ହେଡଲାଇନସ୍:

କୃଷି ବିଭାଗରେ ୨୦୦ କୋଟିରୁ ଉର୍ଧ୍ଵ ଟଙ୍କାର ଘୋଟାଲାର ଅଭିଯୋଗ ଆଣିଲେ ପ୍ରଦୀପ ପୁରୋହିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଘୋଟାଲା ବିରୁଦ୍ଧରେ ସିବିଆଇ ତଦନ୍ତ ଦାବୀ ସହ ଆନ୍ଦୋଳନ କରିବ କୃଷକ ମୋର୍ଚ୍ଚା

ଭୁବନେଶ୍ୱର: କୃଷି ବିଭାଗରେ ହଜାର ହଜାର କୋଟି ଟଙ୍କା ଦୁର୍ନୀତି ପଛରେ ବିଭାଗୀୟ ମନ୍ତ୍ରୀ, ସଚିବଙ୍କ ସମେତ ଶାସକ ଦଳର ବହୁ ନେତାଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି । କୃଷି ବିଭାଗର ଉଦ୍ୟାନ କୃଷିରେ ହୋଇଥିବା ଘୋଟାଲା ଏକ ଜ୍ୱଳନ୍ତ ଉଦାହରଣ । ରାଷ୍ଟ୍ରୀୟ ବିକାଶ ଯୋଜନା ଅଧିନରେ ଏବଂ ବିଭିନ୍ନ ସ୍କିମରେ ବ୍ୟାପକ କେନ୍ଦ୍ରୀୟ ଅନୁଦାନ ରାଜ୍ୟକୁ ଆସୁଛି । କିନ୍ତୁ ଭ୍ରଷ୍ଟାଚାରୀ ଓ ଦୁର୍ନୀତିଖୋର ରାଜ୍ୟ ସରକାର ଚାଷୀକୁଳଙ୍କ ସ୍ୱାର୍ଥ ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନକୁ ଚଂଚକତା କରି ହଡପ୍ କରୁଛନ୍ତି । କୃଷି ବିଭାଗରେ ଦୁର୍ନୀତିର ଚେର ବହୁ ଲମ୍ବା ହୋଇସାରିଛି ଏବଂ ତଳରୁ ଉପରୁ ପର୍ଯ୍ୟନ୍ତ ଶାସକ ଦଳର ବହୁ ମନ୍ତ୍ରୀ ଓ ନେତା ଏହି ଦୁର୍ନୀତିରେ ସଂପୃକ୍ତ ଅଛନ୍ତି ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୁରୋହିତ କହିଛନ୍ତି ଯେ, କୃଷି ବିଭାଗ ଦୁର୍ନୀତିର ଭାତ ହାଣ୍ଡିରୁ ଗୋଟିଏ କଣିକା ସଦୃଶ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟ କୃଷି ମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀମାନେ ଚଂଚକତା କରି ୨୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନକୁ ମିଳିମିଶି ଲୁଟ୍ କରିଛନ୍ତି । ପ୍ରଥମତଃ; ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ ସିଡ୍ ନେଟ ଯୋଗାଣରେ ୧୦ କୋଟି ଟଙ୍କାର ଟେଣ୍ଡର ଫିକ୍ସିଂ କରାଯାଇଥିଲା । ପରେ ପୁଣି ଏହାକୁ ରାୟପୁରସ୍ଥିତ ବ୍ରଜବାସୀ ପ୍ଲାଷ୍ଟିକ ପ୍ରାଇଭେଟ୍ ଲିମିଟେଡ୍କୁ ୭ କୋଟି ଟଙ୍କାର ଟେଣ୍ଡର ପ୍ରଦାନ କରାଗଲା । ଯୋଗାଣ କରିଥିବା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନର ୧୦ କୋଟି ଟଙ୍କାର ଅର୍ଡରକୁ ଭାଙ୍ଗି କିପରି ବ୍ରଜବାସୀ ପ୍ଲାଷ୍ଟିକ କଂପାନୀକୁ ଅଗ୍ରୀମ ଟଙ୍କା ଦେଲେ କୃଷି ବିଭାଗ ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି ।
