ହେଡଲାଇନସ୍:

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମାଛ ଚାଷ ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏକ୍ସପୋଜର ଭିଜିଟରେ ଗଲେ କିଡିଗାଁ ଗ୍ରାମର ମାଛ ଚାଷ ହୋଇଥିବା ପୋଖରୀକୁ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ମିଶନ ଶକ୍ତି ଅଧିନସ୍ତ-ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛଚାଷ ସମ୍ପର୍କିତ ବ୍ଲକ ସ୍ତରୀୟ  ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମତ୍ସ୍ୟଚାଷ ତାଲିମ କେନ୍ଦ୍ର ଠାରେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।

      ଭାରପ୍ରାପ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ମନୋଜ କୁମାର ପାତ୍ର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ ସଭାରେ ସଭାପତିତ୍ୱ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ମହିଳା ମତ୍ସ୍ୟ ଚାଷୀ ମାନଙ୍କ ବୁଝାଇଥିଲେ । ମାଛଚାଷର ବିଭିନ୍ନ ଦିଗ ସମ୍ପର୍କରେ କହି ଉଚିତ ପରାମର୍ଶ ନେଇ ମାଛଚାଷ କଲେ ଚାଷୀ କିଭଳି ଏଥିରୁ ପ୍ରଚୁର ଲାଭ ପାଇଥାଏ , ସେ ସମ୍ପର୍କରେ ବୁଝାଇଥିଲେ ।

    ଜିଲ୍ଲା ମିଶନ ଶକ୍ତି ସଂଯୋଜକ ରଶ୍ମି ରଂଜନ ସେଠି ଅନ୍ୟତମ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରି ମହିଳା ମାନଙ୍କୁ ଆତ୍ମନିର୍ଭର ଶୀଳ କରି ସେମାନଙ୍କୁ ସଶକ୍ତ କରାଇବା ସରକାରଙ୍କ ଉଦ୍ଦେଶ୍ୟ ତେଣୁ ମହିଳା ମାଛଚାଷୀ ଠିକ ଭାବେ ମାଛଚାଷ ପରିଚାଳନା କରି ଆଧିକ ଉତ୍ପାଦନକ୍ଷମ ହେବାପାଇଁ ମହିଳା ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ ।

    ଜିଲ୍ଲା ପଞ୍ଚାୟତ ଅଧିକାରୀ ବସନ୍ତ କୁମାର ପାତ୍ର  କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ  ଆଧୁନିକ , ବୈଜ୍ଞାନିକ ଓ ନୂତନ ପ୍ରଣାଳୀରେ ମାଛଚାଷ କଲେ ଚାଷୀ ବେଶ ଉପକୃତ ହୋଇଥାଏ । ଅନ୍ୟ ପକ୍ଷରେ ମଧୁର ଜଳରେ ଚିଙ୍ଗୁଡ଼ି ଚାଷ ସମେତ ମୋତି ଶାମୁକା ଚାଷ କରିଲେ ଚାଷୀ ଏଥିରୁ ବହୁଗୁଣିତ ଲାଭ ପାଇଥାଏ ।  ମୁଖ୍ୟତଃ ଯେ କୌଣସି ଚାଷରେ ଚାଷୀ ତାର ସଦ୍ ପରିଚାଳନା କରିବା ହେଲେ ସେହି ଚାଷରେ ଚାଷୀକୁ ଭଲ ଲାଭ ମିଳିଥାଏ । ତେଣୁ ମହିଳା ମାନଙ୍କ ଆତ୍ମନିର୍ଭରଶୀଳତାର ବିକାଶ କିଭଳି ହୋଇପାରିବ ଏହାହିଁ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।

