ମୟୂରଭଞ୍ଜ- ବେଙ୍ଗଲ ସୀମାର ସ୍ଥିତାବସ୍ଥା ଅନୁଧ୍ୟାନ କଲେ ପୁଲିସ ମୁଖିଆ
ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଅଭୟ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ମୟୂରଭଞ୍ଜ-ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଶୁଳିଆପଦା ପ୍ରବେଶପଥ ପରିଦର୍ଶନ କରିବା ସଂଗେସଂଗେ ସ୍ଥିତାବସ୍ଥା ଅନୁଧ୍ୟାନ ଶେଷ କରି ଫେରିଯାଇଛନ୍ତି । ଏଥି ସହିତ ଡ଼ିଜିପି କୋଭିଡ଼-୧୯ର ମୁକାବିଲା ନିମନ୍ତେ ପୁଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଓ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଗସ୍ତ ସମ୍ପର୍କରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ପ୍ରଦାନ ଅବସରରେ ଆଜି ମୟୂରଭଞ୍ଜ ଓ ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଅଞ୍ଚଳ ବୁଲି ଦେଖିଥିଲେ । ଜିଲ୍ଲାରେ ଲକ୍ ଡ଼ାଉନ ଇନଫୋର୍ସମେଣ୍ଟ ଭଲ ରହିଛି । ଓଡ଼ିଶା – ବେଙ୍ଗଲ ବର୍ଡ଼ରରେ ପୋଷ୍ଟ, ଅଫିସର ଓ ଫୋର୍ସ ସଂଖ୍ୟାକୁ ବୃଦ୍ଧି କରାଯାଇଛି । ଓଡ଼ିଶାର ଏକ ତୃତୀୟାଂଶ କରୋନା ପଜିଟିଭ ସଂଖ୍ୟା ପଶ୍ଚିମବଙ୍ଗ ଓରିଜିନର ରହିଛି । ସୀମାନ୍ତବର୍ତ୍ତୀ ଜନବସତି ଅଞ୍ଚଳର ପରିସ୍ଥିତି ସନ୍ତୋଷଜନକ ରହିଅଛି । ସେହି ସମସ୍ତ ଅଞ୍ଚଳଗୁଡ଼ିକୁ ପ୍ରଶାସନ ପକ୍ଷରୁ ସେନିଟାଇଜିଂ କରାଯାଉଛି । ଏସପି ଓ ଜିଲ୍ଲାପାଳ ମିଶି ଭଲ କାର୍ଯ୍ୟ କରୁଛନ୍ତି । ଆଶା କରୁଛି ସୀମାନ୍ତ ଅଞ୍ଚଳରେ ରହିଥିବା ଜନବସତିଗୁଡ଼ିକରେ ବସବାସ କରୁଥିବା ଜନସାଧାରଣ ସଚେତନ ଓ ସତର୍କ ରହି କାର୍ଯ୍ୟକରିବା ସାଙ୍ଗକୁ ପ୍ରଶାସନକୁ ସହଯୋଗ କରିବେ । ଯଦି କୌଣସି ବ୍ୟକ୍ତି ସୀମା ଅତିକ୍ରମ କରି ଭିତରେ ପ୍ରବେଶ କଲା ସଂଗେସଂଗେ ତାଙ୍କୁ କ୍ୱାରେଣ୍ଟାଇନରେ ଭର୍ତ୍ତି କରାଇବାର ବ୍ୟବସ୍ଥା କରାଇବେ । ବର୍ତ୍ତମାନ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାରୁ କୋଭିଡ଼-୧୯କୁ ନେଇ କୌଣସି ରିପୋର୍ଟ ଆସିନାହିଁ । ମୟୂରଭଞ୍ଜ ଏହି ସ୍ଥିତାବସ୍ଥାକୁ ଆଗକୁ ରକ୍ଷା କରିବାରେ ସଫଳ ହେବ ବୋଲି ପୁଲିସ ମହାନିର୍ଦ୍ଦେଶକ ଶ୍ରୀଅଭୟ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହି ସମୟରେ ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର ଉପସ୍ଥିତ ରହିଥିଲେ ।
