ହେଡଲାଇନସ୍:

‘ପିସି’ ମୋହରେ ବିଜେପି ବିଧାୟକ  ଗୋବିନ୍ଦ ଦାସ !!!!!!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭାଇରଲ ଅଡ଼ିଓରେ ବିଧାୟକଙ୍କ ଅଶ୍ରାବ୍ୟ ସ୍ୱର

20-02-18-gobinda.jpg - 174.30 kB

ବାଲେଶ୍ୱର,: ଆଗରୁ କ୍ରିମିନାଲ ଖାସୁଆ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ବିଜେପି ବିଧାୟକ ଗୋବିନ୍ଦ ଦାସ ଏବେ ପିସି ମାଗିବା ତଥା ଧମକାଇବା ସମ୍ପର୍କିତ ଅଡିଓ ଟେପକୁ ନେଇ ଚର୍ଚ୍ଚାରେ | ବିଶୃଙ୍ଖଳିତ ଅମଲାତନ୍ତ୍ରଙ୍କ ମଧ୍ୟରେ ସରକାରୀ ହକ୍ ଜାହିର ସହ ସାଧାରଣରେ ଭାବପ୍ରବଣତା ସୃଷ୍ଟି ପାଇଁ ନିକଟ ଅତୀତରେ ମୁଖ୍ୟମନ୍ତ୍ରୀଙ୍କ  ଦ୍ୱାରା ଘୋଷିତ ‘ପିସି ହଟାଅ ଅଭିଯାନ’ପ୍ରାୟତଃ ଏବେ ଶୀତଳଭଣ୍ଡାରକୁ ଚାଲିଯାଇଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାରୀ କାର୍ଯ୍ୟାଳୟ ତଥା ୱାର୍କ୍ସ ଡିପାର୍ଟମେଣ୍ଟରେ ପୂର୍ବାପେକ୍ଷା ଅଧିକମାତ୍ରାରେ ପିସି କାରବାର ଚାଲିଥିବା ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ତେବେ ଅଧିକାରୀଙ୍କ ଦ୍ୱାରା ଆଦାୟ ପିସି ଅର୍ଥରେ ନିର୍ବାଚିତ ଲୋକପ୍ରତିନିଧିଙ୍କର ଯେ ଏକ ସିଂହଭାଗ ରହିଛି ଏହାକୁ କେହି ଅସ୍ୱୀକାର କରିପାରିବ ନାହିଁ । ଯେଉଁ କାର୍ଯ୍ୟାଳୟରେ ରାଜନେତାଙ୍କ ଏହି ଭାଗକୁ ଅଣଦେଖା କରାଯାଉଛି ସେଠାକାର ଅବସ୍ଥା ଅସମ୍ଭାଳ ହୋଇ ପଡ଼ୁଛି । ଏମିତିକି ଛାମୁଆଙ୍କଠାରୁ ଆରମ୍ଭ କରି ଖୁଦ୍ ନିର୍ବାଚିତ ଲୋକ ପ୍ରତିନିଧି ସମ୍ପୃକ୍ତ ଅଧିକାରୀଙ୍କୁ କିଭଳି ଅଭଦ୍ରୋଚିତ ବ୍ୟବହାର କରିପାରନ୍ତି ତା’ର ଏକ ସ୍ୱଚ୍ଛ ନମୁନା ଦେଖାଦେଇଛି ବାଲେଶ୍ୱରରେ । କୋଟି କୋଟି ଟଙ୍କାର ସରକାରୀ ସବ୍ସିଡି  ମିଳୁଥିବା ମୋଟା ଅଙ୍କର ପିସି ଅର୍ଥକୁ ନେଇ ମତ୍ସ୍ୟ  ବିଭାଗ ଉପ-ନିର୍ଦ୍ଦେଶକ ଙ୍କ ସହ ଜନୈକ ବିଧାୟକଙ୍କ ଗାଳିଗୁଲଜ୍ର ଏକ ଅଡିଓ କ୍ଲିପ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଧାୟକ ଜଣକ ଏବେ ଉପ-ନିର୍ବାଚନ ପ୍ରଚାର ପାଇଁ ବିଜେପୁର ଠାରେ ଡେରା ପକାଇଥିବା ବେଳେ ସେହିଠାରୁ ହିଁ ସେ ଫୋନ୍ କରି ମତ୍ସ୍ୟ  