ହେଡଲାଇନସ୍:

ନସିବ୍‍ୱାଲା ପ୍ରଧାନମନ୍ତ୍ରୀ ତେଲ ଦର ବୃଦ୍ଧିରୁ ଦେଶକୁ ଉଦ୍ଧାର କରନ୍ତୁ: ଯୁବ-ଛାତ୍ର ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ଜିଏସ୍‍ଟି ପାଇଁ ବିଜେପି ଶାସିତ ରାଜ୍ୟ ପ୍ରଥମେ ରାଜି ହୁଅନ୍ତୁ

୧୯ ରାଜ୍ୟର ବିଜେପି ସରକାର ଭାଟ୍‍ ହ୍ରାସ କରନ୍ତୁ

ବାହାନା ନକରି ଉତ୍ପାଦ  ଶୁଳ୍କ କମାଅ

ଭୁବନେଶ୍ୱର/ଚକ୍ରଧର : ଦେଶର ଶାସନ କ୍ଷମତା ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତକୁ ନେଲାବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଆଶାତୀତ ଭାବେ କମିବାରୁ ପ୍ରତିକ୍ରିୟାରେ ବିରୋଧୀ ଦଳଗୁଡିକୁ ତାତ୍ସଲ୍ୟ କରି ସେ କହିଥିଲେ, ‘ମୈଁ ନସିବ୍‍ୱାଲା ହୁଁ ତୋ ମୈଁ କ୍ୟା କରୁଁ?’ ତୈଳ ଦର ବୃଦ୍ଧି ପାଇ ଏବେ ବ୍ୟାରେଲ୍‍ ପିଛା ୭୦ ଡଲାର ଛୁଇଁଲାଣି । ଦେଶର ‘ନସିବ୍‍ୱାଲା ପ୍ରଧାନମନ୍ତ୍ରୀ’ ତୈଳ ଦର ବୃଦ୍ଧି ସମସ୍ୟାରୁ ଦେଶକୁ ବଞ୍ଚାନ୍ତୁ । ଗୁରୁବାର ମାଷ୍ଟର କ୍ୟାଣ୍ଟିନ୍‍ ଛକରେ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ହୋଇଥିବା ଧାରଣା ଓ ବିକ୍ଷୋଭ ସଭାରେ ବିଜୁ ଜନତା ଦଳ ସାଧାରଣ ସଂପାଦକ (ଯୁବ ବ୍ୟାପାର)  ସଂଜୟ କୁମାର ଦାସବର୍ମା ଉକ୍ତ ଆହ୍ୱାନ ଦେଇଛନ୍ତି ।

