ହେଡଲାଇନସ୍:

ନୂଆବର୍ଷର ପ୍ରଥମ ଦିନରେ ଉତ୍ସବର ମାହୋଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର,(ଉଜ୍ଜ୍ୱଳ କର ): ୨୦୧୯ ମସିହାକୁ ବିଦାୟ ଦେବା ସହ ସମଗ୍ର ବିଶ୍ୱରେ ଇଂରାଜୀ ନବବର୍ଷ ୨୦୨୦ ମସିହାକୁ ଧୁମଧାମରେ ପାଳନ କରାଯାଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ଉସôବର ମାହୋଲ ପରିଲକ୍ଷିତ ହୋଇଛି । ସବୁ ବର୍ଗର ଲୋକେ ନିଜ ନିଜ ଢଙ୍ଗରେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ବର୍ଷର ପ୍ରଥମ ଦିନରେ । ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ନେତାଠାରୁ କର୍ମୀ ପର୍ଯ୍ୟନ୍ତ ସମସ୍ତେ ପରସ୍ପରକୁ ନୂଆବର୍ଷର ଶୁଭେଚ୍ଛା ଜାଣାଉଥିବା ଦେଖିବାକୁ ମିଳିଛି । ବିଶେଷ କରି ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ତଥା ସଂଗଠନର କର୍ମକର୍ତ୍ତାମାନେ ପ୍ରଶାସନିକ ପଦସ୍ଥ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭିଡ଼ ଲଗାଇଥିଲେ । ନବବର୍ଷ ଶୁଭେଚ୍ଛା ଜଣାଇବାକୁ ହାତରେ ଫୁଲତୋଡା, ମିଠା ପ୍ୟାକେଟ୍ ଓ ଭଳିି କି ଭଳି ଉପହାର ନେଇ ସକାଳୁ ସକାଳୁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟର କୁ୍ୟ’ରେ  ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଏଥିରୁ ବାଦ ପଡ଼ି ନାହାନ୍ତି ବିଭିନ୍ନ ସାମାଜିକ ଓ ଗଣ ସଂଗଠନର କର୍ମକର୍ତ୍ତା । ଏମିତିକି ବିଭିନ୍ନ ସାମ୍ବାଦିକ ସଂଗଠନ ମଧ୍ୟ ଜିଲ୍ଲାପାଳ ଓ ଏସପିଙ୍କୁ ନବବର୍ଷ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି । ଜିଲ୍ଲାବାସୀଙ୍କ ମଙ୍ଗଳମୟ ଜୀବନ କାମନା କରିବା ସହିତ ଜିଲ୍ଲାର ସାମଗ୍ରିକ ଉନ୍ନତି ପାଇଁ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ କୁମାର ନାୟକ ଶୁଭେଚ୍ଛା ବାର୍ତ୍ତାରେ ପ୍ରକାଶ କରିଛନ୍ତି । ସେହିଭଳି ଜିଲ୍ଲାର ପୁଲିସ ଅଧିକାରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଓ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ବାଲେଶ୍ୱର ଏସପି ବି ଯୁଗଳ କିଶୋର କୁମାରଙ୍କ କାର୍ଯ୍ୟାଳୟରେ ପହଂଚି ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜ୍ଞାପନ କରୁଥିବା ଦେଖିବାକୁ ମିଳିଛି । ଜିଲ୍ଲାର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଓ ପୁଲିସ-ପବ୍ଲିକ ସମ୍ପର୍କର  ନିବିଡ଼ କରିବା ପାଇଁ ଗୁରୁତ୍ୱ ଦେବେ ଏସପି ନୂଆବର୍ଷ ବାର୍ତ୍ତାରେ ପ୍ରକାଶ କରିଛନ୍ତି । ପୁଲିସ ଓ ପ୍ରଶାସନ ଭଳି ନୂଆବର୍ଷ ଅବସରରେ ଜିଲ୍ଲାର ରାଜନେତାଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବାକୁ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ପରିଲକ୍ଷିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ସଦର ବିଧାୟକ ମଦନ ମୋହନ ଦତ୍ତ, ପୂର୍ବତନ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ଇଂଜିନିୟର ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଅରୁଣ ଦେ ଓ ଜୀବନ ପ୍ରଦୀପ ଦାଶଙ୍କ ଘରେ ତଥା କାର୍ଯ୍ୟାଳୟରେ କର୍ମୀ ଓ ସମର୍ଥକମାନେ ଭିଡ଼ ଲଗାଇଥିଲେ । ଅନୁରୂପ ଭାବେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ପୌରପାଳ ଆଲୋକ ସାହୁ ପ୍ରମୁଖଙ୍କୁ ମଧ୍ୟ ବିଭିନ୍ନ ବର୍ଗର ଲୋକେ ଆଜି ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ତେବେ ଅନ୍ୟାନ୍ୟ ରାଜନେତାଙ୍କ ତୁଳନାରେ ପୂର୍ବତନ ସାଂସଦ ଶ୍ରୀ ଜେନାଙ୍କ ବାସଭବନରେ କର୍ମୀ ଓ ସମର୍ଥକଙ୍କ ଅଧିକ ଗହଳି ଥିବା ଦେଖାଯାଇଥିଲା । ଇଂରାଜୀ ନବବର୍ଷ ହେଲେ ମଧ୍ୟ ବାଲେଶ୍ୱରରେ ଏହାକୁ ପାଳନ କରିବା ଓ ପରସ୍ପରକୁ ଶୁଭେଚ୍ଛା ଜଣାଇବାର ନିଆରା ପରମ୍ପରାରେ ସାମିଲ ହୋଇଛନ୍ତି ସମସ୍ତେ । ଏମିତିକି ଆଜି ସରକାରୀ କାର୍ଯ୍ୟ ଦିବସ ଥିଲେ ମଧ୍ୟ ବିଭିନ୍ନ ବିଭାଗରେ କେବଳ ଶୁଭେଚ୍ଛା, ଫୁଲତୋଡ଼ା ଓ ମିଠା ବଣ୍ଟନରେ ଗୋଟିଏ ଦିନର ଅର୍ଦ୍ଧାଧିକ ସମୟ କଟିଥିବା ଲକ୍ଷ୍ୟ କରାଯାଇଛି । ସେହିଭଳି ନୂଆବର୍ଷର ପ୍ରଥମ ଦିନକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପିକନିକ୍ ପାର୍ଟିଙ୍କ ଆଶାତୀତ ଭିଡ଼ ହୋଇଥିଲା ।  

0
0
0
s2sdefault