କରୋନା କହୁଛି ଘରେ ରୁହ, ଏଣେ ଘର ଉଜାଡୁଛି ହାତୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ୩ ମାସରେ ସଦର ରେଞ୍ଜରେ ୪୧ ଘର ଭାଙ୍ଗିଲା

ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : କରୋନା କହୁଛି ଘରେ ରୁହ ଏଣେ ଘର ଭାଙ୍ଗୁଛି ହାତୀ। ଏଭଳି ସ୍ଥିତି ଯୋଗୁଁ ହାତୀ ଉପଦ୍ରବର ଶିକାର ବିଭିନ୍ନ ପଞ୍ଚାୟତ ଅଧିବାସୀଙ୍କ ମଧ୍ୟରୁ କିଏ ଖୋଲା ଆକାଶ ତଳେ ଅଛନ୍ତିତ ଆଉ କିଏ ପର ଘରେ ଆଶ୍ରା ନେଇଛନ୍ତି। ଅନ୍ୟ ଦିଗରେ ଜାନୁଆରି ମାସରୁ ଆଜି ପର୍ଯ୍ୟନ୍ତ ସଦର ରେଞ୍ଜ ଅନ୍ତର୍ଗତରେ ସର୍ବାଧିକ ୪୧ ଜଣଙ୍କ ଘର ହାତୀ ଭାଙ୍ଗି ଦେଇଛି। ଜିଲ୍ଲାରେ ସଂଖ୍ୟା ଅନେକ ଅଧିକ ରହିଛି ।

       ଜାନୁଆରି ମାସରୁ ପଲିଥିନ ତଳେ ରହୁଛନ୍ତି ସମ୍ବଲପୁର ଜିଲ୍ଲା ଧମା ରେଞ୍ଜ ଅନ୍ତର୍ଗତ ଗଡ଼ଲୁଇସିଂର କୁମରମଣି ବିଭାରଙ୍କ ୫ ଜଣିଆ ପରିବାର। ସକାଳେ କୌଣସି ପ୍ରକାର ରାନ୍ଧି ଦେଇ ଠିକ ୧୧-୧୨ଟା ବେଳକୁ ଏଭଳି ଖରା ହେଉଛି ଯେ ପଲିଥିନ ତଳେ ରହିବା ସମ୍ଭବ ହେଉନଥିବାରୁ କିଛି ଦୂରରେ ସ୍ଥିତ ଗଛ ତଳେ ସମ୍ପୂର୍ଣ୍ଣ ପରିବାର ଆଶ୍ରୟ ନେଉଛି। ଜାନୁଆରି ୧୮ ତାରିଖ ରାତିରେ ଦନ୍ତା ହାତୀ ଏହି ପରିବାରର ୨ ବଖରିଆ ଘର ସହିତ ଖଟ, ଆଲମାରି, ବାସନ ଭାଙ୍ଗି ୮ ପ୍ୟାକେଟ ଧାନ ନଷ୍ଟ କରି ଦେଇଛନ୍ତି। ସେ ଦିନ ପରିବାରର ଲୋକ ପଡ଼ୋଶୀଙ୍କ ଛାତ ଉପରକୁ ଚଢିନଥିଲେ ହାତୀ ବୋଧେ ୫ ଜଣଙ୍କୁ ଦଳି ଦେଇଥାଆନ୍ତା ବୋଲି କହିଛି ପରିବାର। କୁମରମଣି କହନ୍ତି, କରୋନାରୁ ରକ୍ଷା ପାଇଁ ସରକାର ଘରେ ରହିବା ପାଇଁ ପରାମର୍ଶ ଦେଉଛନ୍ତି ମାତ୍ର ତାଙ୍କ ଘର କେଉଁଠି ଅଛି ଯେ ସେ ରହିବେ? ଆଶା ଥିଲା ମାସେ ମଧ୍ୟରେ ଅନ୍ତତଃ ତାଙ୍କୁ କ୍ଷତିପୂରଣ ମିଳିଯାଇଥିଲେ, ଘର ମରାମତି କରି ରହିଥାଆନ୍ତେ ମାତ୍ର ତାହା ମଧ୍ୟ ହୋଇ ପାରି ନାହିଁ।କୁମରମଣି ଶ୍ରମିକ କାର୍ଯ୍ୟ କରନ୍ତି ଏବଂ ତାଙ୍କ ସ୍ତ୍ରୀ କେନ୍ଦୁପତ୍ର ତୋଳାଳି। କରୋନା ଲକଡାଉନ ପରେ ମଜୁରି ବନ୍ଦ ପଡ଼ିଛି। ଏହି ଘର ଭାଙ୍ଗିବାର ୪ ଦିନ ପୂର୍ବରୁ ଗଡ଼ଲୁଇସିଂର ୧୫ ଜଣଙ୍କ ଘର ଭାଙ୍ଗି ଦେଇଥିଲେ। ଯୁଯୁମୁରା ବ୍ଲକ ଅନ୍ତର୍ଗତ ବୀରସିଂହଗଡ଼ ପଞ୍ଚାୟତ ଅନ୍ତର୍ଗତ ବସିଆପଡ଼ାର ୨ ଭାଇ ଧନଜଂୟ ଏବଂ ଗଣ ବର୍ଗେଙ୍କ ୯ ଜଣିଆ ପରିବାରଙ୍କ ଘର ଜାନୁଆରି ମାସରୁ ହାତୀ ଭାଙ୍ଗି ଦେବା ପରେ ସେମାନେ ବର୍ତ୍ତମାନ ତାଙ୍କ ସରପଞ୍ଚଙ୍କ ଖାଲି ପଡ଼ିଥିବା ଘରେ ରାତିରେ ଆଶ୍ରା ନେଇଛନ୍ତି। ସକାଳେ ନିଜ ଘରେ ରାନ୍ଧୁଛନ୍ତି, ରାତିରେ ସେଠାକୁ ଯାଉଛନ୍ତି।ଏଭଳି ଅବସ୍ଥାରେ କରୋନା ସାମାଜିକ ଦୂରତ୍ବ ସେମାନଙ୍କ ପାଇଁ ଉପହାସ ସଦୃଶ ବୋଲି କହନ୍ତି ଧନଞ୍ଜୟ। ଧନଞ୍ଜୟ କହନ୍ତି, ରାତିରେ ଶୋଇଥିବାବେଳେ ହାତୀ ଅଚାନକ ତାଙ୍କ ଘରକୁ ଆସି ସବୁ ଭାଙ୍ଗି ଦେଇଥିଲା। ଏଥିରେ ୬ ବସ୍ତା ସିଝା ଧାନ, ୨ ବସ୍ତା ଚାଉଳ ନଷ୍ଟ କରିଛନ୍ତି।