ସୂଚନା ଯୋଗ୍ୟ ଯେ, ହାତୀର ଦାନ୍ତ, ଦେଖିବାରେ ଗୋଟାଏ, କିନ୍ତୁ କାର୍ଯ୍ୟରେ ଭିନ୍ନ । ଠିକ୍ ସେହିପରି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଥିବାର କହୁଥିବା ବେଳେ ବାହାର ରାଜ୍ୟ ଓ ଜିଲ୍ଲାରୁ ମୟୂରଭଞ୍ଜ ଭିତରକୁ ଅବାଧ ପ୍ରବେଶ ଜାରି ରହୁଥିଲେ ମଧ୍ୟ ପୁଲିସ ଏହାର ଟେର ପାଇପାରୁ ନାହିଁ । ଆଜି ବାଲେଶ୍ୱର ଅରଡ଼ବଜାର ଅଞ୍ଚଳରୁ ବଳରାମ ଦାସ ଓ ଭଦ୍ରଖ ତିହିଡ଼ି ଅଞ୍ଚଳରୁ ହରମୋହନ ପାଢ଼ୀ ଓଆର-୨୨-୯୪୦୬ ନମ୍ବର ହିରୋହୋଣ୍ଡା ସ୍ପେ୍ଲଣ୍ଡର ବାଇକରେ ଆସି ବାରିପଦାରେ ପହଁଞ୍ଚି ଦାରୋଗାଡ଼ାହିସ୍ଥିତ ଫାଇନାନ୍ସ କାର୍ଯ୍ୟାଳୟ ଖୋଲିବାକୁ ଉଦ୍ୟମ କରିଥିଲେ । ମାତ୍ର ସୁକୁମାର ପ୍ରଧାନ ଏଥିରେ ବାଧାଦେବାରୁ ଫେରିଯିବାକୁ ବାଧ୍ୟ ହୋଇଥିବାର ଜଣାପଡ଼ିଛି । ତେବେ ମୟୂରଭଞ୍ଜ ଓଡ଼ିଶା ସରକାରଙ୍କ ଗ୍ରୀନ ଜୋନରେ ରହିଥିଲେ ମଧ୍ୟ ବାଲେଶ୍ୱର ଓ ଭଦ୍ରଖ ଅଞ୍ଚଳରୁ ଏହି ଦୁଇ ଜଣ ବାଇକରେ ବାରିପଦାରେ ପହଁଞ୍ଚିବା ଚିନ୍ତାର ବିଷୟ ପାଲଟିଯାଇଛି । ସେହିପରି ପଡେ଼ାଶୀ ପଶ୍ଚିମବଙ୍ଗ ରାଜ୍ୟକୁ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକ ଅନ୍ତର୍ଗତ ପଳାଶମୁଣ୍ଡଳୀ ପଞ୍ଚାୟତର କାଞ୍ଜିଆମୁଣ୍ଡା, ଟୁକପଳାଶିଆ; ଚିକିଟାମାଟିଆ ପଞ୍ଚାୟତର ଖୁଣ୍ଟାପାଳ, ଭାତଛତର, ବ୍ରାହ୍ମଣମରା; ନୁହାଝାଳିଆ ପଞ୍ଚାୟତର ଧିରେଇଡ଼ିହି, ବଡ଼ଶୋଳ ଗ୍ରାମଗୁଡ଼ିକ ରହିଥିବା ବେଳେ ଶୁଳିଆପଦା ବ୍ଲକର ବାଘଡ଼ା, ଶୀର୍ଷା, ଚକଶୁଳିଆପଦା ଆଦି ବିଭିନ୍ନ ରାଜସ୍ୱ ଗ୍ରାମଗୁଡ଼ିକ ରହିଅଛି । ଏଥି ସହିତ ପଶ୍ଚିମବଙ୍ଗ ରାଜ୍ୟର ଧୂମସାହି ହାଟକୁ ମଧ୍ୟ ମୟୂରଭଞ୍ଜ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରୁ ଜନସାଧାରଣଙ୍କ ଅବାଧ ଯାତାୟତ ରହିଥାଏ । ତେଣୁ ପୁଲିସ ମହାନିର୍ଦ୍ଦେଶକ ଶ୍ରୀଅଭୟ ଦେଇଥିବା ସୂଚନା ଓଡ଼ିଶାର କରୋନା ପଜିଟିଭଙ୍କ ମଧ୍ୟରୁ ଏକ ତୃତୀୟାଂଶ ପଶ୍ଚିମବଙ୍ଗ ଓରିଜିନ ମୟୂରଭଞ୍ଜ ପ୍ରତି ସତର୍କ ଘଣ୍ଟି ରହିଥିଲା । ପଶ୍ଚିମବଙ୍ଗ ରାଜ୍ୟରୁ ପ୍ରାୟ ୧୦ ହଜାରରୁ ଅଧିକ ଶ୍ରମିକ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରନ୍ତି । ଏମାନଙ୍କ ମଧ୍ୟରୁ କେତେକ ପଳାଇଯାଇଥିବା ବେଳେ ଅନ୍ୟ କେତେକ ଅସ୍ଥାୟୀ କ୍ୟାମ୍ପରେ ରହିଥିବାର ଜଣାପଡ଼ିଛି ।