ହେଡଲାଇନସ୍:

୧୦ ବର୍ଷରେ ଓଡ଼ିଶାରେ ମରିଛନ୍ତି  ୩୦ହଜାର ଲୋକ, ପଙ୍ଗୁ ହୋଇଛନ୍ତି ୬୦ହଜାରରୁ ଅଧିକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶାଜନିତ କ୍ଷତିର ପରିମାଣ ଓଡ଼ିଶାର ବାର୍ଷିକ ବଜେଟ୍‍ ଠାରୁ ଅଧିକ: ମଦମୁକ୍ତି ଅଭିଯାନ

ଭୁବନେଶ୍ୱର,(ଶାସକ ପ୍ରଶାସକ): ଓଡ଼ିଶା ସରକାରଙ୍କ ବାର୍ଷିକ ବଜେଟ୍‍ ପରିମାଣ ଯେତେ ମଦ ଓ ଅନ୍ୟାନ୍ୟ ନିଶାଜନିତ କ୍ଷତିର ପରିମାଣ ତାହାଠାରୁ ଢେର୍‍ ଅଧିକ । ଏ ପରିପ୍ରେକ୍ଷୀରେ ଆଗାମୀ ବଜେଟ୍‍ରେ ଜନସାଧାରଣଙ୍କର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ କଡ଼ା ବ୍ୟବସ୍ଥା କରିବାକୁ ଦାବି ହୋଇଛି । ଏହି ମର୍ମରେ ଓଡ଼ିଶା ମଦମୁକ୍ତି ଅଭିଯାନର ଅନ୍ୟତମ ଉପଦେଷ୍ଟା ତଥା ଗାନ୍ଧୀବାଦୀ ଚିନ୍ତକ ପ୍ରହଲାଦ କୁମାର ସିଂହ ରାଜ୍ୟ ସରକାରଙ୍କୁ ନିର୍ଦ୍ଧିଷ୍ଟ ସକରାତ୍ମକ ପ୍ରସ୍ତାବ ଦେଇଛନ୍ତି । 

ଅର୍ଥ ବିଭାଗ ବଜେଟ୍‍ ପାଇଁ ଜନସାଧାରଣଙ୍କ ମତାମତ ଲୋଡ଼ିଥିବା ପରିପ୍ରେକ୍ଷୀରେ ସେ ଏ ସଂକ୍ରାନ୍ତରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ପତ୍ର ଲେଖିବା ସହ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । 

୨୦୦୦-୦୧ ବର୍ଷରେ ଓଡ଼ିଶାର ଅବକାରୀ ରାଜସ୍ୱ ପରିମାଣ ୧୩୫ କୋଟି ୩୫ ଲକ୍ଷ ଟଙ୍କା ଥିବା ବେଳେ ଏହା ବଢ଼ି ବଢ଼ି ୨୦୧୮-୧୯ ବର୍ଷରେ ୩,୯୨୫ କୋଟି ୪୧ ଲକ୍ଷ ଟଙ୍କାରେ ପହଞ୍ଚିଥିଲା ଓ ଚଳିତବର୍ଷ ରାଜ୍ୟ ସରକାର ୪୬୦୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଗତ ୩୦ ବର୍ଷ ମଧ୍ୟରେ ଓଡ଼ିଶାରେ ମଦ ଓ ଅନ୍ୟାନ୍ୟ ନିଶାର ଲଗାମଛଡ଼ା ପ୍ରସାର ଘଟିଛି । ଏଥିଲାଗି ରାଜ୍ୟ ଯୁବ ନୀତିରେ ସରକାର ଉଦ୍‍ବେଗ ପ୍ରକାଶ କରିବା ସଙ୍ଗେ ସଙ୍ଗେ ୨୦୧୩ରୁ ନିଶାମୁକ୍ତ ଗ୍ରାମ କଥା କହି ଆସୁଥିବା ବେଳେ ବାସ୍ତବରେ କିନ୍ତୁ ଅଧିକରୁ ଅଧିକ ଲୋକଙ୍କୁ ନିଶାଗ୍ରସ୍ତ କରାଯାଉଛି । ଗତ ୧୦ ବର୍ଷରେ ଓଡ଼ିଶାରେ ୩୦ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ୬୦ହଜାରରୁ ଅଧିକ ପଙ୍ଗୁ ହୋଇଛନ୍ତି । ଏହି ଦୁର୍ଘଟଣାର ଅନ୍ୟୁନ  ୬୦ ପ୍ରତିଶତ ନିଶାଜନିତ ହୋଇଥିବା ପରିପ୍ରେକ୍ଷୀରେ ଏହି ବର୍ଷଗୁଡ଼ିକରେ ନିଶାଜନିତ ଦୁର୍ଘଟଣା ଯୋଗୁ ୨୪ ହଜାର ଲୋକ ରାଜ୍ୟରେ ମରିଛନ୍ତି । ମଦ ଓ ଅନ୍ୟାନ୍ୟ ନିଶା ଯୋଗୁ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଥିବା ବେଳେ ବିଭିନ୍ନ କିସମର ଅପରାଧ ବଢ଼ୁଛି । ବିଶେଷ କରି ମହିଳା ଓ ଶିଶୁମାନେ ମଦୁଆଙ୍କ ଶିକାର ହେଉଛନ୍ତି । ରାଜ୍ୟର ସାମାଜିକ, ଆର୍ଥିକ, ନୈତିକ, ସାଂସ୍କୃତିକ, ଆଧ୍ୟାତ୍ମିକ, ରାଜନୈତିକ ଓ ପ୍ରଶାସନିକ ବ୍ୟବସ୍ଥା ଏଥିଯୋଗୁ ବିଗୁଡ଼ୁଛି । ଦାରିଦ୍ର୍ୟ ଦୂରୀକରଣ ଓ ସାମାଜିକ ନିରାପତ୍ତା ଯୋଜନାରେ ଯେତେ ଅର୍ଥ ବ୍ୟୟ ହେଉଛି ନିଶା ଯୋଗୁ ସେଥିରୁ ସେତେ ଭଲ ଫଳ ମିଳୁନାହିଁ । ଶିକ୍ଷା ବ୍ୟବସ୍ଥା ବିଗିଡ଼ିବା ସହ ରୋଗବ୍ୟାଧି ବଢ଼ିବା ଏବଂ ଦୁର୍ନୀତି ଓ ଭ୍ରଷ୍ଟାଚାର ବ୍ୟାପିବା ପଛରେ ବି  ନିଶାର ଭୂମିକା ରହିଛି । ଏହାମଧ୍ୟ ଉତ୍ପାଦନ  ଉପରେ କୁପ୍ରଭାବ ପକାଉଛି । ମୋଟାମୋଟି ଭାବେ ରାଜ୍ୟର ବାର୍ଷିକ ବଜେଟ୍‍ ପ୍ରାୟ ଦେଢ଼ଲକ୍ଷ କୋଟି ଟଙ୍କା ଥିବା ବେଳେ ବ୍ୟକ୍ତି, ପରିବାର, ସମାଜ ଓ ସରକାର ବାର୍ଷିକ ୨ଲକ୍ଷ କୋଟି ଟଙ୍କାରୁ ଅଧିକ ନିଶାଜନିତ କ୍ଷତି ସହୁଛନ୍ତି । ଏହା ଅନଗ୍ରସରତାର ଅନ୍ୟତମ କାରଣ । 

