକୂଳ ହୋଇ ଅଶୋକାଷ୍ଟମୀରୁ ମହାପ୍ରଭୂଙ୍କ ତିନି ରଥର ଚକ ଓ ଅଖ ନିର୍ମାଣ କରାଯାଇ ଅକ୍ଷୟ ତୃତୀୟାରେ ତିନି ଠାକୁରମାନଙ୍କ ରଥର ଅଖରେ ଚକ ଲାଗି କାର୍ଯ୍ୟ ସମ୍ପନ୍ନ ହେବା ପରମ୍ପରା ରହି ଆସିଛି ।