ପ୍ରତିବାଦ ସଭାରେ ଶ୍ରୀ ଦାସବର୍ମା ତୈଳ ଦର ବୃଦ୍ଧିର ଗମ୍ଭୀର ପ୍ରଭାବ କିପରି ଓଡ଼ିଶା ସମେତ ଦେଶର ସବୁ ରାଜ୍ୟରେ ପଡିଛି ତାହା କହିଥିଲେ । ସେ କହିଥିଲେ, କେନ୍ଦ୍ରରେ ବିଜେପି ସରକାର ପେଟ୍ରୋଲ ଓ ଡିଜେଲ୍‍ ଦର ତୁରନ୍ତ ହ୍ରାସ ନକଲେ ସମଗ୍ର ଓଡ଼ିଶାରେ ପ୍ରତିବାଦର ନିଆଁ ଜଳିବ । ବିଜେପି ତୈଳ ଦର ନିୟନ୍ତ୍ରଣରେ ବିଫଳ ହୋଇଛି । ଏବେ ବାହାନା ଦେଖାଇ କହୁଛି, ରାଜ୍ୟଗୁଡିକ ଭାଟ୍‍ ହ୍ରାସ କର ଓ ତୈଳକୁ ଜିଏସ୍‍ଟି ପରିସରଭୁକ୍ତ କରିବାକୁ ରାଜି ହୁଅ । ଏହା କହି ନିଜ ଦାୟିତ୍ୱ ଖସାଇବା ଲାଗି ବିଜେପି ବାଟ ଖୋଜୁଥିବା ଶ୍ରୀ ଦାସବର୍ମା କହିଛନ୍ତି । ସେ ପ୍ରକାଶ କରିଛନ୍ତି ଯେ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ହା୍ରସ ପାଇବା ବେଳେ କେନ୍ଦ୍ର ସରକାର ଏହାର ଫାଇଦା ଦେଶବାସୀଙ୍କୁ ଦେବା ପରିବର୍ତ୍ତେ ଉତ୍ପାଦ  ଶୁଳ୍କ ବା ଏକ୍ସସାଇଜ ଡୁ୍ୟଟି ବୃଦ୍ଧି କରି ନିଜର ଟ୍ରେଜେରୀ ଭର୍ତ୍ତିକଲେ । ଗତ ତିନି ବର୍ଷରେ କେନ୍ଦ୍ର ସରକାର ୧୧ ଥର ଉତ୍ପାଦ  ଶୁଳ୍କ ବୃଦ୍ଧି କରି ତେଲ ଦରକୁ ଉଚ୍ଚାରେ ରଖିଲେ । ଅର୍ଥାତ୍ ୨୦୧୪ରେ ଉତ୍ପାଦ  ଶୁଳ୍କ ଯାହାଥିଲା ତାହାକୁ ୧୩୧%  ବୃଦ୍ଧି କଲେ । ପ୍ରକାରାନ୍ତରେ ସରକାର ମୁନାଫାଖୋର ବ୍ୟବସାୟୀ ଭଳି ଜନ ସାଧାରଣଙ୍କୁ ଲୁଟିଲେ । ବର୍ତ୍ତମାନ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇବା ବେଳେ ଉତ୍ପାଦ  ଶୁଳ୍କ ହା୍ରସ କରିବା ପରିବର୍ତ୍ତେ ରାଜ୍ୟଗୁଡିକ ଭାଟ୍ ହା୍ରସ କରନ୍ତୁ ବୋଲି ଓଲଟା ଯୁକ୍ତି କରୁଛନ୍ତି । ବିଜେପି ୧୯ଟି ରାଜ୍ୟରେ କ୍ଷମତାରେ ଅଛି ବୋଲି ଗର୍ବ କରୁଛି । ଏହି ସବୁ ରାଜ୍ୟରେ ଭ୍ୟାଟ୍ କେତେ ଅଛି? ଏହି ରାଜ୍ୟଗୁଡିକ ଭ୍ୟାଟ୍ କାହିଁ କି ହ୍ରାସ କରୁ ନାହାଁନ୍ତିି? ଏହି ରାଜ୍ୟଗୁଡିକ ତେଲକୁ ଜିଏସ୍ଟି ପରିସର ଭୁକ୍ତ କରିବାକୁ କାହିଁକି ରାଜି ହେଉ ନାହଁନ୍ତି ବୋଲି ଦାସବର୍ମା ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍ର ଦର ଅହେତୁକ ଭାବେ ବଢ଼ାଇ ଦେବା ଯୋଗୁଁ ସମଗ୍ର ଦେଶରେ ବିଶେଷକରି ଓଡିଶା ଭଳି ରାଜ୍ୟରେ ଏହାର ଗମ୍ଭୀର ପ୍ରଭାବ ପଡିଛି । ମୁଖ୍ୟତଃ ଡିଜେଲ୍ ଦର ବଢ଼ି ରେର୍କଡ ସ୍ତରରେ ପହଂଚିବା ଫଳରେ ମାଲଭଡା ବୃଦ୍ଧି ପାଇଛି । ଏହା ଫଳରେ ରାଜ୍ୟରେ ଜିନିଷ ପତ୍ରର ଦରଦାମ୍ ବୃଦ୍ଧି ପାଇବା ସମ୍ଭାବନା ଦେଖା ଦେଇଛି । କେବଳ ସେତିକି