ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମ୍ବଲପୁର ଗସ୍ତ l
ସମ୍ବଲପୁର ରମାକାନ୍ତ ବିଶ୍ବାଳ-ବିଜେପିର ବରିଷ୍ଠ ନେତା ତଥା ବର୍ତ୍ତମାନର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପାଇଁ ସମ୍ବଲପୁର ଏକ ସ୍ମରଣୀୟ ସହର ତାଙ୍କ ରାଜନୈତିକ ଜୀବନରେ | ସେଦିନ ଆସିଥିଲେ ଆଜି ବି ଆସିଥିଲେ | ସେଦିନ ଆସିଥିଲେ ସାଙ୍ଗଠନିକ କାମରେ ଅବଜର୍ଭର ଭାବେ, ଆଜି ଆସିଥିଲେ ସାଙ୍ଗଠନିକ କାମରେ ରାଜ୍ୟ ସଭାପତି ତଥା ରାଜ୍ୟର ସର୍ଵମୟ କର୍ତ୍ତା ଭାବେ | ସେଦିନ ବି ନେତା ମାଳମାଳ, ଆଜି ବି ଥିଲେ ନେତା ମାଳମାଳ | ଫରକ କେବଳ ଥିଲା ସମ୍ବର୍ଧନାରେ | ଦଳପାଇଁ କାମ କରିବାକୁ ଯାଇ ସେଦିନ ନିଜ ଜୀବନର ସର୍ବାଧିକ ତିକ୍ତ ମୁହୂର୍ତ୍ତକୁ ସାମନା କରିଥିଲେ, ଆଉ ଆଜି ଗାଡ଼ିରୁ ଓହ୍ଲାଇବାଠୁ ଆରମ୍ଭ କରି ଫେରିବା ପର୍ଯ୍ୟନ୍ତ ସମ୍ବର୍ଦ୍ଧନା ହିଁ ସମ୍ବର୍ଦ୍ଧନା | ସେଦିନ ସାମନା କରିଥିଲେ ଦଳର ଅସନ୍ତୁଷ୍ଟ ନେତାଙ୍କ ଆକ୍ରୋଶର, ଆଜି ସମ୍ବର୍ଧନା କିନ୍ତୁ ଭବ୍ୟ | ସମ୍ବର୍ଧନା ନେଲା ବେଲେ ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ମନେ ପଡ଼ିଥିବ କି ନାହିଁ ସେଠାରେ ଉପସ୍ଥିତ ଜଣେ ନେତା ୧୨ ମାର୍ଚ୍ଚ ୨୦୧୭ରେ ସମ୍ବଲପୁର ବିଜେପି ପାର୍ଟି ଅଫିସରେ ଘଟିଥିବା ଘଟଣା ମନେ ପକାଇ କହିଥିଲେ " କଲ କୁଛ ଔର ଥି, ଆଜ କୁଛ ଔର ହେ ...ୱକ୍ତ ୱକ୍ତ କି ବାତ ହେ " |
ଆଜି ପ୍ରଦେଶ ଭାରତୀୟ ଜନତା ପାର୍ଟ ବିଜେପିର ନବ ନିର୍ବାଚିତ ରାଜ୍ୟ ସଭାପତି ଦଳର ସୋସିଆଲ ଚେହେରା ଭାବେ ପରିଚିତ ବରିଷ୍ଠ ନେତା ଶ୍ରୀ ସମୀର ମହାନ୍ତି ଦାୟିତ୍ୱ ଗ୍ରହଣ କଲା ପରେ ପ୍ରଥମ ଥର ପାଇଁ ଆଜି ସମ୍ବଲପୁର ଗସ୍ତରେ ଆସିଥିଲେ | ପ୍ରାୟ ତିନିବର୍ଷ ବ୍ୟବଧାନରେ ତାଙ୍କର ଏହା ସମ୍ୱଲପୁର ଗସ୍ତ | ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ଏହି ଗସ୍ତ କାର୍ଯ୍ୟକ୍ରମ ଅବସରରେ ସର୍ବ ପ୍ରଥମେ ସକାଳ ୯ ଘଣ୍ଟା ସମୟରେ ସେ ମାଁ ସମଲେଶ୍ବରୀଙ୍କ ପୀଠକୁ ଯାଇ ଇଷ୍ଟଦେବୀ ମାଁ ସମଲେଶ୍ବରୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ | ବହୁ ସଂଖ୍ୟାରେ ନେତା ଓ କର୍ମୀ ଉପସ୍ଥିତ ରହି ସଭାପତି ଶ୍ରୀ ମହାନ୍ତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ |
ଏହି ଅବସରରେ ରେଙ୍ଗାଲି ବିଧାୟକ ନାଉରି ନାୟକ, ବିଜେପି ଜ଼ିଲ୍ଲା ସଭାପତି ଗିରିଶ ପଟେଲ, ଜ଼ିଲ୍ଲା ପରିଷଦ ସଭାପତି ରାଧେଶ୍ୟାମ ବାରିକ, ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ, ରାମଚନ୍ଦ୍ର ମେହେର, ଦାମୋଦର କର ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ l