ହେଡଲାଇନସ୍:

ନୂଆ କମ୍ପାନୀରେ ପୁରୁଣା ଖଣି ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏଆଇଟିୟୁସି ପକ୍ଷରୁ ରାଲି ଓ ଖଣି ଯୁଗ୍ମ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ

ବଡ଼ବିଲ (ଶାସକ ପ୍ରଶାସକ): ବର୍ତ୍ତମାନ ଖଣିରେ କାର୍ଯ୍ୟରତ ସମସ୍ତ ଶ୍ରମିକଙ୍କୁ ନୂଆ ଖଣି ଲିଜଧାରୀଙ୍କ ଅଧିନରେ ନିଯୁକ୍ତି ଦେବାକୁ ଦାବି ଯୋର ଧରିଛି । ଏନେଇ ଆଜି ଶ୍ରମିକ ସଂଗଠନ ଏଆଇଟିୟୁସି ପକ୍ଷରୁ ଯୋଡ଼ାରେ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବହୁ  ସଂଖ୍ୟାରେ ଖଣି ଶ୍ରମିକମାନେ ଏହି ରାଲିରେ ସାମିଲ ହୋଇ ଯୋଡ଼ା ସହର ପରିକ୍ରମା କରିବା ପରେ ଯୁଗ୍ମ ଖଣି ନିର୍ଦ୍ଦେଶକ, ଯୋଡ଼ାଙ୍କ କାର୍ଯ୍ୟାଳୟକୁ ଘେରିବା ସହ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖଣି ଶ୍ରମିକଙ୍କୁ ପୁନଃ ନିଯୁକ୍ତି ସୁନିଶ୍ଚିତ କରିବା ନେଇ ଏଆଇଟିୟୁସି ଅନୁବନ୍ଧିତ କେନ୍ଦୁଝର ମାଇନିଂ ଏଣ୍ଡ ଫରେଷ୍ଟ ୱାର୍କରସ୍ ୟୁନିଅନ ପକ୍ଷରୁ ଦାବି ସଂପର୍କୀତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଯୁଗ୍ମ ଖଣି ନିର୍ଦ୍ଦେଶକ, ଯୋଡ଼ାଙ୍କୁ ପ୍ରଦାନ କରାଯାଇଥିଲା । ଆସନ୍ତା ୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟର ୨୪ଟି ଖଣିର ଲିଜ ଅବଧି ଶେଷ ହେବାକୁ ଯାଉଥିବା ବେଳେ, ୧୯ଟି ଖଣିର ନିଲାମୀ ପ୍ରକ୍ରିୟା ଶେଷ ହୋଇଛି । ତେବେ ୩ଟି ଖଣିକୁ ଛାଡ଼ିଦେଲେ ବାକି ୧୬ଟି ଖଣିକୁ ନୂଆ କମ୍ପାନୀ ଗୁଡ଼ିକ ହାତେଇବାରେ ସକ୍ଷମ ହୋଇଛନ୍ତି । ସେପଟେ ପୁରୁଣା  ଖଣି କମ୍ପାନୀ ଗୁଡ଼ିକ ଶ୍ରମିକ ଛଟେଇ ପାଇଁ ନୋଟିସ ଜାରି କରିସାରିଛନ୍ତି । ବର୍ତ୍ତମାନ ଖଣିରେ କାର୍ଯ୍ୟରତ ଶ୍ରମିକଙ୍କୁ ନୂଆ ଖଣି ଲିଜଧାରୀ ନିଜ ଖଣିରେ ନିଯୁକ୍ତି ଦେବେ କି ନା ସେ ନେଇ ଅନିଶ୍ଚିତତା ଲାଗି ରହିଛି । ଛଟେଇ ନୋଟିସ୍ ଜାରି ହେବା ପରେ କାର୍ଯ୍ୟରତ ଖଣି ଶ୍ରମିକ ଏବେ ଆଶା ଆଉ ଆଶଙ୍କା ଭିତରେ ଗତି କରୁଛନ୍ତି । ସମସ୍ତ କାର୍ଯ୍ୟରତ ଶ୍ରମିକଙ୍କୁ ନୂତନ ଖଣି କମ୍ପାନୀ ମାନଙ୍କରେ ପୁନଃ ନିଯୁକ୍ତି ଦେବା ପାଇଁ ସରକାର ବିଧିବଦ୍ଧ ଭାବେ ନିର୍ଦ୍ଦେଶନାମା ଜାରି କରିବାକୁ ଦାବି ସଂଗଠନ ପକ୍ଷରୁ ଦାବି କରାଯାଇଛି ।  କେନ୍ଦୁଝର ମାଇନିଂ ଏଣ୍ଡ ଫରେଷ୍ଟ ୱାର୍କରସ୍ ୟୁନିଅନର ସଭାପତି ରାମକୃଷ୍ଣ ପଣ୍ଡା, ସାଧାରଣ ସମ୍ପାଦକ ମହେଶ୍ବର ରାଉତ, ବିଦ୍ୟାଧର ମହାନ୍ତ, କପିଳ ମହାନ୍ତି ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

0
0
0
s2sdefault