ହେଡଲାଇନସ୍:

ଭୋଟରଙ୍କ ଆକାଉଣ୍ଟ ସଂଗ୍ରହ ହେଉଛି , ତାଙ୍କ ଜମା କରିବା ବିଜେପି, ସିଏସଆର ପାଣ୍ଠିରୁ ଜମା କରିବେ ଆଇଓସିଏଲ ଏବଂ ଏଚପିସିଏଲ : ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 19-02-18-bjd.JPG - 538.97 kB

ବିଜେପି ଆଚରଣ ବିଧି ଉଲ୍ଲଂଘନ କରୁଛି, ବିଜେଡିର କାର୍ଯ୍ୟାନୁଷ୍ଠାନ ଦାବି
୩୫ ହଜାରରୁ ଉର୍ଧ୍ଵ  ବିଜେପୁର ଭୋଟର୍‍ଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବ
ଅଦ୍ୟାବଧି ନିର୍ବାଚନ ଖର୍ଚ୍ଚର ହିସାବ ଦେଉନି
ମହିଳାଙ୍କ ପାପୁଲିରେ ‘ପଦ୍ମ’ ମେହେନ୍ଦି ଲଗାଇ ଭୋଟରଙ୍କୁ ଆକର୍ଷିତ କଲେ ଦେବ ପୁରସ୍କାର
ଭୁବନେଶ୍ୱର : ବିଜେପୁର ଉପ-ନିର୍ବାଚନ ଆଉ ମାତ୍ର ୫ଦିନ ବାକି ଥିଲାବେଳେ ଏଠାରେ ଭୋଟରମାନଙ୍କ ଆକାଉଣ୍ଟ ନମ୍ବର ବିଜେପି ସଂଗ୍ରହ କରିଥିବା ବିଜେଡି କହିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦଳୀୟ ସାଧାରଣ ସଂପାଦକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଜଣାଇଛନ୍ତି ଯେ ବିଜେପି ପକ୍ଷରୁ ୩୫ ହଜାରରୁ ଅଧିକ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ନିଆଯାଇଛି । ଏହି ଲୋକମାନେ କୁଆଡେ଼ ବିଜେପୁର ଭୋଟର୍‍ ହୋଇଥିବାରୁ ସେମାନଙ୍କୁ ମଧ୍ୟ କୁହାଯାଇଛି, ଠିକ୍‍ ଭୋଟ ଗ୍ରହଣ ପୂର୍ବରୁ ଯେଉଁମାନେ ବିଜେପିକୁ ଭୋଟ ଦେବାକୁ ନିଷ୍ପତ୍ତି ନେବେ, ସେମାନଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ ଟଙ୍କା ଜମା କରାଯିବ । ଅନ୍ୟପକ୍ଷରେ ଗୋପନୀୟ ଭାବେ ଜାଣିବାକୁ ମିଳିଛି ଯେ ଦେଶର ଆଇଓସିଏଲ୍‍ ଏବଂ ଏଚ୍‍ପିସିଏଲ୍‍ ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସଂସ୍ଥାଗୁଡିକ ସେମାନଙ୍କ ସିଏସ୍‍ଆର୍‍ ପାଣ୍ଠିରୁ ଏଥିଲାଗି ଟଙ୍କା ଜମା କରିବାକୁ ବିଜେପି ଭୋଟରମାନଙ୍କୁ ପ୍ରତିଶ୍ରୁତି ଦେଇଛି । ସେଥିଯୋଗୁ ଅବାଧ ଓ ସ୍ୱଚ୍ଛ ନିର୍ବାଚନର ନୀତିକୁ ବିରୋଧ କରି ଚାଲିଥିବା ବିଜେପିର ଏପରି ଷଡ଼ଯନ୍ତ୍ରକୁ ତୁରନ୍ତ ବନ୍ଦ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଅନୁରୋଧ କରିଛି । ତତ୍‍ସହିତ, ବେଆଇନ୍‍ ଅର୍ଥର ଉତ୍ସକୁ ବନ୍ଦ କରିବା ପାଇଁ ରାଷ୍ଟ୍ରୀୟ ନିର୍ବାଚନ କମିଶନ ସତର୍କ ଦୃଷ୍ଟି ରଖିବା ଦରକାର ବୋଲି କୁହାଯାଇଛି ।
ଶ୍ରୀ ପାଣିଗ୍ରାହୀ ମଧ୍ୟ ସୂଚାଇ ଦେଇଛନ୍ତି ଯେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦୈନିକ ନିର୍ବାଚନ ବ୍ୟୟ ତାଲିକା ବିଜେପି ଅଦ୍ୟାବଧି ଦେଇନାହିଁ । ସେହିପରି ସେମାନଙ୍କ ନିର୍ବାଚନୀ ବ୍ୟୟ ତାଲିକାକୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟୟ-ପର୍ଯ୍ୟବେକ୍ଷକ ସମୀକ୍ଷା କରିନାହାନ୍ତି । ସେପରିସ୍ଥଳେ ବ୍ୟୟ-ପର୍ଯ୍ୟବେକ୍ଷକ ବିଜେପି ପକ୍ଷରୁ ବ୍ୟୟ ତାଲିକା ଦିଆଯାଇନଥିବାରୁ ତା’ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।
ଅନ୍ୟପକ୍ଷରେ ବିଜେପି କର୍ମୀମାନେ ବିଜେପୁରର ମହିଳା ଭୋଟରମାନଙ୍କ ପାପୁଲିରେ ନିଜର ଦଳୀୟ ଚିହ୍ନ ‘ପଦ୍ମ’ ଫୁଲର ମେହେନ୍ଦି ଲଗାଉଛନ୍ତି । ଅନ୍ୟ ଭୋଟରମାନଙ୍କୁ ଦଳୀୟ ଚିହ୍ନ ପ୍ରଦର୍ଶନ ସହ ପ୍ରଭାବିତ କଲେ ସେମାନଙ୍କୁ ପୁରସ୍କାର ମିଳିବା ଲୋଭ ଦେଖାଯାଉଛି । ବିଜେପି କର୍ମୀମାନଙ୍କ ଏପରି କାର୍ଯ୍ୟକଳାପ ସିଧାସଳଖ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି । ଏହାର ସତ୍ୟାସତ୍ୟ ଅନୁସନ୍ଧାନ ପୂର୍ବକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ  ଗ୍ରହଣ ଲାଗି ବିଜେଡି ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି । ଆଜିର ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଡ. ପାଣିଗ୍ରାହୀଙ୍କ ସମେତ ବିଧାୟକ ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ, ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର ଓ ବିଏମ୍‍ସି ଡେପୁଟି ମେୟର କେ. ଶାନ୍ତି ଉପସ୍ଥିତ ଥିଲେ ।

0
0
0
s2sdefault