   ୱାର୍ଲଡ଼ ଫିଶର ଜିଲ୍ଲା ପରିଚାଳିକା ଅଭିସିକ୍ତା ମିଶ୍ର ଯୋଗଦେଇ ପଞ୍ଚାୟତ ପୋଖରୀରେ ମାଛଚାଷ ,  ମାଛଚାଷୀ ଆତ୍ମନିର୍ଭରଶୀଳତା ,  ନୂତନ ଓ ବୈଜ୍ଞାନିକ ପ୍ରଣାଳୀରେ ମାଛଚାଷ କରିବା ଦିଗରେ ବିଭାଗୀୟ ଅଧିକାରୀଙ୍କ ଉଚିତ ପରାମର୍ଶ ପ୍ରକାରେ ମାଛଚାଷ କରିବା , ମାଛଚାଷରୁ ଚାଷୀ କିଭଳି ଆଧିକ ଲାଭ ପାଇବେ , ମାଛଚାଷ ପାଇଁ ପୋଖରୀ ସୁପରିଚାଳନା ,  ପୋଖରୀରେ ମାଛଚାଷ ପାଇଁ  ଚୂନ , ଗୋବର , ଖାଦ୍ୟ ପ୍ରଭୃତି କିଭଳି ପକାଇବେ ଏବଂ ମାଛ ରୋଗର ନିରାକରଣ ପାଇଁ କଣ କରିବାକୁ ହେବ ସେସବୁ ଉପରେ ବିସ୍ତୃତ ଭାବେ ମହିଳା ମାଛଚାଷୀ ମାନଙ୍କୁ ବୁଝାଇଥିଲେ ।

    ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କାଶୀନଗର , ଗୁମ୍ମା ଓ ଗୋଷାଣୀ ବ୍ଲକର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଚାଷୀ ମାନେ ବହୁ ସଂଖ୍ୟାରେ ଯୋଗଦେଇ ମାଛଚାଷ ସମ୍ପର୍କରେ ପ୍ରଶିକ୍ଷଣ ନେଉଛନ୍ତି ।  ଗୁମ୍ମା ବ୍ଲକ ଏଏଫଓ-- କାରୁଣ୍ୟ ଗିରିଧାରୀ  ମାଛଚାଷ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ ।

   ଅନ୍ୟ ମାନଙ୍କ ମଧ୍ୟରେ ଏ ସମସ୍ତ କାର୍ଯ୍ୟକ୍ରମକୁ  ଜେଏଫଟିଏ - ଶୁଭଶ୍ରୀ ପାଲ ଓ ବାବାଜୀ ଚରଣ ବେହେରା ଏବଂ ମିଶନ ଶକ୍ତି ବିପିଓ କାଶୀନଗର-ଶ୍ରୀକାନ୍ତ ପଟ୍ଟନାୟକ, ଗୁମ୍ମା ବ୍ଲକ ପ୍ରକଳ୍ପ ସଂଯୋଜିକା ରଞ୍ଜିତା ପଟ୍ଟନାୟକ ଓ ବିପିଓ ଗୋଷାଣୀ ଲାବଣ୍ୟ ରଇତ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

   ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଦ୍ଵିତୀୟ ତଥା ଶେଷ ଦିବସରେ ମହିଳା ମାଛଚାଷୀ ମାନଙ୍କୁ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ  ଏକ୍ସପୋଜର ଭିଜିଟରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମର ପଞ୍ଚାୟତ ପୋଖରୀରେ ଉନ୍ନତ ଓ ଆଧୁନିକ ପ୍ରଣାଳୀରେ ହୋଇଥିବା ଏନ. କଲ୍ୟାଣ ଚକ୍ରବତ୍ତୀ ଏବଂ ଏନ.କରୁଣା ରାଓଙ୍କ ମାଛଚାଷ ପୋଖରୀକୁ ନିଆ ଯାଇଥିଲା ।

