ହେଡଲାଇନସ୍:

ଜାନୁଆରୀ ୯ରୁ  ‘ୟୁଫୋରିଆ-୨୦୨୦’ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆନ୍ତଃରାଜ୍ୟ ମହାବିଦ୍ୟାଳୟସ୍ତରୀୟ ସାଂସ୍କୃତିକ ମହୋତ୍ସବର ୨୩ତମ ସଂସ୍କରଣ 

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାରେ ରହିଥିବା ବିଭିନ୍ନ ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ନିମନ୍ତେ ‘ୟୁଫୋରିଆ-୨୦୨୦’ ଏକ ପ୍ଲାଟଫର୍ମ ଭାବେ ଜାନୁଆରୀ ୯ରୁ ଆରମ୍ଭ ହୋଇ ୧୨ ପର୍ଯ୍ୟନ୍ତ ୪ ଦିନ ଧରି ଚାଲୁ ରହିବ । ଏଥିରେ ରାଜ୍ୟର ପ୍ରାୟ ୫୦ଟି ମହାବିଦ୍ୟାଳୟଗୁଡ଼ିକରୁ ୪ଶହରୁ ସାଢେ଼ ୪ଶହ ଛାତ୍ରଛାତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବାରିପଦା ସହୀଦ ସ୍ମୃତି ଭବନରେ ୟୁଫୋରିଆର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଚତୃର୍ଥ ଦିନର ଉଦଯାପନୀ ସମାରୋହ ଛଉପଡ଼ିଆରେ ହେବ ବୋଲି ଜଣାପଡ଼ିଛି ।  ପୂର୍ବ ବର୍ଷ ଭଳି ଚଳିତ ବର୍ଷ ସମସ୍ତ ପ୍ରତିଯୋଗିତା ଅପରିବର୍ତ୍ତିତ ରହିଛି । ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡ଼ିକରୁ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ରହିବା ଓ ଖାଇବା ଆଦି ଆୟୋଜକ କମିଟି ପକ୍ଷରୁ ବହନ କରାଯାଇଥାଏ । ୟୁଫୋରିଆର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି ମିସ୍ ଓ ମିଷ୍ଟର ୟୁଫୋରିଆ ମୁକୁଟ । ଏଥି ସହିତ ତତ୍କ୍ଷଣାତ୍ ଭାଷଣ, ଓଡ଼ିଆ ବକ୍ତୃତା, ଗୁଲଦସ୍ତା, ସ୍କ୍ରିପ୍ଟ ଏଣ୍ଟାରଟେଣ୍ଟମେଣ୍ଟ, ଅଧୁନିକ ନୃତ୍ୟ, କଣ୍ଠ ସଙ୍ଗୀତ, ଶାସ୍ତ୍ରୀୟ ନୃତ୍ୟ, କନ୍ଟେମ୍ପରାରୀ ନୃତ୍ୟ, ଅନ୍ତାକ୍ଷରୀ ଆଦି ବିଭିନ୍ନ କାର୍ଯ୍ୟକ୍ରମ ସହ ମିଟ୍ ଦା ପ୍ରେସ ଏକ ଚର୍ଚ୍ଚିତ କାର୍ଯ୍ୟକ୍ରମ । ଉକ୍ତ ମିଟ ଦା ପ୍ରେସ କାର୍ଯ୍ୟକ୍ରମରେ ପ୍ରତିଯୋଗିମାନେ ଏକ ଚେହେରାକୁ ଚୟନ କରିବା ପରେ ସେହି ପ୍ରତିଯୋଗୀ ଚୟନ କରାଯାଇଥିବା ବ୍ୟକ୍ତିର ଭୂମିକାରେ ଅବତୀର୍ଣ୍ଣ ହୋଇ ଗଣମାଧ୍ୟମକୁ ସମ୍ମୁଖୀନ କରିବେ ଏବଂ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ । ଅଧିକ ପ୍ରଶ୍ନର ଉତ୍ତର ଦେଉଥିବା ପ୍ରତିଯୋଗିକୁ ବିଜେତା ବୋଲି ଚୟନ କରାଯାଇଥାଏ । 

     ପ୍ରକାଶ ଥାଉକି, ବାରିପଦା ପୌରପରିଷଦର କଳିଙ୍ଗକେଶରୀ ଜେନା, ସତ୍ୟସ୍ୱରୂପ ଦାଶ, ତାପସ ପାଢ଼ୀ, ଅସୀତ ଗିରି, ଅଙ୍କୁର ଖୁରାନା, ସତ୍ୟ ରଞ୍ଜନ ପାଣିଗ୍ରାହୀ ପିଣ୍ଟୁ ମାଇତି, ମନୋଜ କୈବର୍ତ୍ତ, ରଞ୍ଜିତ ସାହୁ, ସାନ୍ତନୁ ସିଂହ, ରାକେଶ କୁମାର ବେହେରା , ଅଜିତ କଲିଆ ପ୍ରମୁଖ କେତେକ ଉଦ୍ୟମୀ ଯୁବକମାନଙ୍କ ପ୍ରଚେଷ୍ଟାରେ ୧୯୯୮ରେ ପ୍ରଥମେ ଏହି ସାଂସ୍କୃତିକ ମହୋତ୍ସବ ଆୟୋଜନ କରିଥିଲେ । ସେହି ଦିନଠାରୁ ଏକ ବର୍ଣ୍ଣାଢ଼୍ୟ ଓ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ବହୁ ବାଧାବିଘ୍ନ ଅତିକ୍ରମ କରି ସାଂସ୍କୃତିକ ମହୋତ୍ସବ ୟୁଫୋରିଆ ଆୟୋଜିତ ହୋଇଆସୁଛି । 

0
0
0
s2sdefault