ଉପ-ଉପନିର୍ଦ୍ଦେଶକ  ଶଶିକାନ୍ତ ଆଚାର୍ଯ୍ୟଙ୍କୁ ଗାଳିଗୁଲଜ୍ ଓ ଧମକ-ଚମକ କରିଥିବା ଏହି କ୍ଲିପ୍ରୁ ଜଣାପଡ଼ିଛି । ପୂର୍ବରୁ ବିଧାୟକଙ୍କ ଛାମୁଆଙ୍କୁ କିଛି ଅର୍ଥ ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ସବୁ ଝାମେଲା ମେଣ୍ଟାଇ ଦେବେ ବୋଲି ଶ୍ରୀ ଆଚାର୍ଯ୍ୟ ବିନୀତ ହୋଇ କହୁଥିଲେ ବି ବିଧାୟକ ଜଣକ ତାଙ୍କୁ ଅତ୍ୟନ୍ତ ଅଶ୍ରାବ୍ୟ ଭାଷାରେ ଗାଳି ଦେଇଛନ୍ତି । ଏମିତିକି ବିଜେପୁରରୁ ଫେରିଲେ ‘ତଫସିଲ ଜାତି/ଉପଜାତି ଆଇନ’ବଳରେ ମାମଲା ସହ ମାଡ଼ ଦେବେ ବୋଲି ମଧ୍ୟ ସେ କହିଛନ୍ତିି । ଉପ-ନିର୍ଦ୍ଦେଶକ  ମଧ୍ୟ ଛାଡ଼ିବାର ଲୋକ ନୁହନ୍ତି । ତାଙ୍କ ବିରୋଧରେ ଥାନାରେ ଏତଲା ପ୍ରଦାନ ସହ ଏହି ଅଡିଓ କ୍ଲିପ୍କୁ କେନ୍ଦ୍ରମନ୍ତ୍ରୀଙ୍କ ନିକଟକୁ ପଠାଇ ତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଇ ପାରିବେ ବୋଲି ସେ ବିଧାୟକଙ୍କୁ ଚେତାବନୀ ଦେଇଛନ୍ତି । ଖାସ୍ ଏହିଭଳି ଆଚରଣ ପାଇଁ ପୂର୍ବତନ ବିଧାୟକ ସୁଦର୍ଶନ ଜେନାଙ୍କୁ ଲୋକେ ଦ୍ୱିତୀୟ ସୁଯୋଗ ଦେଇନଥିବା ସେ ଏବର ବିଧାୟକଙ୍କୁ ମନେପକାଇ ଦେଇଛନ୍ତି । ତେବେ ଏହି କ୍ଲିପ୍ର ସ୍ୱର ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କର ବୋଲି ଜଣା ପଡ଼ିବା ପରେ ଏହାକୁ ନେଇ ସବୁଠି ଆଲୋଚନା ଜୋର ଧରିଛି । ଏନେଇ ବିଧାୟକ ଶ୍ରୀ ଦାସଙ୍କୁ ଯୋଗାଯୋଗ କରିବାରୁ ବିଜେପୁର ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ଯୋଗୁଁ ଏବେ କିଛି କହିପାରିବେ ନାହିଁ ବୋଲି ସେ ଉତ୍ତରରେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ମତ୍ସ୍ୟ  ଉପନିର୍ଦ୍ଦେଶକ  ଶ୍ରୀ ଆଚାର୍ଯ୍ୟଙ୍କୁ ଏହି କ୍ଲିପ୍ ବାବଦରେ ପଚାରିବାରୁ ସେ ଏହାକୁ ଭାଇରାଲ କରିନଥିବା ସୂଚନା ଦେଇଛନ୍ତି । ତାଙ୍କର କେହି ଶୁଭଚିନ୍ତକ ହୁଏତ ଏହାକୁ ସୋସିଆଲ ମିଡିଆରେ ପଠାଇ ଥାଇପାରନ୍ତି ବୋଲି ସେ କହିଛନ୍ତି । ତେବେ ଏହାକୁ ନେଇ ଆଉ ଝମେଲାକୁ ସେ ଯିବେ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ ସଫା ମନା କରି ଦେଇଛନ୍ତି ।

 

0
0
0
s2sdefault