   ସେଠାରେ ସମସ୍ତ ମହିଳା ମାଛଚାଷୀଙ୍କୁ ଉନ୍ନତ ମାନର ମାଛଚାଷ ସମ୍ପର୍କରେ ମତ୍ସ୍ୟ ଅଧିକାରୀ ମାନେ ବୁଝାଇଥିଲେ । ମାଛଚାଷ ସମୟରେ ପୋଖରୀ ରକ୍ଷଣାବେକ୍ଷଣା ସମେତ ପୋଖରୀରେ ଚୁନ , ଗୋବର ଓ ଖାଦ୍ୟ ପ୍ରଭୃତି ସଠିକ ପରିଚାଳନା ଦ୍ୱାରା ଚାଷରେ ଅଧିକ ମାଛ କିଭଳି କମ୍ ଦିନରେ ହୋଇଥାଏ , ତାହା  ପୋଖରୀରୁ ଜାଲ ପକାଇ ମାଛ ଆଣି ଦେଖାଇ ଥିଲେ ।

    ଏ ସମ୍ପର୍କରେ କେ. ସୀତାପୁର ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ମହିଳା ଚାଷୀ କାଳିନ୍ଦୀ ମିଶାଲ କହିଥିଲେ ଯେ ,  ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମତ୍ସ୍ୟ ବିଭାଗର ମତ୍ସ୍ୟ ତାଲିମ କେନ୍ଦ୍ର ଠାରେ ଅନୁଷ୍ଠିତ ମତ୍ସ୍ୟଚାଷ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇ  ଆଧୁନିକ ପ୍ରଣାଳୀରେ ମାଛଚାଷ କଲେ କିଭଳି ଲାଭ ହୋଇଥାଏ, ଆମେ ବହୁତ କିଛି ଶିଖିଲୁ ଓ ଜାଣିପାରିଲୁ । ଆମ ଗାଁ ପଞ୍ଚାୟତ ପୋଖରୀରେ ଏଣିକି ସେହି ପ୍ରଣାଳୀରେ ହିଁ ମାଛଚାଷ କରିବୁ ।ଏତଦ୍ ବ୍ୟତୀତ  ତାଲିମ କାର୍ଯ୍ୟକ୍ରମ  ଅବସରରେ  ଆମକୁ ଏକ୍ସପୋଜର ଭିଜିଟରେ ଯେଉଁ କାଶୀନଗର ବ୍ଲକର କିଡିଗାଁ ଠାରେ ବଡ ବଡ ପୋଖରୀରେ ଉନ୍ନତ ମାନର ତଥା ଆଧୁନିକ ପ୍ରଣାଳୀରେ ମାଛଚାଷ କରା ଯାଇଛି , ଆମକୁ ତାହା ଦେଖାଇ ଟିକିନିଖି ବୁଝାଇଥିଲେ । ସରକାର ମଧ୍ୟ ଭବିଷ୍ୟତରେ ଆମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସାହାଯ୍ୟ ଓ ସହାୟତାର ପ୍ରୋତ୍ସାହନ ଯୋଗାଇ ଦେଲେ ଆମେ ଅଧିକ ଉପକୃତ ହୋଇପାରିବୁ ବୋଲି କହିଥିଲେ ।

   ଏହି ଏକ୍ସପୋଜର ଭିଜିଟ ସମୟରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ୱାର୍ଲଡ଼ ଫିଶର ଜିଲ୍ଲା ପରିଚାଳିକା ଅଭିସିକ୍ତା ମିଶ୍ର ଏବଂ ମିଶନ ଶକ୍ତିର କାଶୀନଗର ବିପିଓ ଶ୍ରୀକାନ୍ତ ପଟ୍ଟନାୟକ , ଗୁମ୍ମା ବ୍ଲକ ପ୍ରକଳ୍ପ ସଂଯୋଜିକା ରଞ୍ଜିତା ପଟ୍ଟନାୟକ ଓ ଗୋଷାଣୀ ବିପିଓ ଲାବନ୍ୟ ରଇତ ପ୍ରମୁଖ  ଗ୍ରସ୍ତ କରି ମହିଳା ମାଛଚାଷୀ ମାନଙ୍କୁ ଆଧୁନିକ ଜ୍ଞାନ-କୌଶଳର ମାଛଚାଷ ସମ୍ପର୍କରେ ବୁଝାଇଥିଲେ।

 

0
0
0
s2sdefault