ରାୟଗଡର ପ୍ରସିଦ୍ଧ ଠାକୁରାଣୀ ମା’ ମଝିଘରିଆଣୀଙ୍କ ଠାରୁ ଆଜ୍ଞାମାଳ ନେଇ ଶୁଭ ଉଦଘାଟିତ ହେଲା ଲୋକ ମହୋତ୍ସବ ଚଇତି ଓ ପଲ୍ଲିଶ୍ରୀ ମେଳା
ଆଦିବାସୀଙ୍କ ପାରମ୍ପାରିକ ନୃତ୍ୟ ଓ ବାଦ୍ୟ ବାଜଣାର ଶୋଭାଯାତ୍ରାରେ ଦୁଲୁକିଲା ରାୟଗଡ ଦାଣ୍ଡ
ରାୟଗଡ(ସରୋଜ ସାହୁ) ଆରମ୍ଭ ହୋଇଛି ବର୍ଷକର ବହୁ ପ୍ରତିକ୍ଷିତ ଚଇତି ପରବ | ଆଜି ଅପରାହ୍ନ ୩ ଟାସମୟରେ ଆନୁଷ୍ଠାନିକ ଭାବେ ସ୍ଥାନୀୟ ପ୍ରସିଦ୍ଧ ଠାକୁରାଣୀ ମା’ ମଝିଘରିଆଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପୂର୍ବକ ଆଜ୍ଞାମାଳ ପ୍ରାପ୍ତ ହେବା ପରେ ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଚଇତିର ଆଦ୍ୟ ପର୍ବ ତଥା ଉଦଘାଟନୀ ଉତ୍ସବ ମହା ଆଡମ୍ବର ସହକାରେ ଶୁଭାରମ୍ଭ ହୋଇଥିଲା ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ |
ମାଆଙ୍କ ଆଜ୍ଞାମାଳକୁ ପ୍ରାପ୍ତ ହେବାପରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା, ରାୟଗଡ ଜିଲ୍ଲାପାଳ ତଥା ଜିଲ୍ଲା ସାଂସ୍କୃତିକ ପରିଷଦ ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରା, ରାୟଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡଃ. ସର୍ବଣା ବିବେକ ଏମ, ରାୟଗଡ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅମ୍ରିତ ଋତୁରାଜ, ଗୁଣପୁର ଉପ-ଜିଲ୍ଲାପାଳ ଡଃ. ବି. ସିଦ୍ଧେଶ୍ୱର ବଳିରାମ, ରାୟଗଡା ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ପୌର ପରିଷଦର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି, ସିଆରପିଏଫ ୪ର୍ଥ ବାଟାଲିୟନର କମାଣ୍ଡାଣ୍ଟ ୱାଇ.କେ.ରାଜପୁତ, ଆଦିବାସୀ ନେତା ଆପଲସ୍ୱାମୀ କାଡ୍ରାକାଙ୍କ ସମେତ ଜିଲ୍ଲା ସଂସ୍କୃତି ପରିଷଦର ସଂଯୋଜକ ଦୁୁଷ୍ମନ୍ତ କୁମାର ମହାନ୍ତି, ସହ-ସଂଯୋଜିକା ରୀତାରାଣି ମିଶ୍ର ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ କଳସ ଓ ମଶାଲ ନେଇ ଶୋଭାଯାତ୍ରାରେ ବାହାରିଥିଲେ । ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପହଂଚି ପୂଜର୍ଚ୍ଚନା କରିଥିଲେ । ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ, ବାଜଣା ସହ କାଶିପୁରର ଢେମସା ନୃତ୍ୟ, ଡଙ୍ଗରିଆ କନ୍ଧ ନୃତ୍ୟ, ଗୁଣପୁରର ଆଦିବାସୀ ନୃତ୍ୟ, ଦିଗପହଣ୍ଡିର ବାଘ ମୁଖା ନୃତ୍ୟ, ସଂକୀର୍ତନ ଦଳ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଦୁଲୁକି ଉଠିଥିଲା ରାୟଗଡ଼ର ରାଜା ଦାଣ୍ଡ | ଉଭୟଲିଙ୍ଗିର କଳାକାର ମାନେ ଶୋଭାଯାତ୍ରାରେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ବାଦ୍ୟ ବାଜଣା ଓ ବିରାଟ ଶୋଭାଯାତ୍ରାରେ ଜି.ସି.ଡି ପଡିଆ ଠାରେ ମଶାଲ, ଆଜ୍ଞାମାଳା ଏବଂ ୧୧ ଗୋଟି ବ୍ଲକରୁ ଆସିଥିବା ଚଇତି କଳସକୁ ନେଇ ଚଇତି ମଣ୍ଡପରେ ସ୍ଥାପନ କରାଯାଇଥିଲା । ଶୋଭାଯାତ୍ରାରେ ପ୍ରାୟ ୩ ହଜାରରୁ ଉର୍ଧ୍ଵ ଲୋକଙ୍କ ସମାବେଶ ହୋଇଥିଲା