ହେଡଲାଇନସ୍:

ବିଜେଡି ବିଜେପି ଟକରା ଟକରି , ଉଭୟେ କରିବେ ସୁରକ୍ଷା ଯାତ୍ରା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେଡିର ମହାନଦୀକୁ ବିଜେପିର ମହିଳା : ୧୬ରୁ ବିଜେଡି, ୧୭ରୁ ବିଜେପି 

15-05-18-jatra.jpg - 113.51 kB

ଭୁବନେଶ୍ୱର : ବିଜେଡି ବିଜେପି ଏବେ ଟକରା ଟକରି ହୋଇ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି | ୟାଙ୍କର ସମାବେଶ କୁ ତାଙ୍କର ବି ସମାବେଶ, ୟାଙ୍କର ରାଲି କୁ ତାଙ୍କର ବିକ୍ଷୋଭ | କେହି କାହାକୁ ସ୍ପେସ ଦେଉନାହାନ୍ତି | ଏବେ ରାଜ୍ୟ ବିଜେଡି ତାହାର ବଡ ଅସ୍ତ୍ର ଭାବେ ମହାନଦୀକୁ ଗ୍ରହଣ କରି ତାହାର ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରୁଥିବା ବେଳେ ବିଜେପି ମଧ୍ୟ ମହିଳାଙ୍କ ପ୍ରତି ଚାଲିଥିବା ପ୍ରସଙ୍ଗରେ ସରକାରଙ୍କ ବିରୋଧରେ  "ମହିଳା ସୁରକ୍ଷା ଯାତ୍ରା" ୧୭ ତାରିଖରୁ ରାଜ୍ୟବ୍ୟାପୀ କାର୍ଯ୍ୟ କ୍ରମ କରିବାକୁ ଯାଉଛି | 

ଏପଟେ ବିଜେପିର ଅଭିଯୋଗ ଯେ ଓଡ଼ିଶାରେ  ମହିଳାମାନେ ଏବେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ଓ ବ୍ୟଭିଚାର ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ନାବାଳିକା ଦୁଷ୍କର୍ମ ଏକ ଉଦବେଗଜନକ ସ୍ଥିତିରେ ରହିଛି । ଓଡିଶା ଏବେ ମହିଳାଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇ ରହିନାହିଁ । ଏହାର ପ୍ରତିବାଦ କରିବା ସହ ମହିଳାମାନଙ୍କୁ ସଚେତନତା କରିବା ପାଇଁ ବିଜେପି ମହିଳା ମୋର୍ଚ୍ଚ ତରଫରୁ ଆସନ୍ତା ୧୭ ତାରିଖରୁ  ମହିଳା ସୁରକ୍ଷା ଯାତ୍ରା ଆରମ୍ଭ ହୋଇ ମେ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି ।  

କାକଟପୁରରୁ ମା ମଙ୍ଗଳା ମନ୍ଦିରରୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ଭଦ୍ରକର ମା ଭଦ୍ରକାଳୀ ମନ୍ଦିରୁ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର, କଟକର ମା ଚଣ୍ଡୀ ମନ୍ଦିରରୁ ଉପ ସଭାନେତ୍ରୀ ସୁକେଶୀ ଓରାମ, ସମ୍ବଲପୁରର  ମା ସମଲେଶ୍ୱରୀ ମନ୍ଦିରରୁ ବିଧାୟିକା ରାଧାରାଣୀ ପଣ୍ଡା, ପାଟଣାଗଡର ପାଟଣେଶ୍ୱରୀ ମନ୍ଦିରରୁ ପୂର୍ବତନ ସାଂସଦ ସଂଗୀତା ସିଂହଦେଓ, ସୋରଡାର ମା କନ୍ଧୁଣୀ ଦେବୀ ମନ୍ଦିରରୁ ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକ, ଭୁବନେଶ୍ୱରର ମା ଶିଖରଚଣ୍ଡୀ ମନ୍ଦିରରୁ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ୱରେ ଏହି ସୁରକ୍ଷା  ଯାତ୍ରା ଆରମ୍ଭ ହେବ । ମହିଳା ସୁରକ୍ଷା ଯାତ୍ରା ମାଧ୍ୟମରେ ସାରା ରାଜ୍ୟରେ ଥିବା ମହିଳାଙ୍କୁ ନିଜର ଅଧିକାର ଏବଂ ସୁରକ୍ଷା ସଂପର୍କରେ ବାର୍ତା ଦେବା ସହ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟରେ ଏକ କୋଟି ପରିବାରରେ ପାଖରେ ପହଂଚାଇବ । ଏହି ୧୧ ଦିନ ମଧ୍ୟରେ ୪୫୦ଟି ସାଧାରଣ ସଭା ଅନୁଷ୍ଠିତ  ହେବ ।  ଏହି ସଭାରେ ମହିଳା ମାନଙ୍କର ସମସ୍ୟା, ଅଧିକାର ଏବଂ ମହିଳାଙ୍କ ସୁରକ୍ଷା ସମ୍ବନ୍ଧୀୟ ବାର୍ତା  ମହିଳାମାନଙ୍କୁ ପ୍ରଦାନ କରାଯିବ । ୧୧ ଦିନ ଧରି ଚାଲିବାକୁ ଥିବା ଏହି ସୁରକ୍ଷା ଯାତ୍ରାରେ ପ୍ରତିଦିନ କେନ୍ଦ୍ରୀୟ ମହିଳା ନେତ୍ରୀ ଉପସ୍ଥିତ ରହି ମହିଳାମାନଙ୍କୁ ସଚେତନ କରାଇବେ ।

ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି  ଯେ,  ୨୦୧୭ ମସିହାରେ ରାଜ୍ୟରେ ଦୁଷ୍କର୍ମ,ଯୌତୁକ  ଜନିତ ହତ୍ୟା, ଆତ୍ମହତ୍ୟା ଆଦି ମାମଲା ବୃଦ୍ଧି ପାଇଛି । ଏଥି ମଧ୍ୟରୁ  ମୋଟ ୨୨ଶହ ୨୧ଟି ଧର୍ଷଣ ମାମଲା, ୪ଶହ ୯୯ଟି ଯୌତୁକ  ଜନିତ ହତ୍ୟା, ୧ଶହ ୨୫ଟି ଯୌତୁକ  ଜନିତ ଆତ୍ମହତ୍ୟା ସହ ମୋଟ ୫ହଜାର ୫ଶହ ୬୨ଟି ଯୌତୁକ  ଜନିତ ମାମଲା ପଂଜିକୃତ ହୋଇଛି । ସେହିପରି ୩୮୫ଟି ଗଣଦୁଷ୍କର୍ମ ମାମଲା ଏବଂ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ୧୨ଶହ ୮୩ଟି ମାମଲା ରୁଜୁ ହୋଇଛି । ଜାନୁଆରୀ ୧୫ ତାରିଖରେ ଯାଜପୁର ଜିଲ୍ଲା ଦଶରଥପୁର ଅଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଇବା ନାଁରେ ଦଳୀୟ ଅଫିସକୁ ଏକ ବିଧବା ମହିଳାଙ୍କୁ ଡାକି ଶାସକ ବିଜେଡି ବିଧାୟକଙ୍କ ସଂପର୍କୀୟ ଦୁଷ୍କର୍ମ କରିଥିଲେ । ଏପ୍ରିଲ ୧୩ ତାରିଖରେ ବାଲେଶ୍ୱର ନୀଳଗିରିରେ ବିଜେଡି ବିଧାୟକଙ୍କ ପୁତୁରା ଚକୋଲେଟ ଦେଇ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଥିଲା । 

ଏଥିରୁ ସ୍ପଷ୍ଟ ଜଣାପଡୁଛି କି ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାରର ନେତା ଓ ପୋଷା ଗୁଣ୍ଡା ମାନେ ମହିଳା ମାନଙ୍କ ସହ ନିର୍ଭିକ ଭାବରେ ଦୁଷ୍କର୍ମ କରିଚାଲିଛନ୍ତି । କିଛିଦିନ ତଳେ ଏପ୍ରିଲ ୨୧ ତାରିଖରେ ସାଲେପୁରର ଜଣେ ୬ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିଲେ ମଧ୍ୟ ପୋଲିସର ବିଲମ୍ବିତ କାର୍ଯାନୁଷ୍ଠାନ  ଏବଂ ଉନ୍ନତମାନର ଚିକିତ୍ସା ଅଭାବରୁ ପୀଡିତାର ମୃତ୍ୟୁ  ହୋଇଥିଲା । ଏହା ପୂର୍ବରୁ ଜାନୁଆରୀ ୨୨ ତାରିଖରେ କୁନ୍ଦୁଲିରେ ଜଣେ ନାବାଳିକା ଦଳିତ ସହ ଗଣଦୁଷ୍କର୍ମ ହେବା ପରେ ନ୍ୟାୟ ନପାଇ ସେ ଆତ୍ମହତ୍ୟା କରିଥିଲା । ଠିକ୍ ସେହିପରି ଜାନୁଆରୀ ୨୪ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଂଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇ ନ୍ୟାୟ ନପାଇ ଆତ୍ମହତ୍ୟା କରିଥିଲା । ମାର୍ଚ୍ଚ ୨୩ ତାରିଖରେ ଗଜପତି ଜିଲ୍ଲାରେ ଜଣେ ୧୫ ବର୍ଷୀୟା ନାବାଳିକା ପଡୋଶୀ ଦ୍ୱାରା ଦୁଷ୍କର୍ମରେ ଶିକାର ହୋଇଥିଲା । ଏପ୍ରିଲ ୧୩ ତାରିଖରେ ନୀଳଗିରି ଘଟଣାର ସମାନ ଦିନ ସୋର ଅଂଚଳରେ ଏକ କାର୍ଯ୍ୟକ୍ରମରୁ ଫେରୁଥିବାବେଳେ ସପ୍ତମ ଶ୍ରେଣୀର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲା । ଏତେ ଘଟଣା ପରେ ବି ରାଜ୍ୟ ସରକାର ଦୋଷୀଙ୍କ ବିରୁଦ୍ଧରେ କୌଣସିକାର୍ଯ୍ୟାନୁଷ୍ଠାନ  ଗ୍ରହଣ ନକରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଶାସକ ବିଜେଡି ବଳାକ୍ରାରୀମାନଙ୍କୁ ଗିରଫ କରିବା ପରିବର୍ତେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେଉଛି । ଆଉ କେତେଦିନ ଏମିତି ମହିଳା ମାନଙ୍କୁ ମୁଖ୍ୟମନ୍ତ୍ରୀ ଅପମାନିତ କରି ଚାଲିଥିବେ ବୋଲି ଶ୍ରୀମତି ପରିଡା ପ୍ରଶ୍ନ ଉଠାଇଛନ୍ତି । ଆସନ୍ତା ୧୯ ଏବଂ ୨୦ ତାରିଖରେ ରାଜ୍ୟର ବହୁ ପ୍ରତିକ୍ଷୀତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଥିବାରୁ ଏହି ଯାତ୍ରାକୁ ଦୁଇ ଦିନ ପାଇଁ ବନ୍ଦ ରଖାଯିବ ବୋଲି ଶ୍ରୀମତି ପରିଡା ସୂଚନା ଦେଇଛନ୍ତି ।  ଏହି ଯାତ୍ରାରେ ବିଭିନ୍ନ ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳାମାନେ ଓ ସାମାଜିକ ସଂଗଠନର ମହିଳାମାନେ ସାମିଲ ହେବା ପାଇଁ ଶ୍ରୀମତି ପରିଡା ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ପୂର୍ବତନ ସାଂସଦ ଶ୍ରୀମତୀ କୁମୁନ୍ଦିନୀ ପଟ୍ଟନାୟକ, ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର, ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ପିଙ୍କି ପ୍ରଧାନ ଏବଂ ବରିଷ୍ଠ  ଅଭିନେତ୍ରୀ ମହେଶ୍ୱତା ରାୟ ପ୍ରମୁଖ ଉପସ୍ଥିତ ଥିଲେ । 

ସୂଚନାଯୋଗ୍ୟ ଯେ  ‘ଜୀବନ ଥିବା ପର୍ଯ୍ୟନ୍ତ ମହାନଦୀ ପାଇଁ ଲଢେ଼ଇ ଜାରି ରଖିବି’, ଏଭଳି ଏକ ଉକ୍ତି ରଖି  ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀ ପାଇଁ ନିଜର ଆବେଗ ଓ ପ୍ରତିବଦ୍ଧତାକୁ ଆହୁରି ସ୍ପଷ୍ଟ କରିଛନ୍ତି ଏବଂ ମହାନଦୀ ପାଇଁ ଆରମ୍ଭ କରାଯାଇଥିବା ମହାସଂଗ୍ରାମରେ ଓଡ଼ିଶାର ଦାବି ସଂପୂର୍ଣ୍ଣ ଭାବେ ହାସଲ ନହେବା ପର୍ଯ୍ୟନ୍ତ ଜନଜାଗରଣ ପାଇଁ ଆହ୍ୱାନ ଦେଇଛନ୍ତି । ବିଜୁ ଜନତା ଦଳ ଓଡ଼ିଶାର ସ୍ୱାର୍ଥ ପାଇଁ ଓଡ଼ିଶାବାସୀଙ୍କ ସହିତ ମିଶି ‘ମହାନଦୀ ମହାସଂଗ୍ରାମ’କୁ ଆହୁରି ଆଗକୁ ଆଗେଇ ନେବ ଏବଂ ମହାନଦୀ ପ୍ରସଂଗରେ ଓଡ଼ିଶାର ଦାବି ହାସଲ ନହେବା ପର୍ଯ୍ୟନ୍ତ ଏଥିରୁ କୌଣସିମତେ ବିରତ ହେବ ନାହିଁ ବୋଲି ବଜ୍ର ଶପଥ ନେଇଛି ।  ଏହି ପରିପ୍ରେକ୍ଷୀରେ ମହାସଂଗ୍ରାମର ଆଉ ଏକ ଅଧ୍ୟାୟ ମହାନଦୀ ଅବବାହିକାର ୧୫ଟି ଜିଲ୍ଲାରେ ଜନଜାଗରଣ ପକ୍ଷରେ ମେ ୧୬ରୁ ଓଡ଼ିଶା ଭିତରକୁ ମହାନଦୀର ପ୍ରବେଶ ସ୍ଥଳ ଝାରସୁଗୁଡ଼ା ଜିଲ୍ଳା ଲଖନପୁର ବ୍ଲକର ସୁଖାଶୋଡ଼ା ଏବଂ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଚିଖ୍‍ଲି ଠାରୁ ମହାନଦୀ ସୁରକ୍ଷା ସଚେତନତା ଅଭିଯାନ ଆରମ୍ଭ ହେବ ବୋଲି ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା  |

ଦଳ ପକ୍ଷରୁ କୁହାଯାଇଛି ଯେ,  ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି  ନବୀନ ପଟ୍ଟନାୟକ ୧୬ ତାରିଖ ସକାଳ ୯ଟା ସମୟରେ ସୁଖାଶୋଡ଼ା ଠାରେ ଏବଂ ସକାଳ ୧୦ଟା ସମୟରେ ଚିଖଲି ଠାରେ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନର ନେତୃତ୍ୱ ନେବେ । ଏହି ଅଭିଯାନ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର ଜିଲ୍ଲାର ନିର୍ଦ୍ଧାରିତ ରୁଟ୍‍ଚାର୍ଟରେ ପଥପ୍ରାନ୍ତ ସଭା, ସାଧାରଣ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରାଯିବା ସହ ମହାନଦୀ ସମସ୍ୟା ସଂପର୍କିତ ସତ୍ୟ-ତଥ୍ୟ ପୁସ୍ତିକା ଓ ପ୍ରଚାରପତ୍ର ସର୍ବସାଧାରଣରେ ବଣ୍ଟନ କରାଯିବ । ମହାନଦୀ ଅବବାହିକା ନିକଟସ୍ଥ ଅନ୍ୟ ଜିଲ୍ଲା ଓ ବ୍ଲକରେ ମଧ୍ୟ ଜନସଚେତନତା କାର୍ଯ୍ୟକ୍ରମ ହେବ । ଏହାସହ ମହାନଦୀ ଅବବାହିକାର ଉଭୟ ପାଶ୍ୱର୍ରେ ଥିବା ପୂରାତନ ଦେବାଦେବୀ ପୀଠଗୁଡିକରେ ସମୂହ ଦୀପଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ପୀଠରେ ଜଳ ଆଳତି ଏବଂ କଟକର ଗଡ଼ଗଡେ଼ଶ୍ୱରଙ୍କ ପୀଠରେ ଜଳ ଆଳତି କରାଯିବ ।

ଓଡ଼ିଶାର ହକ୍‍ ଓ ମହାନଦୀର ସୁରକ୍ଷା ପାଇଁ ଏହି ଜନଜାଗରଣ ଆନ୍ଦୋଳନ  ମହାସଂଗ୍ରାମରେ ରାଜ୍ୟର ଛାତ୍ର, ଯୁବକ, କୃଷକ, ମତ୍ସ୍ୟଜୀବୀ, ମହିଳା, ବୁଦ୍ଧିଜୀବୀ, ସମସ୍ତ ସାମାଜିକ ସଂଗଠନ, ସବୁ ରାଜନୈତିକ  ଗୋଷ୍ଠୀ ଏବଂ  ସର୍ବୋପରି ଓଡ଼ିଶାର ସମଗ୍ର ଜନସାଧାରଣ ସକ୍ରିୟ ଭାବେ ସାମିଲ ହେବା ପାଇଁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, କଟକ ଜିଲ୍ଲା ସଭାପତି ପ୍ରତାପ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ ପ୍ରମୁଖ ନିବେଦନ କରିଥୁଲେ | 

ହେଲେ ଦେଖାଯାଉ ବିଜେପି ବିଜେଡିର ଏହି ଯାତ୍ରା ପରେ ଆଉ କେଉଁ ଯାତ୍ରା ମଞ୍ଚସ୍ଥ ହେଉଛି |

0
0
0
s2sdefault