ନୁହେଁ ରାଜ୍ୟବାସୀଙ୍କ ଯାତାୟାତ ବାବଦ ଖର୍ଚ୍ଚ ବୃଦ୍ଧି ପାଇଛି । ସଂପ୍ରତି ଡିଜେଲ୍ ଦର ବୃଦ୍ଧି ପାଇ ଏକ ରେକର୍ଡ ସ୍ତରକୁ ଛୁଇଁ ଲିଟର ପିଛା ୬୧ ଟଙ୍କା ୭୪ ପଇସାରେ ପହଂଚିଛି  । ସେହିଭଳି ପେଟ୍ରୋଲ ଦର ବଢ଼ି ଲିଟର ପିଛା ୭୧ ଟଙ୍କାରେ ପହଂଚିଛି  । ଅଗଷ୍ଟ ୨୦୧୪ ପର ଠାରୁ ଏହା ବର୍ତ୍ତମାନ ସର୍ବାଧିକ ସ୍ତରରେ ପହଂଚିଛି  । ଗତ ଏକ ମାସ ମଧ୍ୟରେ ଅର୍ଥାତ ଡିସେମ୍ବର ୧୨ ତାରିଖ ପରଠାରୁ ତେଲ ଦର ପ୍ରାୟ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି । ଡିଜେଲ ଦର ଏକ ମାସ ମଧ୍ୟରେ ୩ଟଙ୍କା ୪୦ ପଇସା ବୃଦ୍ଧି ପାଇ ୫୮ଟଙ୍କା ୩୪ ପଇସାରୁ ୬୧ଟଙ୍କା ୭୪ ପଇସା ଏବଂ ପେଟ୍ରୋଲ ଦର ୨ଟଙ୍କା ୯ପଇସା ବୃଦ୍ଧି ପାଇ ୬୮ଟଙ୍କା ୯୧ ପଇସାରୁ ୭୧ ଟଙ୍କାରେ ପହଂଚିଛି । ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ପେଟ୍ରୋଲ ଡିଜେଲ ଉପରେ ୧୧ଥର ଉତ୍ପାଦ  ଶୁଲ୍କ ବା ଏକ୍ସସାଇଜ ଡୁ୍ୟଟି ବଢ଼ାଇଛନ୍ତି । ତେଲ ଉପରେ ଏକ୍ସସାଇଜ ଡୁ୍ୟଟି ୧୩୧% ବୃଦ୍ଧି ପାଇଛି । ସମଗ୍ର ଦେଶରେ ତେଲଦର ବୃଦ୍ଧିକୁ ନେଇ ଆନ୍ଦୋଳନ  ଦାନା ବାନ୍ଧିବାରୁ କେନ୍ଦ୍ର ସରକାର ଅକ୍ଟୋବର ଦୁଇ ତାରିଖରେ ଏକ୍ସସାଇଜ ଡୁ୍ୟଟି ଲିଟର ପିଛା ୨ଟଙ୍କା କମାଇ ଥିଲେ । ଗତ ତିନି ବର୍ଷରେ ମାତ୍ର ଥରେ ସରକାର ଏକ୍ସସାଇଜ୍ ଡୁ୍ୟଟି ହ୍ରାସ  କରିଥିଲେ । କେନ୍ଦ୍ରର ସରକାର ତୁରନ୍ତ ଉତ୍ପାଦ  ଶୁଳ୍କକୁ ୨୦୧୪ ସ୍ତରକୁ ଆଣି ତେଲ ଦର ନିୟନ୍ତ୍ରଣ କରନ୍ତୁ ବୋଲି ସଂଜୟ ଦାସବର୍ମା ଦାବି କରିଛନ୍ତି ।

ଆଜିର ଏହି ବିକ୍ଷୋଭ ଓ ପଥପ୍ରାନ୍ତ ସଭାରେ ବିଧାୟକ ଅରୁଣ କୁମାର ସାହୁ, ପ୍ରଣବ କୁମାର ବଳବନ୍ତରାୟ, ଅନୁଭବ ପଟ୍ଟନାୟକ, ଯୁବ ବିଜେଡି ରାଜ୍ୟ ସଂପାଦକ ଅମରେଶ ପତ୍ରୀ, ମହାସଚିବ ଶିଶିର ପରିଜା, ଉପଦେଷ୍ଟା ଅମରେଶ ଜେନା, ଉପ-ସଭାପତି ଦୁର୍ଗା ସାମନ୍ତରାୟ, ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର, ଉପଦେଷ୍ଟା ଚିନ୍ମୟ ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଧୃବ ସାହୁ, ମୁଖପାତ୍ର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ରହି ତୈଳ ଦର ବୃଦ୍ଧିକୁ ତୀବ୍ର ନିନ୍ଦା କରିବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ।

 

UPDATED ON 18TH JANUARY 

0
0
0
s2sdefault