କୃଷି ବିଭାଗକୁ ବହି, କୀଟନାଶକ, ଜିଆ ଖତ, ଘାସମରା ଔଷଧ, ଚାରା, ଚାଷୀଙ୍କ ଜରିଆରେ ପଂପ୍ ସେଟ୍ ଆଦି ଯୋଗାଇବା ଏବଂ କୃଷି ରଥ ଚଲାଇବାରେ ମଧ୍ୟ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । କୃଷିମନ୍ତ୍ରୀଙ୍କ ଦପ୍ତର ଓ କୃଷି ବିଭାଗକୁ ପ୍ରଭାବିତ କରି ଶହ ଶହ କୋଟି ଟଙ୍କା କାରବାର କରୁଥିବା ଅବିନାଶ ଦାଶ ଜଣକ କିଏ ଏବଂ ତାଙ୍କ ସହିତ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ କଣ ସଂପର୍କ ରହିଛି, ତାହା ରାଜ୍ୟ ସରକାର ନିହାତି ଭାବେ ସ୍ପଷ୍ଟ କରିବା ଉଚିତ୍ ବୋଲି ଶ୍ରୀ ପୁରୋହିତ ଦାବୀ କରିଛନ୍ତି ।
ସେହିପରି ସରକାରୀ ପ୍ରେସରେ ମୁଦ୍ରିତ ‘ଡାଲି ଜାତୀୟ ଫସଲ ଚାଷ କୈାଶଳ’ ପୁସ୍ତକକୁ ୩୧ ଟଙ୍କାରେ ନକିଣି ଠିକଣା ନଥିବା ସୋନାଲୀ କ୍ରିଏସନ, ଭୂବନେଶ୍ୱର ଦ୍ୱାରା ମୁଦ୍ରିତ ହୋଇଥିବା ନିମ୍ନମାନର ସେହି ବହିକୁ ୬୦ ଟଙ୍କା ଦରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀମାନେ କିଣିବାକୁ ନେଇ ସାଧାରଣରେ ବିରାଟ ସନେ୍ଦହ ସୃଷ୍ଟି ହୋଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀମାନେ ଏହି ବହିକୁ ସାନାଲୀ କ୍ରିଏସନରୁ କିଣିବା ପାଇଁ କୃଷି ବିଭାଗ ତରଫରୁ ଚିଠି ଦ୍ୱାରା ନିଦେ୍ର୍ଧଶ ଦିଆଯାଇଥିଲା କାହିଁକି ଏବଂ ଏଭଳି ଚଂଚକତା କରି ଟଙ୍କା ହଡପ୍ କରିବା ପଛରେ ବିଭାଗୀୟ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ହାତ ରହିଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ।
ଏହି ଘୋଟାଲାରେ ରାଜ୍ୟ କୃଷି ମନ୍ତ୍ରୀ ଓ ବିଭାଗୀୟ ସଚିବ ସଂପୃକ୍ତ ଥିବାବେଳେ ୫-ଟି ସଚିବ ନୀରବ କାହିଁକି ? ଏହି ୨୦୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଘୋଟାଲା ବିରୁଦ୍ଧରେ କୃଷକ ମୋର୍ଚ୍ଚା ତରଫରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବା ସହିତ ଏହିି ଘୋଟାଲାର ତଦନ୍ତ ସିବିଆଇ ଦ୍ୱାରା କରାଯିବାକୁ ଶ୍ରୀ ପୁରୋହିତ୍ ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଂଜନ ମଙ୍ଗରାଜ, ସାଧାରଣ ସଂପାଦକ କାମାକ୍ଷା ପ୍ରସାଦ ପ୍ରଧାନ, ରାଜ୍ୟ ସଂଯୋଜକ କିଶୋର ସୁତାର ଏବଂ ମିଡିଆ ସଂଯୋଜକ ହିତେଶ ମହାପାତ୍ର ଉପସ୍ଥିତ ଥିଲେ ।

0
0
0
s2sdefault