ଓଡ଼ିଶା ସରକାରଙ୍କ ବାର୍ଷିକ ଅବକାରୀ ରାଜସ୍ୱ ପ୍ରାୟ ୪ ହଜାର କୋଟି ଟଙ୍କା ହୋଇଥିବା ବେଳେ ନିଶା ନିବାରଣ କରି କିଭଳି ବ୍ୟାପକ କର୍ମନିଯୁକ୍ତି, ଉତ୍ପାଦନ  ବୃଦ୍ଧି ସହ ଲକ୍ଷାଧିକ କୋଟି ଟଙ୍କାର ଲାଭ ମିଳିପାରିବ ସେ ପ୍ରସଙ୍ଗରେ ମଧ୍ୟ ଏହି ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି । ବେଆଇନ ଖଣି କାରବାର ବ୍ୟାପାରରେ ରାଜ୍ୟ ସରକାର ଜାରି କରିଥିବା ୬୯ ହଜାର କୋଟି ଟଙ୍କାର ଜରିମାନା ଆଦାୟ ସଙ୍ଗେ ସଙ୍ଗେ ସମସ୍ତଖଣିଜ କାରବାର ସରକାରୀ ସଂସ୍ଥା ଦ୍ୱାରା କରାଇଲେ ରାଜକୋଷକୁ ବାର୍ଷିକ ୪୦ ହଜାର କୋଟି ଟଙ୍କାରୁ ଅଧିକ ମୁନାଫା ମିଳିବ । ସେହିପରି ଲୁଣ, କପଡ଼ା, ପନିପରିବା, ଓ ଫଳମୂଳ, ମାଛ, ଅଣ୍ଡା, ତେଲ, ଡାଲି, ଚିନି, ମସଲା, ଦୁଗ୍ଧ ଆଦି ଉତ୍ପାଦନ  କ୍ଷେତ୍ରରେ ଓଡ଼ିଶାକୁ ସ୍ୱାବଲମ୍ବୀ କରାଗଲେ ଲୋକଙ୍କ ଆର୍ଥିକ ବିକାଶ ସହିତ ରାଜକୋଷକୁ ବି ଅଧିକ ଅର୍ଥ ଆସିବ । ଏଥିପାଇଁ ଶୀତଳ ଭଣ୍ଡାର ଓ ଅନ୍ୟାନ୍ୟ କୃଷିଭିତ୍ତିକ ଶିଳ୍ପ ଉପରେ ଗୁରୁତ୍ୱ ଦେବା ଏବଂ ସରକାରୀ କଳକୁ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ ରଖିବା ପାଇଁ ବ୍ୟବସ୍ଥା କରିବାକୁ ତାଙ୍କ ପ୍ରସ୍ତାବରେ ଦର୍ଶାଇଛନ୍ତି । ଏ ପରିପ୍ରେକ୍ଷୀରେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ବିଧାନସଭାରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଥିବା ଓଡ଼ିଶା ନିଶା ନିବାରଣ ଆଇନକୁ ସରକାର ଆବଶ୍ୟକୀୟ ସଂଶୋଧନ ସହ କାର୍ଯ୍ୟକାରୀ କରିବାକୁ ଶ୍ରୀ ସିଂହ କହିଛନ୍ତି । 

0
0
0
s2sdefault