 ସେତେବେଳେ ଘରେ ତାଙ୍କର ୮୦ ବର୍ଷିୟା ମା, ୪ ଶିଶୁଙ୍କ ସମେତ ୯ ଜଣ ସଦସ୍ୟ ଥିଲେ। ଏହାପରେ ତାଙ୍କ ଗାଁର ପୂର୍ଣ୍ଣ ସାଗର ବର୍ଗେ, ନେତ୍ରମଣି ଭୋଇଙ୍କ ଘର। ନେତ୍ରମଣିଙ୍କ ଅବସ୍ଥା ଏଭଳି ଯେ ସେ ଭଙ୍ଗା ରହିବାକୁ ବାଧ୍ୟ ହେଉଛନ୍ତି। ଏପରିକି କିଛି ଦିନ ପୂର୍ବରୁ ସରପଞ୍ଚଙ୍କ ପରିବାରର ୩ ଜଣ ସଦସ୍ୟଙ୍କୁ ହାତୀ ଦଳି ଦେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି। ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ସଦର, ପଡ଼ିଆବାହାଲ ଏବଂ ଧମା ରେଞ୍ଜ ଅନ୍ତର୍ଗତରେ ହାତୀ ସର୍ବାଧିକ ଘର ଭାଙ୍ଗିବା ସହିତ ଫସଲ ନଷ୍ଟ କରିଛି। ଜାନୁଆରି ମାସରୁ ଏହି ସ୍ଥିତି ଗୁରୁତର ହୋଇଛି।

ସମ୍ବଲପୁର ବନାଞ୍ଚଳରେ ଘର ଭାଙ୍ଗିଥିବା ୩୩ ଜଣଙ୍କ ପାଇଁ ୧ ଲକ୍ଷ ୭୮ ହଜାର ଅନୁମୋଦିତ ଡିଏଫଓ ସଂଜିତ କୁମାର କହିଛନ୍ତି, ଜିଲ୍ଲାରେ ଘର ଭାଙ୍ଗିଥିବା ୩୩ ଜଣଙ୍କ ପାଇଁ ୧ ଲକ୍ଷ ୭୮ ହଜାର ଟଙ୍କା ଅନୁମୋଦିତ ହୋଇଛି। ଏଥିମଧ୍ୟରେ ୮, ଫେବ୍ରୁଆରି ମାସରେ ୧୮, ମାର୍ଚରେ ୪ ଏବଂ ଏପ୍ରିଲ ମାସରେ ୩ କ୍ଷତିଗ୍ରସ୍ତଙ୍କ ପାଇଁ ଟଙ୍କା ଅନୁମୋଦିତ ହୋଇଛି।କରୋନା ଭୟ ସହିତ ହାତୀ ଘଉଡ଼ାଇବାର ଚ୍ୟାଲେଞ୍ଜ ସାମ୍ନା କରୁଛନ୍ତି ବନ ବିଭାଗ କର୍ମଚାରୀ ସଦର ରେଞ୍ଜର ଗୌରୀ ଶଙ୍କର ଦାଶ କହିଛନ୍ତି, କରୋନା ଭୟ ମଧ୍ୟରେ ହାତୀ ଘଉଡ଼ାଇବା କାର୍ଯ୍ୟ କରୁଛନ୍ତି ବନ କର୍ମଚାରୀ। ଯେଉଁ ସ୍ଥାନରେ ହାତୀ ଆସିବା ସୂଚନା ମିଳୁଛି କର୍ମଚାରୀମାନେ ପହଞ୍ଚୁଛନ୍ତି। ପ୍ରତିଷେଧକ ମୂଳକ ବ୍ୟବସ୍ଥା ଭାବରେ କେବଳ ମାସ୍କ ପିନ୍ଧୁଛନ୍ତି। ବିଭିନ୍ନ ଗାଁରେ କରୋନା ପାଇଁ ଲୋକେ ରାସ୍ତା ବନ୍ଦ କରିଛନ୍ତି। ସେହି ଭିତରେ ବ୍ୟବସ୍ଥା କରି କର୍ମଚାରୀମାନେ ଯାଉଛନ୍ତି। ୪୧ ଘର ମଧ୍ୟରୁ ୫-୬ଜଣଙ୍କ ଘର ହାତୀ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସେଥିପାଇଁ ଇନ୍ଦିରା ଆବାସ ପ୍ରଦାନ ପାଇଁ ମଧ୍ୟ ବିଡିଓଙ୍କୁ ସୁପାରିସ କରାଯାଇଛି।

0
0
0
s2sdefault