ହେଡଲାଇନସ୍:

ସମବାୟ ନିର୍ବାଚନକୁ ପ୍ରଭାବିତ କଲା ଶାସକ ଦଳ : ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରିଜାଇଡିଂ ଅଫିସରଙ୍କ ଦ୍ୱାରା ବିବାଦୀୟ ବାଲାଟ୍ ପେପର ଭାଇରାଲ୍‌

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ସମବାୟ ନିର୍ବାଚନରେ ବ୍ୟାପକ ଅନିୟମିତତା ଓ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଦ୍ୱାରା ଖୁଲମଖୋଲା ନିର୍ବାଚନ ଆଇନ ଉଲଘଂନ ଯୋଗୁଁ ସମବାୟ ନିର୍ବାଚନ ଏକ ପ୍ରହସନରେ ପରିଣତ ହୋଇଛି । ସମବାୟ ନିର୍ବାଚନ ଆରମ୍ଭରୁ ହିଁ ଶାସକ ଦଳ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଭୋଟର ଲିଷ୍ଟରେ ବ୍ୟାପକ ଜାଲିଆତି, ନୂଆ ଭୋଟ୍‌ରଙ୍କୁ ଗ୍ରହଣ ନକରିବା, ସମବାୟ ବିଭାଗ ପରିବର୍ତେ ପଂଚାୟତରାଜ ବିଭାଗର କର୍ମଚାରୀଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦେବା, ଦଳୀୟ ଭିତିରେ ମନ୍ତ୍ରୀ, ବିଧାୟକମାନଙ୍କ ଦ୍ୱାରା ଜିଲ୍ଲାୱାରି ଦାୟିତ୍ୱ ବାଂଟିବା ଆଦି ଅନେକ ଅନିୟମିତତା କାର୍ଯ୍ୟର ଆଶ୍ରୟ ନେଇଥିବାର ଅଭିଯୋଗ ନେଇ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା । ଗତକାଲି ଖୋର୍ଦ୍ଧା ଜିଲ୍ଲାର ବାଜପୁର ସେବା ସମବାୟ ସମିତି ପରିଚାଳନା ପରିଷଦର ସଭାପତି ନିର୍ବାଚନରେ ତାହା ପ୍ରମାଣିତ ହୋଇଛି । ସ୍ଥାନୀୟ ନିର୍ବାଚନ ଅଧିକାରୀ ଶ୍ରୀ ଅଶୋକ କୁମାର ପାଟ୍ଟଶାଣୀ ଓ ପ୍ରିଜାଇଡିଙ୍ଗ ଅଫିସର ସୁଚିତ୍ର କୁମାର ବଡ଼ଜେନା ଯେଉଁଭଳି ଭାବରେ ନିର୍ବାଚନରେ ଉର୍ଦ୍ଦେଶ୍ୟ ପ୍ରଣୋଦିତଭାବେ ସଭାପତି ପ୍ରାର୍ଥୀ ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜଙ୍କର ନାକଚ ଭୋଟ୍ ଉପରେ ସରଜର୍ମିନ ତଦନ୍ତ ନକରି ଏବଂ ତାଙ୍କ ଏଜେଂଟଙ୍କ ଦ୍ୱାରା ପ୍ରଦତ ଅଭିଯୋଗ ପତ୍ରକୁ ଗ୍ରହଣ ନକରି ଏକତରଫା ଫଳାଫଳ ଘୋଷଣା କଲେ ଏବଂ ଧର୍ମଗୁଳା ଭୋଟ ପୂର୍ବରୁ ନାକଚ ହୋଇଥିବା ଏକ ବିବାଦୀୟ ବାଲାଟ୍ ପେପରକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କଲେ ତାହା ସମ୍ପୂର୍ଣ୍ଣ ନିର୍ବାଚନ ଆଇନ ବିରୋଧୀ ।
ନିଜେ ପ୍ରିଜାଇଡିଂ ଅଫିସର ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ଉକ୍ତ ବାଲାଟ ପେପର ଫଟୋକୁ ନିଜ ମୋବାଇଲରେ ଉତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡିଲେ ତାହା ଏକ ଧର୍ତବ୍ୟ ଅପରାଧ ଏବଂ ନିର୍ବାଚନ ଆଚରଣ ବିଧିର ଖୋଲା ଉଲଘଂନ ।
ସେହିପରି ପୋଲିଂ ବୁଥ୍‌ରେ କରାଯାଇଥିବା ମତଦାନ ବଖରାକୁ ସିସିଟିଭି ସ୍କାନରରେ ଜାଣିଣୁଣି ରଖିବା ଦ୍ୱାରା ଗୁପ୍ତ ମତଦାନର ନୀରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିଂ ବଖରାକୁ ସିସିଟିଭି ନଜରରେ ରଖିବା ଦ୍ୱାରା ଭୋଟରଙ୍କର ଗୁପ୍ତମତଦାନ ଅଧିକାର ପ୍ରଭାବିତ ହୋଇଛି । ଯଦ୍ୱାରା ନାକଚ କରିଥିବା ଭୋଟ୍‌ରଙ୍କର ପ୍ରମାଣ ପାଇ ତାଙ୍କୁ ଧମକ ଚମକ ଦିଆଯିବାଭଳି ପରିସ୍ଥିତି ଦୃଷ୍ଟିକୁ ଆସିଛି ।
ଉପରୋକ୍ତ ଘଟଣାର ତଦନ୍ତ ଦାବି କରି ରାଜ୍ୟ ବିଜେପି ସମବାୟ ସେଲ୍ ତରଫରୁ ଏକ ତିନିଦଫା ସମ୍ବଳିତ ଅଭିଯୋଗ ପତ୍ର ରାଜ୍ୟ ସମବାୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯିବା ସହିତ ନିର୍ବାଚନ ଦାୟିତ୍ୱରେ ଥିବା ସଂପୃକ୍ତ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏବଂ ସଭାପତି ନିର୍ବାଚନକୁ ବାତିଲ କରି ପୁନଃନିର୍ବାଚନ ପାଇଁ ଦାବି କରାଯାଇଅଛି ।
ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ମଣ୍ଡଳିରେ କୃଷକ ମୋର୍ଚ୍ଚା ମିଡିଆ ସଂଯୋଜକ ଶ୍ରୀ ହିତେଶ ମହାପାତ୍ର, ରାଜ୍ୟ ମହିଳାମୋର୍ଚ୍ଚା ସମ୍ପାଦିକା ଶ୍ରୀମତୀ ରଶ୍ମିରେଖା ଦାସ ଓ ରାଜ୍ୟ ସମବାୟ ସେଲ୍‌ର ସହସଂଯୋଜକ ଶ୍ରୀ ପ୍ରିୟବ୍ରତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault